ଶିଶୁଙ୍କୁ ‘ନା’ କହିବା ମନା; ନିଜ ପିଲାର ଲାଳନପାଳନ ଏପରି କରନ୍ତୁ

ଆପଣଙ୍କ ଘରେ ଯଦି ପିଲାଟିଏ ଥାଏ ତେବେ ଆପଣ ତା’ର କୌତୂକିଆ କାମରେ ସନ୍ତୋଷ ଲାଭ କରିବା ସହ ଏପରି କିଛି କାମରେ ବିରକ୍ତ ଭାବ ବି ପ୍ରକାଶ କରୁଥିବେ ନିଶ୍ଚୟ। ମାତ୍ର ମନେ ରଖନ୍ତୁ, ଆପଣଙ୍କ ବିରକ୍ତ ଭାବ ଆପଣଙ୍କ ପିଲାର ଭବିଷ୍ୟତ ଅନ୍ଧକାରମୟ କରିପାରେ। ପିଲାଟି ନକାରାତ୍କମ ଚିନ୍ତାଧାରାର ହୋଇଯିବାର ସମ୍ଭାବନା ରହିଛି। ଗବେଷକମାନଙ୍କ କହିବା ଅନୁଯାୟୀ, ଦୁଷ୍ଟାମୀ, ନଖରାମୀ ଆଦି ପିଲାଙ୍କ ବଳ ହୋଇଥାଏ। ନିଜର ଭାବ ପ୍ରକାଶ କରିବାର ମାଧ୍ୟମ ହୋଇଥାଏ। ଯେଉଁପିଲା ଦୁଷ୍ଟ ନୁହଁନ୍ତି, ସେମାନେ ଅସାଧାରଣ। ଅର୍ଥାତ ସେମାନଙ୍କର ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ରହିଛି। ଅପଣଙ୍କ ପିଲା ଯଦି ଦୁଷ୍ଟ ହେଉଛନ୍ତି ତେବେ ଆପଣ ବିରକ୍ତ ଭାବ ପ୍ରକାଶ ନକରି ଖୁସି ହୁଅନ୍ତୁ ଯେ ସେ ସଂପୂର୍ଣ୍ଣ ସୁସ୍ଥ ବୋଲି।

ଗବେଷକଙ୍କ କହିବା ଅନୁଯାୟୀ, ଜଣେ ପିଲାକୁ ଦିନ ଭିତରେ ବାପାମାଆ ପ୍ରାୟ ୪୦୦ ଥର ‘ନା’ କହିଥାନ୍ତି। ତେବେ, ଗବେଷଣା କହୁଛି କି ଯେଉଁ ପିଲା ଯେତେ ‘ନାଁ’ ଶବ୍ଦ ଶୁଣେ ସେ ସେତେ ପରିମାଣରେ ଭୟାଳୁ, ଦୁର୍ବଳ ଓ ନକରାତ୍ମକ ହୋଇ ପଡ଼େ। ପିଲାଙ୍କୁ ନାଁ କହିବା କେବେ ବି ଅନୁଶାସନ ନୁହେଁ ବରଂ ତାଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିବାର ଏକ ମାଧ୍ୟମ ବୋଲି ଭାବିପାରନ୍ତି। ପିଲାଙ୍କର ଅବି ଗୁଣ ଛଡ଼ାଇବା ପାଇଁ ଆପଣଙ୍କୁ ରୁକ୍ଷ ନୁହେଁ, କୌଶଳୀ ହେବାକୁ ପଡ଼ିବ। ତାହାଲେ ଯାଇ ଆପଣ ହୋଇପାରିବେ ଉତ୍ତମ ଅଭିଭାବକ।

ବିଶେଷ କରି ପିଲା ଯଦି ୩ ବର୍ଷ ଭିତରେ ହୋଇଥାନ୍ତି ତେବେ ତାଙ୍କ ପାଇଁ ‘ନା’ ଶବ୍ଦ ନିହାତି ଅନାବଶ୍ୟକ। ପିଲାଭିତରେ ଥିବା ସୃଜନଶୀଳତା ଓ ନିଆରା ଚିନ୍ତାଧାରାର ବାଧକ ସାଜେ ‘ନା’। ଏହି ଶବ୍ଦ ପିଲାର ସମସ୍ତ ଦକ୍ଷତାକୁ ଦୁର୍ବଳ କରିପାରେ।

ପିଲା ଯେତେବେ ୧ ବର୍ଷରେ ପାଦ ଦିଏ, ତାକୁ ଲାଗେ କି ମୁଁ ସବୁ କିଛି କରିପାରିବି। ବାପାମାଆମାନେ ତା’ ଭିତରର ସେହି ଟାଣପାଣକୁ ଆଗକୁ ନେବା ଶିଖନ୍ତୁ। ଯଦିଓ ଜଣେ ୧ ବର୍ଷିଅ ପିଲା ବାସ୍ତବରେ ଖୁବ୍‌ ଦୁର୍ବଳ ହୋଇଥାଏ, ମାତ୍ର ତା’ ଭିତରେ ଥିବା ମନ ବଳ କେବେ ବି ଦୁର୍ବଳ ହେବା ଉଚିତ ନୁହେଁ। ସେ ଯଦି ପର୍ବତ ଚଢ଼ିବାର ସାହସ ରଖୁଛି ତେବେ, ଆପଣଙ୍କ କର୍ତ୍ତବ୍ୟ ହେଉଛି ତାକୁ ‘ନା’ ନକହି ଉତ୍ସାହ ଦେବା।

ପାଠ ନପଢ଼ିବା ଭିତରେ ପିଲାଙ୍କୁ ଦଣ୍ଡ ଦେବା କଥା ସ୍ୱପ୍ନରେ କଳ୍ପନା କରିବା ଅନୁଚିତ। ଜନ୍ମରୁ ନେଇ ସ୍କୁଲ୍‌ ଯିବା ପର୍ଯ୍ୟନ୍ତ ପିଲାଟିରେ କେବଳ ସ୍ନେହ, ଶ୍ରଦ୍ଧା ପାଇ ବଢ଼ିବା ଉଚିତ। ତାହାଲେ ଯାଇ ସେ ଯେତେବେଳେ ପ୍ରଥମ କରି ସ୍କୁଲ୍‌ ଯିବ, ନୂଆ ଲୋକଙ୍କ ସହ ମିଶିବ ଆଉ ଭୟ କରିବ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଲାମାନେ ଯେତିକି ଉତ୍ସୁକ ସେତିକି ଅନୁକରଣ ପ୍ରେମୀ। ସେମାନେ କଥା ଶୁଣନ୍ତି ନାହିଁ ମାତ୍ର କାର୍ଯ୍ୟକୁ ଅନୁସରଣ କରିବା ସେମାନଙ୍କର ସଉକ ହୋଇଥାଏ। ତେଣୁ ଆପଣଙ୍କ ପିଲାକୁ ଭଲ ଭାବେ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ ନିଜ କାର୍ଯ୍ୟକୁ ମାର୍ଜିତ କରନ୍ତୁ, ତାହାକୁ ସେ ନିଶ୍ଚୟ ଅନୁକରଣ କରିବେ।

ସମ୍ବନ୍ଧିତ ଖବର