ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଦାନ୍ତ ଘଷୁଛନ୍ତି କି? ଅପେକ୍ଷା କରନ୍ତୁ ଘଣ୍ଟାଏ

ଏମିତି ଅନେକ ଅଛନ୍ତି, ଯେଉଁମାନେ ଦିନରେ ଏକାଧିକ ଥର ଦାନ୍ତ ଘଷନ୍ତି। ଖାଇ ସାରିବା ମାତ୍ରକେ ଦାନ୍ତ ନ ଘଷିଲେ ସେମାନଙ୍କୁ ଭଲ ଲାଗେନାହିଁ। ଚକ୍‌ଲେଟ୍‌, ମିଠା, ମୃଦୁ ପାନୀୟ ଆଦି ଖାଇଲେ-ପିଇଲେ ସଙ୍ଗେସଙ୍ଗେ ଦାନ୍ତ ଘଷନ୍ତି। ତେବେ, ଏହା କ୍ଷତିକାରକ ବୋଲି କହନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର ‘ଆକାଡେମି ଅଫ୍‌ ଜେନେରାଲ୍‌ ଡେଣ୍ଟିଷ୍ଟ୍ରି’ର ସଭାପତି ଡ. ହାଓ୍ଵାଡ୍‌ର୍ ଗାମ୍ବଲ୍‌। ଅମ୍ଳାଂଶ ଅଧିକ ଥିବା ଖାଦ୍ୟ ବା ପାନୀୟ ଗ୍ରହଣ କରିବା ପରେ ପରେ ଦାନ୍ତ ଘଷିବା ଦ୍ଵାରା କୌଣସି ଲାଭ ହେବା ବଦଳରେ କ୍ଷତି ହିଁ ହୋଇଥାଏ। ଅମ୍ଳଯୁକ୍ତ ଖାଦ୍ୟ ବା ପାନୀୟ ଗ୍ରହଣ କରିବା ପରେ, ସେଥିରେ ଥିବା ଅମ୍ଳାଂଶ ଦନ୍ତବଳ୍କ ବା ଏନାମେଲ୍‌ ଓ ଦନ୍ତମଜ୍ଜା ବା ଡେଣ୍ଟାଇନ୍‌ରେ ଲାଖିରହି ଜାରଣ ଆରମ୍ଭ କରେ। ଆଉ ଏହି ସମୟରେ ଦାନ୍ତ ଘଷିଲେ, ଜାରଣ ପ୍ରକ୍ରିୟା ତ୍ଵରାନ୍ଵିତ ହୁଏ। ଦନ୍ତବଳ୍କ ଓ ଦନ୍ତମଜ୍ଜା ଭିତରେ ଅମ୍ଳ ଶୀଘ୍ର ଶୀଘ୍ର ପଶି ଗଭୀରକୁ ଯାଏ। ତେଣୁ, ଦିନରେ ବାରମ୍ବାର ଦାନ୍ତ ଘଷିବା ଅନୁଚିତ। ଭୋଜନର ଅନ୍ୟୂନ ଏକ ଘଣ୍ଟା ପରେ ଦାନ୍ତ ଘଷାଯାଇପାରେ। ନ ହେଲେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସମ୍ବନ୍ଧିତ ଖବର