୨୦୧୭ରେ ଚିକେନ ବିରିୟାନି ସବୁଠୁ ବେଶୀ ଅର୍ଡର କରାଯାଇଥିବା ଖାଦ୍ୟ

ନୂଆଦିଲ୍ଲୀ: ଆପଣଙ୍କୁ କେଉଁ ଫାଷ୍ଟଫୁଡ ବେଶୀ ପସନ୍ଦ? କେଉଁ ଖାଦ୍ୟ ଲଞ୍ଚ୍‌ ବା ଡିନରରେ ଖାଇବାକୁ ପସନ୍ଦ କରନ୍ତି ? ଅନଲାଇନରେ କ’ଣ ମଗେଇ ଖାଇବାକୁ ଆପଙ୍କ ଇଚ୍ଛା? ଇଣ୍ଡିଆନ, ଚାଇନିଜ୍‌ ଅଥବା ମୋଗଲାଇ ?

ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଅନଲାଇନ ଫୁଡ୍‌ ଅର୍ଡରିଂ ଏଣ୍ଡ ଡେଲିଭରି ପ୍ଲାଟଫର୍ମ ସ୍ୱିଗି ଡଟ୍‌ କମ ଦ୍ୱାରା କରାଯାଇଥିବା ଏକ ସର୍ଭେ । ଏହି ସର୍ଭରେ କେତେକ ଅଜବ ଫଳାଫଳ ମିଳିଛି । ଏହା ଅନୁସାରେ ଭାରତୀୟମାନେ ଅନଲାଇନରେ ଅଧିକ ସର୍ଚ୍ଚ କରୁଥିବା ଖାଦ୍ୟ ଓ ଅଧିକ ଅର୍ଡର କରୁଥିବା ଖାଦ୍ୟ ଅଲଗା ।

୨୦୧୭ରେ ଭାରତୀୟମାନେ ଅନଲାଇନରେ ସର୍ବାଧିକ ସର୍ଚ୍ଚ କରିଥିବା ଖାଦ୍ୟ ହେଉଛି ଇଟାଲିଆନ ଖାଦ୍ୟ ପିଜା । ପିଜା ସଂପର୍କରେ ଅଧିକରୁ ଅଧିକ ଖାଦ୍ୟପ୍ରେମୀ ଜାଣିବାକୁ ଚେଷ୍ଟା କରିଛନ୍ତି । କାରଣ ଏହା ପ୍ରାୟ ୫ ଲକ୍ଷ ଥର ସର୍ଚ୍ଚ ହୋଇଛି । ଏହା ପଛକୁ ରହିଛି ବର୍ଗର, ଚିକେନ, କେକ୍‌ ଓ ମୋମୋ । କିନ୍ତୁ ବୋଧହୁଏ ଲୋକମାନେ ଏଗୁଡ଼ିକୁ ଖାଇବାକୁ ସେତେଟା ପସନ୍ଦ କରିନାହାନ୍ତି । କାରଣ ଭାରତୀୟମାନେ ଲଞ୍ଚ୍‌ ଓ ଡିନର ପାଇଁ ଯେଉଁଖାଦ୍ୟକୁ ସବୁଠାରୁ ଅଧିକ ଅର୍ଡର କରି ଖାଇଛନ୍ତି ( ଅନଲାଇନରେ ବା ଫୋନ ମାଧ୍ୟମରେ) ତାହା ହେଉଛି ବିରିୟାନି ( ଚିକେନ, ମଟନ ଓ ଭେଜ୍‌ ବିରିୟାନିକୁ ମିଶାଇ) । ଏହା ପଛକୁ ରହିଛି ପନିର ବଟର ମସାଲା, ମସାଲା ଦୋସା ଓ ଡାଲ ମଖନି ।

ସେହିପରି ଜଳଖିଆ ପାଇଁ ଅର୍ଡର କରାଯାଇଥିବା ସବୁଠାରୁ ଲୋକପ୍ରିୟ ଖାଦ୍ୟସବୁ କ’ଣ, ବୋଲି ଯଦି ପ୍ରଶ୍ନ କରାଯାଏ ତେବେ ଆପଣ କହିବେ ବୋଧହୁଏ ଆଧୁନିକ ଫାଷ୍ଟଫୁଡ୍‌ । କିନ୍ତୁ ସର୍ଭେରେ ଠିକ ଏହାର ବିପରୀତ ଫଳାଫଳ ବାହାରିଛି । ଲୋକମାନେ ପାରମ୍ପରିକ ଜଳଖିଆ ଯଥା ପାଓଭାଜି, ସାମୋସା, ଆଳୁ ଚିପ୍ସ, ଚିକେନ ରୋଲ ଇତ୍ୟାଦି ମଗାଇ ଅଧିକ ଖାଇଛନ୍ତି । ଏହି ସର୍ଭେଟି ଭାରତର କେତେକ ପ୍ରମୁଖ ସହର ଯଥା ମୁମ୍ବାଇ, ଦିଲ୍ଲୀ, କୋଲକତା, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପୁନେରେ କରାଯାଇଥିଲା ।

ସମ୍ବନ୍ଧିତ ଖବର