ବାହାରକୁ ବାହାରିବା ପାଇଁ ପ୍ରସ୍ତୁତ ହେବାରେ ବିଳମ୍ବ ହେଉଛି କି? ଆପଣାନ୍ତୁ ଏହି ସବୁ ସର୍ଟ-କର୍ଟ ଫର୍ମୁଲା

ବେଳେ ବେଳେ ବଜାର ହେଉ, ଅଫିସ୍‌ ହେଉ ଅବା କେଉଁ ସଂପର୍କୀୟଙ୍କ ଘରକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେବାକୁ ଦୀର୍ଘ ସମୟ ନେଇଥାଉ। ଆଉ କେବେ ପୁଣି ଭଲ ଦିଶିବାର ଇଚ୍ଛା ଥାଇ ମଧ୍ୟ ନିଜ ମୁତାବକ ପ୍ରସ୍ତୁତ ହେବାକୁ ସମୟ ପାଇ ନ ଥାଉ। ଫଳରେ କାମଚଳା ଭାବେ ଯେମିତି ନାହିଁ ସେମିତି ଚାଲିଯାଉ। ମାତ୍ର ନିମ୍ନରେ ଏମିତି କିଛି ଉପାୟ ଉଲ୍ଲେଖ କରାଯାଇଛି ଯାହାକୁ ପଢ଼ିଲା ପରେ ଆପଣ ଖୁବ୍‌ କମ୍‌ ସମୟ ମଧ୍ୟରେ ସୁନ୍ଦର ଭାବେ ପ୍ରସ୍ତୁତ ହେବାରେ ସମର୍ଥ ହେବେ।

-ବିଶେଷକରି ମହିଳାମାନେ ତରତରରେ ଥିଲେ ଶାଢ଼ି ଆଦୌ ପିନ୍ଧନ୍ତୁ ନାହିଁ। ଶାଢ଼ି ଏକ ଏପରି ପୋଷାକ ଯାହାକୁ ପିନ୍ଧିବାରେ ବେଶି ସମୟ ତ ଲାଗିଥାଏ ପୁଣି ଉପଯୁକ୍ତ ସାଜସଜା ନ ହେଲେ ଚେହେରା ଆକର୍ଷଣୀୟ ଦିଶେ ନାହିଁ। ଶୀଘ୍ର ବାହାରିବାର ଥିଲେ ସାଲଓ୍ଵାର୍‌, ଜିନ୍ସ, ଟପ୍ସ କିମ୍ବା ସିଙ୍ଗଲ୍‌ ଗାଉନ୍‌ ସବୁଠାରୁ ଭଲ।

-ପୁରୁଷମାନେ ତରତରରେ ଥିବା ସମୟରେ ଟି-ସାର୍ଟ ପିନ୍ଧିବା ଉଚିତ୍‌। କାହିଁକି ନା, ଅତ୍ୟାବଶ୍ୟକ ସ୍ଥଳେ ଟି-ସାର୍ଟକୁ ଆପଣ ବିନା ଇସ୍ତ୍ରୀ ରେ ପିନ୍ଧି ପାରନ୍ତି। ସାଧାରଣତ ସାର୍ଟଗୁଡ଼ିକ ଇସ୍ତ୍ରୀ ବିନା ପିନ୍ଧି ହୁଏ ନାହିଁ। ପାଖ ବଜାର, କିମ୍ବା ଛକରେ କେଉଁ ସାଙ୍ଗମାନଙ୍କୁ ଦେଖା କରିବାର ଥିଲେ ଘର ପିନ୍ଧା ଟ୍ରାଉଜର୍‌ ପିନ୍ଧି ମଧ୍ୟ ବାହାରକୁ ଯାଇପାରନ୍ତି। ତାହା ମଧ୍ୟ ଆଜିକାଲିର ଏକ ଫେସନ୍‌।

-ନାରୀମାନେ ମନେ ରଖନ୍ତୁ, ମେକ୍‌ଅପ୍‌ ପାଇଁ ହାତରେ ବେଶି ସମୟ ନ ଥିଲେ ଏକ ତେଲିଆ କ୍ରିମ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚା ଚିକ୍କଣ ଦିଶେ ଏବଂ ବିଭିନ୍ନ ପାଉଡର୍‌ ଲେପ ଦେବାକୁ ମଧ୍ୟ ପଡ଼ି ନଥାଏ। ଭ୍ୟାନିଟ୍‌ ବ୍ୟାଗ୍‌ରେ ଲିପ୍‌ଷ୍ଟିକ୍‌, ଅତର ଆଦି ରଖନ୍ତୁ। ଏସବୁ ଦ୍ରବ୍ୟ ଆପଣ ଅଧା ରାସ୍ତାରେ ମଧ୍ୟ ବ୍ୟବହାର କରିପାରନ୍ତି।

-ଘଣ୍ଟା, ରୁମାଲ୍‌, ଗାଡ଼ି ଚାବି ଆଦି ଛୋଟ ଛୋଟ ଜିନିଷକୁ ସବୁବେଳେ ପୂର୍ବ ରାତିରୁ ଆଖି ଆଗରେ ରଖନ୍ତୁ। ବେଳେ ବେଳେ ଏହି ସବୁ ଜିନିଷ ଖୋଜିବାରେ ସବୁଠାରୁ ଅଧିକ ସମୟ ବ୍ୟୟ ହୋଇଥାଏ।

-ଉଭୟ ନାରୀ ଓ ପୁରୁଷ ଜଲ୍‌ଦି ବାହାରିବା ପାଇଁ ଢିଲା ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତୁ। ଏମିତି କିଛି ପୋଷାକ ପିନ୍ଧନ୍ତୁ ଯାହା ପିନ୍ଧିଲେ ଆପଣଙ୍କୁ ବିଶେଷ ସଜ ହେବାର ଆବଶ୍ୟକ ପଡ଼ି ନଥାଏ।

ସମ୍ବନ୍ଧିତ ଖବର