କାହାକୁ କେଉଁ ସବୁ କଥା କହିବେ ନାହିଁ, ଉପୁଜିପାରେ କଳହ!

କଥା କହିବାର ଅଧିକାର ସମସ୍ତଙ୍କର ରହିଛି। ସେହି କଥା ଯଦି ଅନ୍ୟକୁ କଷ୍ଟ ଦିଏ ତେବେ ଆପଣ ଧରିନିଅନ୍ତୁ ଯେ ଆପଣ ଆପଣଙ୍କ ଅଧିକାରର ଦୁରୁପଯୋଗ କରୁଛନ୍ତି। ମୁହଁରୁ ବାହାରୁଥିବା ଏପରିକି ଗୋଟାଏ ଶବ୍ଦ ଏକ ଭଙ୍ଗା ସଂପର୍କକୁ ଯୋଡ଼ି ଦେଇ ପାରେ ତ ପୁଣି କେବେ ଅତି ଉତ୍ତମ ସଂପର୍କକୁ ଭାଙ୍ଗିପାରେ ମଧ୍ୟ। ନିଜର ପ୍ରିୟ ଲୋକଙ୍କ ନିକଟରୁ କଥା ଲୁଚାଇ ରଖିବା ଆଦୌ ଭଲ ଲୋକର ପରିଚୟ ନୁହେଁ। ମାତ୍ର କଥା କହିବା ବେଳେ ସଚେତନ ନରହିବା ବି ବୋକାମୀ। ସମସ୍ତଙ୍କ ସମ୍ମୁଖରେ ସବୁ କଥା କୁହନ୍ତୁ ନାହିଁ। ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିମ୍ନରେ ଉଲ୍ଲେଖ କରାଯାଇଛି କାହା ଆଗରେ କିପରି କଥା କହିବେ ନାହିଁ।

-ସ୍ତ୍ରୀଲୋକମାନେ ନିଜ ଶ୍ୱଶୁର ଘର ଲୋକଙ୍କ ଆଗରେ ବେଶି ବାପ ଘର କଥା କୁହନ୍ତୁ ନାହିଁ। ବାପଘରର ବଡ଼ାଣିଆ କଥା ହେଉ କିମ୍ବା ଦୁର୍ବଳତା ହେଉ କୌଣସି ଭାବପ୍ରବଣତାରେ ଆସି ସବୁ କିଛି ଗପି ଦବାଟା ଏକ ରକମର ବୋକାମୀ। ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ଏଥିପାଇଁ ହଇରାଣ ହୋଇପାରନ୍ତି। ସେହିପରି ପୁରୁଷମାନେ ମଧ୍ୟ ପତ୍ନୀଙ୍କ ସମ୍ମୁଖରେ ଅନ୍ୟ କେଉଁ ନାରୀର ପ୍ରଶଂସା କିମ୍ବା ପତ୍ନୀଙ୍କୁ ନୀଚା ଦେଖାଇବା ପରି କିଛି କଥା କୁହନ୍ତୁ ନାହିଁ।

– କର୍ମଜୀବୀମାନେ ଅଫିସ୍‌ କର୍ମଚାରୀ କିମ୍ବା ଉପରସ୍ଥ ଅଧିକାରୀଙ୍କ ସମ୍ମୁଖରେ କୌଣସି ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ। ଶୁଣିବା ସମୟରେ କେହି ହୁଏତ ଆପଣଙ୍କୁ ସମବେଦନା ଦେଖାଇ ପାରନ୍ତି ନଚେତ ଆପଣଙ୍କ କଥା ଶୁଣି ଉପଭୋଗ କରୁଛନ୍ତି ବୋଲି କହିପାରନ୍ତି। ମାତ୍ର ପରବର୍ତ୍ତୀ କୌଣସି ଦୁର୍ବଳ ମୁହୂର୍ତ୍ତରେ ସେହି କଥାକୁ ନେଇ ସେ ଆପଣଙ୍କୁ ଆଘାତ ଦେଇପାରନ୍ତି।

