ବ୍ୟାକ୍ଟେରିଆ ବା ଅଣୁଜୀବଙ୍କ ବିନା ଜୀବନ ଧାରଣ ସମ୍ଭବପର ନୁହେଁ। ଏମାନେ ଜୀବ ଶରୀର ପାଇଁ ଅଶେଷ ଉପକାର କରନ୍ତି। କିନ୍ତୁ, ଏଇ ଉପକାର ସାଧନ କରିବା ସମୟରେ ସେମାନେ ଯେଉଁ ବିଷ ସୃଷ୍ଟି କରନ୍ତି, ତାହା କ୍ରମେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ମଝିରେ ମଝିରେ ଦେହରୁ ବ୍ୟାକ୍ଟେରିଆ ଜାତ ବିଷ ନିଷ୍କାସନ କରିବା ବିଧେୟ। ଏଥିପାଇଁ କେତେକ ପାନୀୟ ରହିଛି।
ଦେହରୁ ବ୍ୟାକ୍ଟେରିଆ ବିଷ ସଫା କରିବାର ଦୁଇ ଦିନ ଆଗରୁ ମାଂସ, ଅଣ୍ଡା ଓ ମାଛ ପ୍ରଭୃତି ଖାଆନ୍ତୁ ନାହିଁ। ପ୍ରାୟ ତିନି ଦିନ ଧରି ଏହି ସବୁ ପାନୀୟ ଗ୍ରହଣ କଲେ ଦେହରୁ ବ୍ୟାକ୍ଟେରିଆ ବିଷ ନିଷ୍କାସିତ ହୋଇ ପାରିବ।
କାଗେଜି ପାଣି: ଖାଲି ପେଟରେ ୨ ଗ୍ଲାସ କାଗେଜି ପାଣି ପିଇବା ଦ୍ୱାରା ଯକୃତରେ ଜମିଥିବା ବିଷ ବାହାରିଯିବା ସହ ହଜମ କ୍ରିୟାର ବେଗ ବଢ଼ିଥାଏ।
ଜଳଖିଆ ସହ ଦେଢ଼ ଗ୍ଲାସ୍ ସପୁରି ରସ: ସକାଳ ଜଳଖିଆ ସହ ଦେଢ଼ ଗ୍ଲାସ୍ ସପୁରି ରସ ପିଅନ୍ତୁ। ଏଥିରେ ବ୍ରୋମିଲେନ୍ ଥିବାରୁ ଖାଦ୍ୟରେ ଥିବା ପୁଷ୍ଟିସାର ଭାଙ୍ଗି ହଜମ କରାଇବାରେ ସାହାଯ୍ୟ କରିଥାଏ। ଏହା କର୍କଟ ରୋଗ ବିରୋଧି ହୋଇଥିବା ବେଳେ ଅନ୍ତନାଳୀ ସଂକ୍ରମଣ ପ୍ରଶମିତ କରେ।
ମଧ୍ୟାହ୍ନ ଭୋଜନ ପୂର୍ବରୁ ଦେଢ଼ ଗ୍ଲାସ୍ ଗାଜର ରସ: ମଧ୍ୟାହ୍ନ ଭୋଜନର ଦୁଇ ଘଣ୍ଟା ପୂର୍ବରୁ ଦେଢ଼ ଗ୍ଲାସ୍ ଗାଜର ରସ ପିଇଲେ ଦେହରୁ ବ୍ୟାକ୍ଟେରିଆ ବିଷ ବାହାରିଯାଏ। ଗାଜର ରସ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଏଥିରେ ଥିବା ଫାଲ୍କାରିନଲ୍ ନାମକ ଉପାଦାନ କର୍କଟ ରୋଗ ପ୍ରତିରୋଧ କରେ। ଗାଜରରେ ତନ୍ତୁଭାଗ ଥିବାରୁ ମାତ୍ରାଧିକ ଏଷ୍ଟ୍ରୋଜେନ୍ ଏବଂ ଅନ୍ୟାନ୍ୟ ହର୍ମୋନ୍ ନିଷ୍କାସନ କରିପକାଏ। ଗାଜରରେ ଥିବା ଭିଟାମିନ୍ ଏ ସୁସ୍ଥ ମ୍ୟୁକସ୍ ମେମ୍ପ୍ରାନ୍ସ୍କୁ ସଂରକ୍ଷିତ କରିବା ସହ ହଜମ ପ୍ରଣାଳୀ ସୁଦୃଢ଼ କରିଥାଏ।
ମଧ୍ୟାହ୍ନ ଭୋଜନରେ ପଟାସିୟମ୍ ଭରା ପାନୀୟ: ଗାଜର, ଜୁଆଣି ଗଛ, ପାଳଙ୍ଗାଦିରୁ ପ୍ରସ୍ତୁତ ପାନୀୟରେ ଅଧିକ ପଟାସିୟମ୍ ଥିବାରୁ ଏହା ଦେହରୁ ବ୍ୟାକ୍ଟେରିଆ ଜାତ ବିଷ କାଢ଼ି ଦିଏ। ମଧ୍ୟାହ୍ନ ଭୋଜନରେ ଏହାକୁ ପିଇଲେ ମାଂସପେଶୀ ଓ ସ୍ନାୟୁ ମଧ୍ୟରେ ସମନ୍ଵୟ ଠିକ୍ ରହେ। ଏଥିରେ ବ୍ୟାପକ ମାଙ୍ଗାନିଜ୍ ଥିବାରୁ ଏହା ଦେହରେ ସଂଯୋଗକାରୀ ଟିସ୍ୟୁ, ହାଡ଼ ଯୌନ ହର୍ମୋନ୍ ବଢ଼ାଇବା ସହ ରକ୍ତ ଜମାଟ ବାନ୍ଧିବା କ୍ରିୟା ତ୍ୱରାନ୍ଵିତ କରିଥାଏ।