ଅଧିକ ଦିନ ବଞ୍ଚିବା ପାଇଁ କେତୋଟି ଅତି ସରଳ ଅଭ୍ୟାସ

ସ୍ୱାସ୍ଥ୍ୟ ଭଲ ରହିଲେ ହିଁ ଜୀବନରେ ସୁଖ ଓ ସନ୍ତୋଷ ମିଳେ; ଆୟୁଷ ଦୀର୍ଘ ହୁଏ। ଦୀର୍ଘାୟୁ ହେବା ପାଇଁ ଲୋଡ଼ା କେତୋଟି ଅଭ୍ୟାସ। ଏଇ ଅଭ୍ୟାସଗୁଡ଼ିକ ମଧ୍ୟରେ ରହିଛି ୭ଟି ଅତି ସରଳ ଅଭ୍ୟାସ। ନୂତନ ଗବେଷଣା ଅନୁସାରେ, ଏଇ ୭ଟି ଅଭ୍ୟାସକୁ ଅକ୍ତିଆର କରିବାକୁ ଅନ୍ୟୂନ ଦୁଇ ମାସ ଲାଗିବ। ଗୋଟିଏ ପରେ ଗୋଟିଏ ଏଇ ସବୁ ଅଭ୍ୟାସକୁ ନିଜ ଦୈନନ୍ଦିନ ଜୀବନର ରୁଟିନ୍‌ରେ ରଖନ୍ତୁ।

ଦୈନିକ ବ୍ୟାୟାମ କରନ୍ତୁ: ସବୁ ସ୍ୱାସ୍ଥ୍ୟ ସମସ୍ୟାର ମୂଳ କାରଣ ହେଲା ଶାରୀରିକ ସ୍ଥାଣୁତା। ଦୀର୍ଘ ସମୟ ଧରି ବସି ରହିଲେ ହୃଦ୍‌ରୋଗ, ମଧୁମେହ, କକର୍ଟ ରୋଗ ଏବଂ ଅକାଳ ମୃତ୍ୟୁ ମାଡ଼ି ଆସେ। ତେଣୁ ଯେ ଯାହାର ସୁବିଧାମତେ ଜିମ୍‌, ଯୋଗ, ଚାଲିବା କିଂବା ଦୌଡ଼ିବା ଆଦି ଶାରୀରିକ ବ୍ୟାୟାମ କରନ୍ତୁ। ବ୍ୟାଡ୍‌ମିଣ୍ଟନ୍‌ କିଂବା ଟେନିସ୍‌ ଭଳି ଖେଳ ବି ଖେଳିଲେ ଚଳିବ।

ଅଧିକ ତନ୍ତୁ ଓ ପୁଷ୍ଟିସାର ଭରା ଜଳଖିଆ ଖାଆନ୍ତୁ: ଲୋକେ କରୁଥିବା ସବୁଠୁ ସାଧାରଣ ଭୁଲ୍‌ ହେଉଛି- ସକାଳେ ଜଳଖିଆ ନ ଖାଇବା। ଜଳଖିଆ ସକାଳୁ ଶରୀରକୁ ବଳ ଦେଉଥିବାରୁ ଏହା ଦିନଯାକର ସବୁଠୁ ବଳି ଗୁରୁତ୍ୱପୂର୍ଣ୍ଣ ଭୋଜନ ଅଟେ। ଏହା ରକ୍ତକୁ ଶର୍କରା ଯୋଗାଇବା ମେଟାବଲିଜ୍‌ମ୍‌ ବଢ଼ାଇବା ସହ ଅନ୍ୟାନ୍ୟ ଅନେକ ଉପକାର କରିଥାଏ। ଯଦି ସକାଳ ଜଳଖିଆ ପାଇଁ ଯଥେଷ୍ଟ ସମୟ ନାହିଁ ଅନ୍ୟୂନ ଅଣ୍ଡା ସ୍ୟାଣ୍ଡ୍‌ଉଇଚ୍‌ରୁ କିଛି ଖାଇ ପକାନ୍ତୁ।