-ଅଫିସ୍‌ କର୍ମଚାରୀଙ୍କ ସମ୍ମୁଖରେ ବ୍ୟକ୍ତିଗତ କଥା କହିବେ ନାହିଁ ପରିବାରରେ ମଧ୍ୟ ସେହିପରି ଅଫିସ୍‌ କଥା ଗପିବା ଅନୁଚିତ। ଅଫିସ୍‌ ସଂପର୍କିତ ସବୁ ଟିକ୍‌ ନିକ୍‌ କଥା କହିବା ଦ୍ୱାରା ହୁଏତ ପରିବାର ଲୋକ ଆପଣଙ୍କ ଅସୁବିଧା ପାଇଁ ଚିନ୍ତିତ ହୋଇପାରନ୍ତି ଅଥବା ଆପଣଙ୍କ ଦୁର୍ବଳତା ସଂପର୍କରେ ଅନୁମାନ ଲଗାଇପାରନ୍ତି।

-ମହିଳାମାନେ ଶାଶୂ-ଶ୍ୱଶୁର କହିଥିବା ସମସ୍ତ କଟୁ କଥା ସ୍ୱାମୀଙ୍କୁ କୁହନ୍ତୁ ନାହିଁ। ପରିବାର ମଧ୍ୟ ମନାନ୍ତର-ମତାନ୍ତର ଏକ ସ୍ୱଭାବିକ କଥା। ମାତ୍ର ମନେ ରଖନ୍ତୁ ନିଜ ଶ୍ୱାଶୂ-ଶ୍ୱଶୁରଙ୍କର କୌଣସି କଥା ଯଦି ଆପଣଙ୍କୁ କଷ୍ଟ ଦେଇଥାଏ ଆପଣ ସେ ସଂପର୍କରେ ଯାହାଙ୍କ ଆଗରେ କହିବେ ସେ ବ୍ୟକ୍ତି ଜଣଙ୍କ ସେମାନଙ୍କ ପୁଅ। ବାପା-ମାଆଙ୍କ ବିରୋଧରେ କିଛି ବି କଥା ଶୁଣିବାକୁ କୌଣସି ପୁଅ ପସନ୍ଦ କରନ୍ତି ନାହିଁ। ଆପଣଙ୍କ ସ୍ୱାମୀ ଆପଣଙ୍କ ବୁଦ୍ଧିହୀନ କାର୍ଯ୍ୟ ପାଇଁ ଦୁଃଖି ହୋଇପାରନ୍ତି।

-କେବଳ ବୋହୂମାନେ କାହିଁକି ଶଶୁରଘର ଲୋକ ବି ଏ ନେଇ ସଚେତନ ହେବା ଆବଶ୍ୟକ। ଆପଣ ନିଜ କୂଳବଧୂଙ୍କୁ ଅନ୍ୟ କାହାର ବୋହୂ ସହ ତୁଳନା କରନ୍ତୁ ନାହିଁ। ବୋହୂଙ୍କର କୌଣସି ତ୍ରୁଟି ପାଇଁ ତାଙ୍କ ବାପ ଘର ଲୋକଙ୍କୁ ଖୁଣ୍ଟା ଦିଅନ୍ତୁ ନାହିଁ। ସମସ୍ତେ କହନ୍ତି ବୋହୂଙ୍କୁ ଝିଅ ପରି ଦେଖିବା ଉଚିତ। ମାତ୍ର ମନେ ରଖନ୍ତୁ, ଝିଅକୁ କହିପାରୁଥିବା ସମସ୍ତ କଥା ବୋହୂଙ୍କୁ କୁହନ୍ତୁ ନାହିଁ। ବୋହୂର ଦୋଷ ଦେଖି ତାଙ୍କୁ ସୁଧାରିବାକୁ କହୁଥିବା ବେଳେ ସତର୍କ ରୁହନ୍ତୁ। ଆପଣଙ୍କ ବୁଝାଇ କହିବା ଶୈଳୀରେ ସେ ଆଘାତ ପାଉନାହାନ୍ତି ତ! ସଚେତନ ହୁଅନ୍ତୁ।

ସମ୍ବନ୍ଧିତ ଖବର