ଗାଧୋଇବା ବେଳେ ପ୍ରଥମେ ମୁଣ୍ଡରେ ଓ ପରେ ଶରୀରରେ ଢାଳନ୍ତୁ ପାଣି! ଜାଣନ୍ତୁ ବିଭିନ୍ନ ଶୈଳୀର ସ୍ନାନର ଫାଇଦା

ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଶରୀର ପାଇଁ ସବୁଦିନ ଗାଧୋଇବା ଉଚିତ୍‌ । ଯେଉଁମାନେ ସବୁଦିନ ଗାଧୋଇଥାଆନ୍ତି, ସେମାନଙ୍କୁ ଅନେକ ଲାଭ ମିଳିଥାଏ । ସେଥିପାଇ ବାପା-ମାଆ ଛୁଆକୁ ପିଲାଦିନରୁ ସବୁଦିନ ସ୍ନାନ କରିବାର ଅଭ୍ୟାସ କରେଇଥାଆନ୍ତି । ଯଦି ସୂର୍ଯ୍ୟୋଦୟ ସମୟରେ ସ୍ନାନ କରୁଛନ୍ତି, ଏହା ଧାର୍ମିକ ଦୃଷ୍ଟିରୁ ଭଲ । ବିଭିନ୍ନ ଧର୍ମଗ୍ରନ୍ଥରେ ଉଲ୍ଲେଖିତ ଅଛି ଯେ ଯଦି ସକାଳୁ ସ୍ନାନ ନ କରନ୍ତି, ତା’ହେଲେ ଆପଣଙ୍କ ଦିନଟା ଭଲରେ ଯିବନି । ପୂର୍ବ କାଳରେ ବିଦ୍ୱାନ ଏବଂ ମୁନୀ-ଋଷିମାନେ ଠିକ୍‌ ସୂର୍ଯ୍ୟୋଦୟ ସମୟରେ ସ୍ନାନ କରୁଥିଲେ ଏବଂ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରୁଥିଲେ । ବିଦ୍ୱାନଙ୍କ ମତରେ ସ୍ନାନ କଲେ ମନ ସଫା ହୋଇଯାଏ ।

ମାନସିକ ଶାନ୍ତି ଆମ ସମସ୍ତଙ୍କ ପାଇଁ ଆବଶ୍ୟକ । ସ୍ନାନ କରିବା ଫଳରେ ଆମକୁ ଏହା ପ୍ରାପ୍ତ ହୋଇଥାଏ । ଶାସ୍ତ୍ରରେ ସ୍ନାନ ବିଷୟରେ ଅନେକ କଥା କୁହାଯାଇଛି । ପାଣି ବା କିଛି ତରଳ ପଦାର୍ଥରେ ଶରୀରକୁ ବୁଡାଇ ବା ଓଦା କରିବାକୁ ସ୍ନାନ କୁହାଯାଏ । ଅନେକ ଦେଶରେ ଲୋକମାନେ ଚକୋଲେଟ, କାଦୁଅ, କ୍ଷୀର ଆଦିରେ ସ୍ନାନ କରନ୍ତି । ପୁଣି ସୂର୍ଯ୍ୟଙ୍କ କିରଣରେ ସ୍ନାନ କରିବାକୁ ‘ସୂର୍ଯ୍ୟ ସ୍ନାନ’ କୁହାଯାଏ । ଆଜିକାଲି ଲୋକମାନେ ସୂର୍ଯ୍ୟୋଦୟ ପରେ ସ୍ନାନ କରୁଛନ୍ତି । ଯେଉଁ ଲୋକ ସୂର୍ଯ୍ୟୋଦୟ ପରେ କୌଣସି ନଦୀରେ ବା ଘରେ ବିଭିନ୍ନ ନଦୀର ନାମକୁ ସ୍ମରଣ କରି, ବିଭିନ୍ନ ମନ୍ତ୍ର ଜପ କରି ସ୍ନାନ କରିଥାଏ, ତାହାକୁ ଦେବ ସ୍ନାନ କୁହାଯାଏ । ଶାସ୍ତ୍ରର ବିଧି ଅନୁସାରେ ସ୍ନାନ କରିବା ସମୟରେ ମନ୍ତ୍ର ଜପ କରିବା ଆବଶ୍ୟକ ।

