ଅଧିକ ବ୍ୟାୟାମ୍‌ ହୋଇପାରେ କ୍ଷତିକାରକ, ଯୋଗାଭ୍ୟାସ କରି ଓଜନ କମାଇବା ନିରାପଦ

ନୂଆଦିଲ୍ଲୀ : ଆଜିକାଲି ମହିଳାମାନେ ନିଜର ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଯେଉଁ ମହିଳାମାନଙ୍କର ଓଜନ ଅଧିକ , ସେମାନେ ତାହାକୁ ହ୍ରାସ କରିବା ଲାଗି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି। କିଏ ଜିମ୍‌ ଯାଏ ତ କିଏ ଡ଼ାଏଟିଂ କରନ୍ତି। କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ମାତ୍ରାଧିକ ବ୍ୟାୟାମ ବା ଡ଼ାଏଟିଂ କରିବା ଫଳରେ ମହିଳାମାନଙ୍କର କିଛି କ୍ଷତି ହୋଇଥାଏ।

ପ୍ରଥମତଃ ଯେଉଁମାନେ କ୍ଷମତା ବାହାରକୁ ଯାଇ ବ୍ୟାୟାମ କରନ୍ତି,ସେହି ମହିଳାମାନଙ୍କର ପ୍ରଜନନ କ୍ଷମତା ଅର୍ଥାତ୍‌ ଗର୍ଭଧାରଣ କରିବାର କ୍ଷମତା ଉପରେ କୁପ୍ରଭାବ ପଡ଼ିଥାଏ। ଏମାନଙ୍କର ମାସିକଧର୍ମ ଜନିତ ସମସ୍ୟା ମଧ୍ୟ ଉପୁଜିଥାଏ। ଖାଲି ସେତିକି ନୁହେଁ, ଏହାଫଳରେ ସେମାନଙ୍କର କାମେଚ୍ଛା ମଧ୍ୟ ହ୍ରାସ ପାଇଥାଏ।

Go Red For Women

ଯେଉଁ ମହିଳାମାନେ ଡ଼ାଏଟିଂ କରି ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି ବା ନିଜକୁ ଫିଟ୍‌ ରଖିବାର ପ୍ରୟାସ କରନ୍ତି, ସେମାନଙ୍କ ଠାରେ କେତେକ ଶାରୀରିକ ସମସ୍ୟା ପରିଲକ୍ଷିତ ହୋଇଥାଏ। ପ୍ରଥମତଃ ସେମାନଙ୍କର ହରମୋନ୍‌ ସନ୍ତୁଳନ ଖରାପ ଆଡ଼କୁ ଗତି କରିଥାଏ। ଯାହା ଫଳରେ ମାସିକଧର୍ମରେ ଅନିୟମିତତା ମଧ୍ୟ ହୋଇଥାଏ। କେତେକଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ରୂପେ ବନ୍ଦ ହେବାର ଆଶଙ୍କା ମଧ୍ୟ ଉପୁଜିଥାଏ।

ଏଣୁ ଯେଉଁ ମହିଳାମାନେ ଡ଼ାଏଟିଂ କରୁଛନ୍ତି,ସେମାନେ ନିୟମିତ ରୂପେ ଆବଶ୍ୟକ ମାତ୍ରାରେ ଫ୍ୟାଟ୍‌ ଖାଇବା ଦରକାର। ତା’ଛଡ଼ା ୩୦ ବା ୪୦ ମିନିଟ୍‌ ରୁ ଅଧିକ ସମୟ ବ୍ୟାୟାମ କରିବା ଅନୁଚିତ। ଯୋଗାଭ୍ୟାସ କରି ଓଜନ ହ୍ରାସ କରିବା ଡ଼ାଏଟିଂ ଅପେକ୍ଷା ଭଲ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର