ସୁପର୍‌ ବ୍ରେନ୍‌ ଯୋଗ: ମାତ୍ର ୩ ମିନିଟ୍‌ରେ ଶକ୍ତିଶାଳୀ ମସ୍ତିଷ୍କ

ମନ, ଦେହ ଓ ଆତ୍ମା ପାଇଁ ଯୋଗର ଉପକାରିତା ସମ୍ପର୍କରେ ଆବହମାନ କାଳରୁ ଶୁଣାଯାଉଛି। ଯୋଗ ଜୀବନଧାରାର ଅଂଶ ବିଶେଷ। ଏହା ଅସ୍ତିତ୍ୱକୁ ସମୃଦ୍ଧ କରିବା ସହ ବ୍ୟକ୍ତିକୁ ନିଜର ଅନ୍ତଃସତ୍ତା ସହ ସଂଯୁକ୍ତ କରିଥାଏ।

ସୁଗଠିତ ରହିବାରେ ସହାୟକ ହେବା ସହ ଏହା ବ୍ୟକ୍ତକୁ ସୁସ୍ଥ, ଶାନ୍ତ ଓ ସୁଖୀ ରଖେ। ବିଗତ ଦୀର୍ଘ ବର୍ଷ ମଧ୍ୟରେ ଯୋଗର ବିଭିନ୍ନ ମୁଦ୍ରା ବିକଶିତ ହୋଇଛି। ସେମିତି ମସ୍ତିଷ୍କ ପାଇଁ ମଧ୍ୟ ରହିଛି ଗୋଟାଏ ସ୍ୱତନ୍ତ୍ର ଯୋଗ। ମସ୍ତିଷ୍କ ଯୋଗ ସାଧାନା କଲେ ମସ୍ତିଷ୍କ କ୍ଷମତା ବୃଦ୍ଧି ପାଏ ବୋଲି ବିଶ୍ୱାସ ଚଳି ଆସୁଛି।

ଏହି ସୁପର୍‌ ବ୍ରେନ୍‌ ଯୋଗର ପ୍ରଣେତା ହେଉଛନ୍ତି ପ୍ରାନିକ୍‌ ହିଲିଙ୍ଗ୍‌ ମାଷ୍ଟର୍‌ କୋଆ ଚୋକ୍‌ ସୁଇ। ଏହା ସୂକ୍ଷ୍ମ ଶକ୍ତି ଏବଂ କାନ ଆକ୍ୟୁପଙ୍କ୍‌ଚର୍‌ ନୀତି ଉପରେ ପର୍ଯ୍ୟବେଶିତ। ଏହି ମସ୍ତିଷ୍କ ଯୋଗ ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ। ଏହା ମସ୍ତିଷ୍କ ତୀକ୍ଷ୍ଣ କରାଇବା ସହ ମାନବର ସାମଗ୍ରିକ ଆଚରଣରେ ଧୀରେ ଧୀରେ ପରିବର୍ତ୍ତନ ଘଟାଇବ।

ବ୍ରେନ୍‌ ସୁପର୍‌ ଯୋଗ ଅଭ୍ୟାସ କରିବା ଦ୍ୱାରା ବ୍ୟକ୍ତିର ନିମ୍ନ ଚକ୍ରରୁ ଊର୍ଦ୍ଧ୍ୱ ଚକ୍ରକୁ ଶକ୍ତି ଗତି କରିଥାଏ। ଏହି ଶକ୍ତି ହିଁ ମସ୍ତିଷ୍କର ସାମଗ୍ରିକ ବିକାଶ କରାଇଥାଏ।

ପ୍ରାଚୀନ ଭାରତୀୟ ମୁନିମାନେ ହିଁ କାନ ଏବଂ ଶରୀର ମଧ୍ୟରେ ଯୋଗସୂତ୍ର ରହିଛି ବୋଲି ଜାଣି ପାରିଥିଲେ। ସେମାନେ ଏହାକୁ ଥୋପୁକର୍ଣ୍ଣମ୍‌ କହୁଥିଲେ।

ହିନ୍ଦୁ ପ୍ରଥାରେ ଗଣେଶ ଅନୁଭୂତି, ଜ୍ଞାନ ଏବଂ ବୁଦ୍ଧିର ଦେବାତା ହୋଇଥିବାରୁ ତାଙ୍କ ସାମନାରେ ଥୋପୁକର୍ଣ୍ଣମ୍‌ କରାଯାଏ। ଥୋପକର୍ଣ୍ଣ ଯୋଗ ହେଉଛି ପିଲାଦିନେ କାନ ଧରା ଦଣ୍ଡ ପରି ଦୁଇ କାନକୁ ଧରି ବସିବା।

ଏହି ମସ୍ତିଷ୍କ ଯୋଗ ଅଭ୍ୟାସ କରିବାକୁ ମାତ୍ର ତିନି ମିନିଟ୍‌ ସମୟ ଦେବାକୁ ପଡ଼ିବ। ଏହି ତିନି ମିନିଟିଆ ଯୋଗ ବ୍ୟକ୍ତି ମସ୍ତିଷ୍କର ଦକ୍ଷିଣ ଏବଂ ବାମ ପାର୍ଶ୍ୱ ମଧ୍ୟରେ ସମୁଚିତ ସମନ୍ଵୟ ଆଣିଥାଏ। ବିଶେଷକରି ବଢ଼ନ୍ତା ପିଲାମାନଙ୍କ ପାଇଁ ଏହା ଖୁବ୍‌ ଉପାଦେୟ ହୋଇଥାଏ।

ସମ୍ବନ୍ଧିତ ଖବର