କିଛି ଲୋକ ଗାଧୋଇବା ସମୟରେ ପ୍ରଥମେ ଶରୀରକୁ ଓଦା କରି ତା’ପରେ ମୁଣ୍ଡକୁ ଓଦା କରିଥାଆନ୍ତି । ଏହା ଭୁଲ୍‌ ଅଟେ । ସ୍ନାନ କରିବା ସମୟରେ ପ୍ରଥମେ ମୁଣ୍ଡକୁ ଓଦା କରିବା ଉଚିତ୍‌ ଏବଂ ତା’ପରେ ଶରୀର ଉପରେ ପାଣି ଢାଳିବା ଉଚିତ୍‌ । ଏହାର ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଏମିତି ସ୍ନାନ କରିବା ଫଳରେ ଆମର ମୁଣ୍ଡର ଗରମ ଶରୀର ଦେଇ ପାଦ ବାଟେ ନିର୍ଗତ ହୋଇଥାଏ । ଫଳରେ ଆମକୁ ଥଣ୍ଡା ଲାଗିଥାଏ ।

ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍‌ । ଏହା କରିବା ଫଳରେ ଆମକୁ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ । ଅନେକ ଲାଭ ମିଳିଥାଏ । ଏମିତି କରିବା ସମୟରେ ପାଣି ଭିତରେ ସୂର୍ଯ୍ୟଙ୍କୁ ଦେଖିବା ଉଚିତ୍‌ । ଫଳରେ ସୂର୍ଯ୍ୟଙ୍କର କିରଣ ଦ୍ୱାରା ଆମର ଆଖିର ଜ୍ୟୋତି ବୃଦ୍ଧି ପାଇଥାଏ । ସୂର୍ଯ୍ୟଙ୍କର କିରଣରେ ଭିଟାମିନ୍‌ ଡି ରହିଥାଏ ।

ଭୋର ୪ଟାରୁ ୫ ଟା ଭିତରେ ଭଗବାନଙ୍କ ନାମ ନେଇ କି ସ୍ନାନ କରିବାକୁ ‘ବ୍ରହ୍ମ ସ୍ନାନ’ କୁହାଯାଏ । ଏହି ସମୟରେ ସ୍ନାନ କରୁଥିବା ଲୋକଙ୍କୁୁ ଦୁଃଖରୁ ମୁକ୍ତି ମିଳିଥାଏ ଏବଂ ଇଷ୍ଟଦେବଙ୍କର କୃପା ମଧ୍ୟ ଲାଭ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସକାଳେ ଆକାଶରେ ତାରା ଦେଖି ସ୍ନାନ କରିଥାଏ, ତାକୁ ଋଷି ସ୍ନାନ କୁହାଯାଏ । ସୂର୍ଯ୍ୟୋଦୟ ପୂର୍ବରୁ କରାଯାଉଥିବା ସ୍ନାନକୁ ‘ମାନବ ସ୍ନାନ’ କୁହାଯାଏ । ଏହା ମଧ୍ୟ ଶ୍ରେଷ୍ଠ ଅଟେ । ଆଜିକାଲି ପ୍ରାୟ ଲୋକମାନେ ସୂର୍ଯ୍ୟୋଦୟ ପରେ ଖାଦ୍ୟ ଗ୍ରହଣ କରି ସ୍ନାନ କରୁଛନ୍ତି । ଏହାକୁ ‘ଦାନବ ସ୍ନାନ’ କୁହାଯାଏ । ରାତିରେ ବା ସନ୍ଧ୍ୟା ସମୟରେ ସ୍ନାନ କରିବା ଅନୁଚିତ୍‌ । ଯଦି ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ଗ୍ରହଣ ଥାଏ, ସେହି ସମୟରେ ରାତିରେ ସ୍ନାନ କରିବା ଉଚିତ୍‌ ।

ସମ୍ବନ୍ଧିତ ଖବର