ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ହୃଦ୍‌ରୋଗରୁ ରକ୍ଷା ପାଆନ୍ତୁ

ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ହୃଦ୍‌ଘାତ, ଉଚ୍ଚ ଓ ନିମ୍ନ ରକ୍ତଚାପ ଆଦି ସାଧାରଣ କଥା। ଏହା ଯଦିଓ ବଂଶଗତ, ତଥାପି ନିଜର ଅସୁନ୍ତଳିତ ଜୀବନଶୈଳୀ ଯୋଗୁଁ ମଧ୍ୟ ବ୍ୟକ୍ତି ଠାରେ ଏଭଳି ରୋଗହେବାର ଆଶଙ୍କା ରହିଥାଏ। ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆପଣ ଚାହିଁଲେ ନିଜ ସହ ନିଜ ପରିବାରକୁ ମଧ୍ୟ ହୃଦ୍‌ରୋଗରୁ ରକ୍ଷା କରିପାରିବେ। ଏଥିପାଇଁ ଆପଣାନ୍ତୁ ଏହି ସବୁ ଟିପ୍‌ସ…

– ଅଧିକ କୋଲେଷ୍ଟ୍ରଲ୍‌ ଯୁକ୍ତ ଖାଦ୍ୟ ଯଥା: ଅଣ୍ଡା, ତେଲ, ଘିଅ ଯୁକ୍ତ ଖାଦ୍ୟ ଓ ମିଠା ଇତ୍ୟାଦି କମ୍‌ ଖାଆନ୍ତୁ।

– ଅଧିକ ଲୁଣ ଖାଇବାର ଅଭ୍ୟାସ ପରିତ୍ୟାଗ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶିଶୁ ଠାରେ ମଧ୍ୟ ହୃଦ୍‌ରୋଗ ଦେଖାଯିବ ନାହିଁ।

– ଏଥିସହିତ ଆପଣ ସିଗାରେଟ୍‌ ଓ ମାଦକଦ୍ରବ୍ୟ ସେବନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଯଦି ତା’ସମ୍ଭବ ନୁହେଁ, ତେବେ ଏହାକୁ ହ୍ରାସ କରନ୍ତୁ।

– ପରିବାରର ସମସ୍ତ ସଦସ୍ୟଙ୍କୁ ନିୟମିତ ରୂପେ ବ୍ୟାୟାମ କରିବାର ଅଭ୍ୟାସରେ ଅଭ୍ୟସ୍ତ କରାନ୍ତୁ। ପ୍ରତିଦିନ ସ୍ୱାମୀ, ସ୍ତ୍ରୀ ଓ ପିଲା ସମସ୍ତେ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯିବ ଏବଂ ମାଂସପେଶୀ ସୁଦୃଢ଼ ହେବ।

– ଏତଦ୍‌ବ୍ୟତୀତ ଆଳସ୍ୟ ମଧ୍ୟ ହୃଦ୍‌ଘାତର ଅନ୍ୟ ଏକ କାରଣ। ଠିକ୍‌ ସମୟରେ ସ୍ନାନ କରିବା, ବସି ବସି ଟେଲିଭିଜନ୍‌ ଦେଖିବା, ଘରକାମ କରିବାକୁ ସହାୟକ ଥିଲେ କୌଣସି ପ୍ରକାର କାର୍ଯ୍ୟ ନକରିବା ଭଳି ଅଭ୍ୟାସ ଗୁଡ଼ିକୁ ଛାଡ଼ନ୍ତୁ। ଗୋଟିଏ ଜାଗାରେ ବସି ରହିଲେ ମୋଟାପା ବଢ଼ିବ ଓ ମାଂସପେଶୀ ମଧ୍ୟ ଅକାମୀ ହୋଇଯିବ। ସନ୍ଧ୍ୟାରେ ଟିଭି ଦେଖିବା ଅପେକ୍ଷା ପାର୍କକୁ ଯାଇ ବୁଲାବୁଲି କରନ୍ତୁ। ପିଲାଙ୍କୁ ମଧ୍ୟ ସନ୍ଧ୍ୟାରେ ଖେଳିବାକୁ ପଠାନ୍ତୁ। ବ୍ୟାଡ଼୍‍ମିଣ୍ଟନ୍‌, ଟେବୁଲ୍‌ ଟେନିସ୍‌ ଭଳି ଖେଳକୁ ମଧ୍ୟ ଆପଣ ଖେଳିପାରନ୍ତି। ନିଜେ ବଜାରକୁ ଯାଇ ପନିପରିବା ଓ ଅନ୍ୟାନ୍ୟ ଘର ସମାଗ୍ରୀ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟାୟାମ ବି ହୋଇଯିବ।

– ଅନେକ କ୍ଷେତ୍ରରେ ମାନସିକ ଉତ୍ତେଜନା ବୃଦ୍ଧି ହେବା ଫଳରେ ହୃଦ୍‌ରୋଗ ହୋଇଥାଏ। ଏଣୁ ଯଥାସମ୍ଭବ ଉତ୍ତେଜିତ ନ ହେବା ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ଲାଭପ୍ରଦ। ଏଥିପାଇଁ ବ୍ୟାୟାମ କରିବା ଆବଶ୍ୟକ। ମନେରଖନ୍ତୁ ନିୟମିତ ଭାବେ ବ୍ୟାୟାମ କରିଲେ ଶାରୀରିକ ଓ ମାନସିକ ଉତ୍ତେଜନା ଦୂରୀଭୂତ ହୋଇଥାଏ। ଯୋଗ, ପ୍ରାଣାୟାମ, ଏରୋବିକ୍‌ସ, ଶୀଘ୍ର ଚାଲିବା ଆଦି ଉପାୟରେ ମଧ୍ୟ ଆପଣ ଆପଣଙ୍କର ମାନସିକ ଉତ୍ତେଜନାକୁ ହ୍ରାସ କରିପାରିବେ।

– ନିଜ ଜୀବନଶୈଳୀକୁ ନିୟମିତ କରିବା ସହ ଶୃଙ୍ଖଳିତ ଜୀବନଯାପନ କରିଲେ ଆପଣ ହୃଦ୍‌ରୋଗକୁ ସହଜରେ ହିଁ ଏଡ଼ାଇ ଦେଇପାରିବେ।

ସମ୍ବନ୍ଧିତ ଖବର