ଉଜୁଡ଼ି ଯାଇଥିବା ଜଙ୍ଗଲର ଘଞ୍ଚତା ଫେରାଇ ଆଣିବାକୁ ବନୀକରଣର ନୂଆ ଉପାୟ ‘ବିହନ ପେଣ୍ଡୁ’

ମହାବାତ୍ୟା ‘ଫନି’ ଉପକୂଳର ସବୁଜିମାକୁ ଛଡ଼ାଇ ନେଇଥିବା ବେଳେ ଦ୍ରୁତ ବନୀକରଣ ଜରିଆରେ ପୁଣିଥରେ ପ୍ରକୃତିର ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ବିଭିନ୍ନ ସଂଗଠନ ପ୍ରୟାସ କରୁଛନ୍ତି। ବନବିଭାଗ ଘର ଘର ବୁଲି ଚାରା ବାଣ୍ଟୁଛି। କେହିକେହି ଗଛକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ତେବେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ବିହନ ପିଣ୍ଡୁଳା ଜରିଆରେ ଉଜୁଡ଼ି ଯାଇଥିବା ଜଙ୍ଗଲର ଘଞ୍ଚତା ଫେରାଇ ଆଣିବାକୁ ପ୍ରୟାସ କରିଛି। ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ବିହନ ପିଣ୍ଡୁଳା ପ୍ରସ୍ତୁତ କରାଯାଉଛି। ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ପାର୍ଶ୍ବରେ ଥିବା କନ୍ଦଳେଇ ଆଦିବାସୀପଲ୍ଲୀର ଛାତ୍ରଛାତ୍ରୀମାନେ ମାଟି ଓ ଗୋବର ଖତକୁ ମିଶାଇ ଗୋଲାକୃତି ସହିତ ସେଥିରେ ପଣସ ମଞ୍ଜି ରଖି ପେଣ୍ଡୁ ତିଆରି କରୁଛନ୍ତି। ପରେ ଏହାକୁ ନେଇ ଜଙ୍ଗଲର ଖାଲିଜାଗାରେ ନିକ୍ଷେପ କରାଯାଉଛି। ରାଜ୍ୟ ବାହାରେ ଏହି ପ୍ରକ୍ରିୟାକୁ ଅନୁସରଣ କରାଯାଉଥିବା ବେଳେ ରାଜଧାନୀରେ ଆଶ୍ରାର ଏହି ଅଭିନବ ପ୍ରୟାସ ପ୍ରଶଂସାଭାଜନ ହୋଇଛି। ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଞ୍ଜନ ରାଉତ, ତ୍ରିଲୋଚନ ବେଉରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଚେୟାରମ୍ୟାନ ଶ୍ୟାମ ଗାଗରାଇ, ଶିକ୍ଷକ ସୁବାସ ଓଝା ପ୍ରମୁଖ ଏ ସମ୍ପର୍କରେ ସଚେତନ କରାଉଛନ୍ତି।

ସମ୍ବନ୍ଧିତ ଖବର