ହୋହଲ୍ଲାରେ ସଂସଦ ଅଚଳ : ଆଗତ ହୋଇପାରିଲାନି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଜାରି ରହିଥିବା ହଟ୍ଟଗୋଳ ଯୋଗୁଁ ଆଜି ଦ୍ୱାଦଶ ଦିନ ପାଇଁ ବି ଗୃହକାର୍ଯ୍ୟ ଚାଲିପାରିନାହିଁ। କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ନୋଟିସ ଦେଇଥିବା ଟିଡିପି ଏବଂ ଓ୍ଵାଏସ୍‌ଆର୍‌ କଂଗ୍ରେସ ଏହି ହୋହଲ୍ଲା ଯୋଗୁଁ ଆଜି ଗୃହରେ ପ୍ରସ୍ତାବ ଆଗତ କରିପାରିନାହାନ୍ତି। ଏପରିକି ଇରାକରେ ନିଖୋଜ ଥିବା ୩୯ ଜଣ ଭାରତୀୟଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ହତ୍ୟା କରିଥିବା ଖବର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ଅବଗତ କରୁଥିବା ସମୟରେ ମଧ୍ୟ ବିଭିନ୍ନ ସଦସ୍ୟଙ୍କ ନାରାବାଜି ଥମିନଥିଲା।
ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ସାଂସଦମାନଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ଧୋଇଯାଇଛି।

ଲୋକସଭାରେ କାର୍ଯ୍ୟକାଳ ଆରମ୍ଭ ମାତ୍ରେ କାବେରୀ ଜଳବଣ୍ଟନ ପ୍ରସଙ୍ଗରେ ଏଆଇଏଡିଏମ୍‌କେ ଏବଂ ତେଲେଙ୍ଗାନାର ଟିଆର୍‌ଏସ୍‌ ସାଂସଦମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ କରିଦେଇଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଟିଡିପି ଏବଂ ଓ୍ଵାଏସ୍‌ଆର୍‌ କଂଗ୍ରେସ ସମେତ ଅନ୍ୟେ ବିରୋଧୀ ଦଳର ସାଂସଦମାନେ ପାଟିତୁଣ୍ଡ କରିଥିଲେ। ଏଭଳି ସ୍ଥିତିରେ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ପ୍ରଥମେ ମଧ୍ୟାହ୍ଣ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ଣ ପରେ ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ପୁଣି ସାଂସଦମାନଙ୍କ ହୋହଲ୍ଲା ଜାରି ରହିବାରୁ ଗୃହକୁ ସାରା ଦିନ ପାଇଁ ମୁଲତବୀ କରାଯାଇଥିଲା। ଲୋକସଭାରେ ଶୃଙ୍ଖଳା ବଜାୟ ନରହିବାରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ଆଲୋଚନା ହୋଇପାରିଲାନି ବୋଲି ବାଚସ୍ପତି କହିଥିଲେ।
ସେହିପରି ରାଜ୍ୟସଭାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ସେଠାରେ ମାତ୍ର ଅଧଘଣ୍ଟାଏ ଗୃହକାର୍ଯ୍ୟ ଚାଲିବା ପରେ ଅଧ୍ୟକ୍ଷ ସାରା ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ। ଅବଶ୍ୟ ସେହି ଅଧଘଣ୍ଟା ଭିତରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କ ଆଡୁ ଇରାକରେ ନିଖୋଜ ୩୯ ଜଣ ଭାରତୀଙ୍କ ହତ୍ୟା ସୂଚନା ଦେବା ପରେ ସଦସ୍ୟମାନେ ମୃତକଙ୍କୁ ଶ୍ରଦ୍ଧାଞ୍ଚଳି ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ପାଇଁ ନିରବ ପ୍ରାର୍ଥନାରେ ସମବେତ ହୋଇଥିଲେ। ଉଭୟ ଗୃହରେ ମୁଖ୍ୟତଃ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସାଂସଦମାନଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟରେ ଏପରି ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ଏଥିପାଇଁ ସରକାରଙ୍କୁ ଦାୟୀ କରିଛି।

ସମ୍ବନ୍ଧିତ ଖବର