ଡାଇବେଟିସ୍ ରୋଗୀଙ୍କ ଲାଗି ମହୋଷଧୀ ଭଳି କାମ କରୁଥିବା ‘କଳା ଚାଉଳ’ ଏବେ ପ୍ରସ୍ତୁତ ହେଉଛି ଓଡ଼ିଶାରେ; କିଲୋ ପ୍ରତି ୧୦୦ରୁ ୧୩୦ ଟଙ୍କା

ସମ୍ବଲପୁର : ଓଡ଼ିଶାର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଚାଷ ହେଉଛି କଳା ଧାନ । ସାଧାରଣତଃ ଧାନର ରଙ୍ଗ ହଳଦିଆ ଏବଂ ଚାଉଳର ରଙ୍ଗ ଧଳା ହୋଇଥିବା ବେଳେ ଏହି ଧାନ ଓ ଚାଉଳର ରଙ୍ଗ କଳା । ସୂଚନା ମୁତାବକ ସମ୍ବଲପୁର ଯୁଯୁମୁରା ଅଞ୍ଚଳର ବୀରସିଂହପଡାରେ ଚାଷ ହେଉଛି କଳାଧାନ । ପୁଣି ଧାନ ଗଛ ଠାରୁ ଆରମ୍ଭ ଚାଉଳ ମଧ୍ୟ କଳା ରଙ୍ଗର ଥିବାବେଳେ ଏହି ଚାଉଳରେ ଭରି ରହିଛି ଔଷଧୀୟ ଗୁଣ । କଳା ଚାଉଳ କିଲୋ ପ୍ରତି ବ୍ରିକ୍ରି ହେଉଛି ୧୦୦ରୁ ୧୩୦ ଟଙ୍କାରେ ।

ଚେତନ ନାମକ ଜଣେ ଯୁବକ ଚାଷୀ ଯୁଯୁମୁରା ବୀରସିଂହପଡାରେ ଥିବା ନିଜର ଫାର୍ମ ହାଉସରେ ୬ ଏକର ଜମିରେ ଏହି କଳା ଧାନ ଚାଷ କରିଛନ୍ତି । ମୁଖ୍ୟତଃ ଏହି କଳା ଧାନର ବିହନ ଓଡିଶାରେ ବିଲୁପ୍ତ ହେବାକୁ ଥିବାବେଳେ ଚେତନ ପାରମ୍ପାରିକ ପ୍ରଣାଳୀରେ ଚାଷ କରୁଛନ୍ତି । ଚେତନଙ୍କ କହିବା ମୁତାବକ ଜୁନ୍ ମାସ ଆରମ୍ଭରୁ ଧାନ ପହ୍ଳା ପକାଇବା ସହିତ ଶ୍ରୀ ପଦ୍ଧତିରେ (ଧାଡି) ଜମିରେ ଧାନ ଗଛକୁ ରୁଆଯାଇଥାଏ । ଗୋଟିଏ ଏକର ଜମିରେ ପାଖାପାଖି ପାଇଁ ୫ କିଲୋ ବିହନ ଆବଶ୍ୟକ ହୁଏ । ଗୋଟିଏ ଗଛ ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ । ଏହି ଧାନକୁ କଳାବତୀ ନାମରେ ସାଧାରଣରେ ଜଣାଯାଉଥିବା ବେଳେ ଓଡ଼ିଶାର ପାଖାପାଖି ଜଣେରୁ ଦୁଇ ଜଣ ଚାଷୀ ଏହାକୁ ଚାଷ କରନ୍ତି ବୋଲି ଜଣାପଡିଛି । ଧାନ ଅମଳ ହେଲା ପରେ ଏହାର ଚାଉଳ ଚାଷୀମାନେ ୧୦୦ରୁ ୧୩୦ ଟଙ୍କା କିଲୋପ୍ରତି ବିକ୍ରି କରନ୍ତି । ବର୍ତ୍ତମାନ ଚେତନଙ୍କର ୬ ଏକର ଚାଷ ଜମିର ଚାଉଳ ଲୋକମାନେ ଆଗୁଆ ଟଙ୍କା ଦେଇ ବୁକିଂ କରିଛନ୍ତି ବୋଲି ଚେତନ କହିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଧାନ ଚାଷରେ କୌଣସି ଔଷଧ ପ୍ରୟୋଗ କରାଯାଉ ନଥିବା ବେଳେ ଚାଉଳରେ ଭରି ରହିଛି ଔଷଧୀୟ ଗୁଣ । ଏହି ଚାଉଳର ଭାତ ରକ୍ତ ସଫା କରିବା ସହିତ ଡାଇବେଟିସ୍ ରୋଗୀଙ୍କ ଶରୀରରେ ଶର୍କରାସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏମିତିକି ଡାଇବେଟିସ୍  ରୋଗୀ ଯଦି ବର୍ଷେ ପର୍ଯ୍ୟନ୍ତ ଏହି ଚାଉଳର ଭାତ ଖାଆନ୍ତି ତେବେ ଶରୀରରୁ ଶର୍କରାସ୍ତର କମିଯିବ ବୋଲି ଚେତନ ଦାବି କରିଛନ୍ତି । ତେବେ ଓଡିଶାରେ ୬୦ରୁ ୭୦ ବର୍ଷ ପୂର୍ବେ ଏହି କଳାବତୀ ଧାନର ଚାହିଦା ବେଶ୍ ଅଧିକ ଥିଲା । ହେଲେ ବର୍ତ୍ତମାନ ତାହା ହ୍ରାସ ହେବାରେ ଲାଗିଛି । କିନ୍ତୁ ବାହାର ରାଜ୍ୟମାନଙ୍କରେ ଏହାର ଚାହିଦା ଅଧିକ ରହିଥିବାବେଳେ ଅନଲାଇନରେ ଏହି ଚାଉଳର ଦାମ୍ ୫ଶହରୁ ୬ଶହ ଟଙ୍କା ଥିବା ଜଣାପଡିଛି ।

 

ସମ୍ବନ୍ଧିତ ଖବର