ଜାଣନ୍ତୁ ଅଲ୍ଜାଇମର୍ସ୍ ରୋଗର କାରଣ ଓ ପ୍ରତିକାର
ଡା. ସମ୍ରାଟ କର,
ଆଜି ବିଶ୍ବ ଅଲ୍ଜାଇମର୍ସ୍ ଦିବସ। ୨୦୧୨ ଠାରୁ ପ୍ରତି ବର୍ଷ ସେପ୍ଟେମ୍ବର ମାସକୁ ଅଲ୍ଜାଇମର୍ ମାସ ଭାବେ ପାଳନ କରାଯାଉଥିବା ବେଳେ ୨୧ ତାରିଖ ହେଉଛି ଅଲ୍ଜାଇମର୍ସ୍ ଦିବସ। ଚଳିତ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା- ‘ସଚେତନତା ବୃଦ୍ଧି ଓ ରୋଗ ବିରୋଧରେ ଲଢ଼େଇ’।
Sambad is now on WhatsApp
Join and get latest news updates delivered to you via WhatsApp
ବୟସ ବଢ଼ିଲେ ସାଧାରଣତଃ ମଣିଷର ମସ୍ତିଷ୍କ କୋଷ ବା ବ୍ରେନ୍ ସେଲ୍ ଧୀରେ ଧୀରେ ସ˚କୁଚିତ ହୁଏ। ଫଳରେ ମସ୍ତିଷ୍କ କୋଷରେ ତିଆରିହେଉଥିବା ଏକ ପ୍ରକାର ରାସାୟନିକ ଏସିଟିଲ୍କୋଲିନ୍ର ମାତ୍ରା କମିଆସେ। ଏହା ଏକ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା। ତେବେ, କୌଣସି କାରଣରୁ ଏହା ଦ୍ରୁତ ଗତିରେ ହ୍ରାସ ପାଇଲେ ତାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ ଅଲ୍ଜାଇମର୍ସ୍ କହାଯାଏ। ଏହା ସ୍ମୃତିହୀନତା ଜନିତ ରୋଗ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଦୈନନ୍ଦିନ ଜୀବନରେ ଅନେକ କଥା ଭୁଲିଯାଏ। କାହାରି ନାଁ ମନେ ପକାଇବା, ଚଷମା ରଖିଥିବା ସ୍ଥାନ ଭୁଲିଯିବା, ଘରୁ ବାହାରକୁ ଆସି ପୁଣି ଫେରିବା ବେଳେ ଠିକ୍ ରାସ୍ତା ମନେ ନ ପଡ଼ିବା ଆଦି ଏହି ରୋଗର ଲକ୍ଷଣ। ଏହିି ରୋଗ ତିରିଶରୁ ଚାଳିଶ ପ୍ରତିଶତ ବ˚ଶାନୁକ୍ରମିକ। ମୁଣ୍ତରେ ଆଘାତ, ସ˚କ୍ରମଣ, ବ୍ରେନ୍ ଷ୍ଟ୍ରୋକ୍ ଏବ˚ ମସ୍ତିଷ୍କରେ ପାଣି ଜମିବା କାରଣରୁ ମଧୢ ଅଲ୍ଜାଇମର୍ସ୍ରେ ପଡ଼ିବା ଆଶଙ୍କା ରହିଛି। ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ପରୀକ୍ଷା ଦ୍ବାରା ଏହି ରୋଗ ଜଣାପଡ଼େ ଏବ˚ ଚିକିତ୍ସା ଦ୍ବାରା ରୋଗ ନିୟନ୍ତ୍ରଣ କିଛି ମାତ୍ରାରେ ସମ୍ଭବ ହୁଏ।
ତେବେ, ଅଲ୍ଜାଇମର୍ସ୍ ପୀଡ଼ିତଙ୍କ ସୁରକ୍ଷା ଦିଗରେ ସେମାନଙ୍କ ପରିବାର ଲୋକଙ୍କ ଦାୟିତ୍ବ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ପୀଡ଼ିତ ବ୍ୟକ୍ତି ବ୍ୟବହାର କରୁଥିବା କକ୍ଷ କି˚ବା ଶୟନ କକ୍ଷ ସବୁ ବେଳେ ଖୋଲା ରଖନ୍ତୁ। ଘର ଭିତରେ ସୂର୍ଯ୍ୟାଲୋକ ଓ ବାୟୁ ଚଳାଚଳ ହେବା ଉଚିତ। ଦିନରେ ଝରକା ପରଦା କାଢ଼ିଦିଅନ୍ତୁ। ଏହା ଦ୍ବାରା ସେମାନେ ଦିନ-ରାତି ଜାଣିପାରିବେ। କାନ୍ଥରେ ବଡ଼ ବଡ଼ ଅକ୍ଷରରେ କ୍ୟାଲେଣ୍ତର୍ ଟାଙ୍ଗନ୍ତୁ। ଘଣ୍ଟା ରଖନ୍ତୁ। ଫଳରେ ତାରିଖ ଓ ସମୟ ସେମାନଙ୍କ ଆଖି ଆଗରେ ସବୁ ବେଳେ ରହିବ। ସେହି କକ୍ଷରେ ପରିବାର ଲୋକଙ୍କ ଫଟୋ ଓ ତାଙ୍କ ଜୀବନର କିଛି ଉଲ୍ଲେଖନୀୟ ମୁହୂର୍ତ୍ତର ଫଟୋ ବନ୍ଧାଇ ଟାଙ୍ଗନ୍ତୁ। ତାଙ୍କୁ ମନେପକାଇବାରେ ସହଜ ହେବ। ବାହାରକୁ ବୁଲିଯାଉଥିଲେ ତାଙ୍କ ପକେଟ୍ରେ ପରିଚୟ ପତ୍ର କି˚ବା ଫୋନ୍ ନମ୍ବର୍ ଲେଖାଥିବା ଲକେଟ୍ ପିନ୍ଧାନ୍ତୁ। ହାତରେ ମଜଭୁତ ବାଡ଼ି ନଚେତ୍ ଵାକର୍ ଧରାଇଦିଅନ୍ତୁ। ସନ୍ତୁଳିତ ଓ ପୋଷକଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ।
ପ୍ରତି ୬୮ ସେକେଣ୍ତ୍ରେ ଜଣେ ବ୍ୟକ୍ତିଙ୍କଠାରେ ଅଲ୍ଜାଇମର୍ସ୍ର ଲକ୍ଷଣ ଦେଖାଯାଉଛି। ବିକାଶଶୀଳ ଦେଶଗୁଡ଼ିକରେ ଏହି ରୋଗୀ ସ˚ଖ୍ୟା ସର୍ବାଧିକ। କେବଳ ଆମେରିକାରେ ୫.୪ ମିଲିଅନ୍ ଥିବା ବେଳେ ୨୦୫୦ ବେଳକୁ ତାହା ୧୬ ନିୟୁତ ଛୁଇଁବା ଆକଳନ କରାଯାଇଛି। ଚାଇନା, ଭାରତ ଓ ଦକ୍ଷିଣ ଏସୀୟ ତଥା ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୟସ୍କଙ୍କ ସ˚ଖ୍ୟା ବଢ଼ୁଥିବାରୁ ଭବିଷ୍ୟତ୍ରେ ଏହି ରୋଗ ଅଧିକ ମାଡ଼ିବସିବା ଆଶଙ୍କା କରାଯାଏ।