ପ୍ରଚୁର ପାଣି ପିଅନ୍ତୁ: ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଅନ୍ୟ ଏକ ଅଭ୍ୟାସ ହେଉଛି ପ୍ରଚୁର ପାଣି ପିଇବା। ଏହା ଶରୀରର ମେଟାବଲିଜମ୍‌ କରାଇବା ସହ ଚର୍ମର କାନ୍ତି ବଢ଼ାଇବ। ତେଣୁ ଦୈନିକ ୨ରୁ ୩ ଲିଟର୍‌ ପାଣି ପିଅନ୍ତୁ।

ଖାଦ୍ୟ ଗିଳନ୍ତୁ ନାହିଁ; ଚୋବାନ୍ତୁ: ଜଳଖିଆ ହେଉ କି, ମଧ୍ୟାହ୍ନ ଭୋଜନ ହେଉ କି, ରାତ୍ରୀ ଭୋଜନ ହେଉ- ସବୁକୁ ମନ ଲଗାଇ ଖାଆନ୍ତୁ। ତରବରରେ କୌଣସି ଜିନିଷ ଗିଳି ପକାନ୍ତୁ ନାହିଁ। ଭଲ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ। ଚୋବାଇ ଖାଇବା ଦ୍ୱାରା ହଜମ ଭଲ ହୁଏ; ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ତେଣୁ ଖାଇବାରେ ୨୦ ରୁ ୨୫ ମିନିଟ ସମୟ ଦିଅନ୍ତୁ। ଖାଇବା ସମୟରେ ଅନ୍ୟ କୌଣସି କଥା ମୁଣ୍ଡରେ ପୂରାନ୍ତୁ।

ଆରମଦାୟକ ଜୋତା ପିନ୍ଧନ୍ତୁ: ଦିନ ତମାମ ପାଦ ଉପରେ ନିର୍ଭର କରି ମଣିଷ ଧାଁଧପଡ଼ କରେ। ପାଦର ଯତ୍ନ ନିଅନ୍ତୁ। ଉତ୍ତମ ଆରମଦାୟକ ଜୋତାଟିଏ ପିନ୍ଧନ୍ତୁ। ଏହା ଶରୀର ସ୍ଥିତି ଓ ଦକ୍ଷତାକୁ ଠିକ୍‌ ଭାବେ କାମରେ ଲଗାଇବ; ମିଜାଜ୍‌ ମଧ୍ୟ ଭଲ ରଖିବ।

ରାତିରେ ଦାନ୍ତ ଘଷନ୍ତୁ: ପଳଖା, ପୋକଖିଆ ଓ ମୁଖ ସଙ୍କ୍ରମଣ ଏଡ଼ାଇବା ନିମନ୍ତେ ପ୍ରତ୍ୟେକ ଥର ଖାଇ ସାରିବା ପରେ ଦାନ୍ତ ଘଷନ୍ତୁ। ଯଦି ତାହା ସମ୍ଭବ ହେଉନାହିଁ, ରାତିରେ ଶୋଇବାକୁ ଯିବା ପୂର୍ବରୁ ଦାନ୍ତ ଘଷନ୍ତୁ। ପ୍ରତି ୩ ମାସରେ ଥରେ ବ୍ରସ୍‌ ବଦଳାନ୍ତୁ।

ଦୈନିକ ୭ ରୁ ୮ ଘଣ୍ଟା ଶୟନ କରନ୍ତୁ: ସୁଖନିଦ୍ରା କେବଳ ମନ, ଶରୀର ଓ ମିଜାଜ୍‌ ପାଇଁ ଉପକାର କରେ ନାହିଁ, ଏହା ବାତୁଳତା, ହୃଦ୍‌ରୋଗ ଏବଂ ଅକାଳ ମୃତ୍ୟୁ ଦୂରାଏ।

ସମ୍ବନ୍ଧିତ ଖବର