ଜାଣନ୍ତୁ ସେଲିବ୍ରିଟିମାନେ କେମିତି ରହୁଛନ୍ତି ଫିଟ୍‌; କ’ଣ ରହିଛି ସେମାନଙ୍କ ଫିଟ୍‌ନେସ୍‌ ମନ୍ତ୍ର

ବଲିଉଡ୍‌ରେ ଫିଟ୍‌ ଅଭିନେତାଙ୍କ ମଧ୍ୟରେ ଅକ୍ଷୟ କୁମାର ଅନ୍ୟତମ। ଅଭିନୟ ସହ ତାଙ୍କର ମସଲ୍‌ସଯୁକ୍ତ ଚେହେରା ପାଇଁ ସେ ଯେ ବେଶ୍‌ ପରିଚିତ ଏକଥା ସିନେ ଦର୍ଶକମାନେ ଭଲ ଭାବେ ଜାଣନ୍ତି। କେତେକ ତ ତାଙ୍କୁ ଫିଟ୍‌ନେସ୍‌ ଆଇଡଲ୍‌ ଭାବେ ଗ୍ରହଣ କରନ୍ତି। ୧୯୯୦ରେ ସିନେ କ୍ୟାରିୟର୍‌ ଆରମ୍ଭ କରିବା ବେଳକୁ ସେ ମାର୍ଶଲ ଆର୍ଟସ୍‌ ଏକ୍‌ସପର୍ଟ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ଅକ୍ଷୟ କୁମାର ସ୍ୱୀକାର କରନ୍ତି ଯେ କେବଳ ବ୍ୟାୟାମ ନୁହେଁ ହେଲ୍‌ଦି ଡାଏଟ୍‌ ବା ଉତ୍ତମ ଖାଦ୍ୟାଭ୍ୟାସ ତାଙ୍କୁ ଫିଟ୍‌ ରଖିବାରେ ସହାୟକ ହୋଇଛି। ତାଙ୍କର ଏବେ କେହି ଫିଟ୍‌ନେସ୍‌ ତାଲିମଦାତା ନାହାନ୍ତି। ଯାହା କିଛି ସେ କରନ୍ତି ନିଜେ କରନ୍ତି ଏବଂ ମନଦେଇ କରନ୍ତି। ପ୍ରତିଦିନ ଯଥାସମ୍ଭବ ପ୍ରାକୃତିକ ଉପାୟରେ ସେ ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତି। ସେ ଫ୍ରିଷ୍ଟାଇଲ୍‌ ଓ୍ଵାର୍କଆଉଟ୍‌, ଫଙ୍କ୍‌ସନାଲ ଟ୍ରେନିଂ, ରକ୍‌ କ୍ଲାଇମ୍ବିଂ ଏବଂ ବାସ୍କେଟ୍‌ ବଲ୍‌ ପରି ଖେଳକୁ ପସନ୍ଦ କରନ୍ତି। ଅକ୍ଷୟ କୁହନ୍ତି, ‘‘ମୁଁ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଏ। ପେଟପୂରା ବ୍ରେକ୍‌ଫାଷ୍ଟ୍‍ ସହ ଦିନ ଆରମ୍ଭ କରେ। ଏଥିରେ ଅଣ୍ଡା,ପରାଟା, ଜୁସ୍‌ କିମ୍ବା ମିଲ୍‌କସେକ୍‌ ନିଏ। ଦି ପହରେ ଭାତ, ଡାଲି, ରୁଟି, ସବୁଜ ପନିପରିବାର ତରକାରି ମୋର ପସନ୍ଦ। ସୁପ୍‌, ସାଲାଡ୍‌ ପରି ହାଲ୍‌କା ଖାଦ୍ୟ ଡିନର ପାଇଁ ଯଥେଷ୍ଟ। ଯଦି ଏହା ମଝିରେ ମୋତେ ଭୋକ ଲାଗେ ତେବେ ଡ୍ରାଏ ଫ୍ରୁଟ୍‌ସରେ ଚଳାଇ ନିଏ। କଫି ଏବଂ ଚା’ ମୋର ପସନ୍ଦ ନୁହେଁ। ମିଠା ମୋର ପସନ୍ଦ। ତେବେ ସବୁଦିନ ଖାଏନି। କେବଳ ରବିବାର ଦିନ ମିଠାଖାଏ। ଖାଦ୍ୟପେୟ ପ୍ରତି ମୁଁ ଟିକେ ସଚେତନ। ମଝିରେ ମଝିରେ ଅଁଳାରସ ପିଇନିଏ। ଅକ୍ଷୟଙ୍କ ରୁଲ୍‌ବୁକ୍‌ର ଆଉକିଛି ଫିଟ୍‌ନେସ୍‌ ସୂତ୍ର ଏବେ ଜାଣନ୍ତୁ।


– ସନ୍ଧ୍ୟା ସାଢ଼େ ଛ’ଟା ପରେ କିଛି ଖାଆନ୍ତୁ ନାହିଁ। ନିଜର ପେଟକୁ ଆରାମ ଦିଅନ୍ତୁ। ଖାଦ୍ୟ ହଜମ ହେବାକୁ ଚାରି ପାଞ୍ଚଘଣ୍ଟା ଲାଗିଥାଏ। ଏଥିପାଇଁ ଶୀଘ୍ର ଖାଇ ନିଅନ୍ତୁ।
– ପ୍ରୋଟିନ୍‌ ସେକ୍‌ ଉପରେ ଆଦୌ ଭରସା କରନ୍ତୁ ନାହିଁ। କାରଣ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦୀର୍ଘ ସମୟ ଧରି ରହିଥାଏ।
– ରାତିରେ ଶୀଘ୍ର ଶୁଅନ୍ତୁ ଏବଂ ସକାଳେ ଶୀଘ୍ର ଉଠନ୍ତୁ। ଶରୀର ଯେପରି ଅତ୍ୟଧିକ କ୍ଲାନ୍ତ ନ ହୁଏ ଧ୍ୟାନ ଦିଅନ୍ତୁ।
– ଚିନି ଏବଂ ଲୁଣ ଖାଇବା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯେତେଦୂର ସମ୍ଭବ ଏହାକୁ କମ୍‌ କରିବାକୁ ଚେଷ୍ଟା କରନ୍ତୁ ସୁସ୍ଥ ରହିବେ।
– ପ୍ରତିଦିନ ଅତିକମ୍‌ରେ ଅଧଘଣ୍ଟା ମେଡିଟେସନ୍‌ କରନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ମାନସିକ ଚାପ ହ୍ରାସ ପାଇଥାଏ।
– ପାଖରେ କାଜୁ, ପିସ୍ତା ବା ବାଦାମ କିଛି ରଖନ୍ତୁ। ଭୋକ ଲାଗିଲେ ସେଥିରୁ କିଛି ଖାଇ ନିଅନ୍ତୁ।
– ଦୈନିକ ଚାରିରୁ ପାଞ୍ଚ ଲିଟର ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ।
– ଉତ୍ତମ ଖାଦ୍ୟ ଖାଇବା ସହ ନିଜର ମେଟାବଲିଜିମ୍‌କୁ ଅଧିକ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଫିଟ୍‌ ରହିବା ସହ ଓଜନ ଜନିତ ସମସ୍ୟା ଦୂର ହୋଇଥାଏ। ସାଧାରଣତଃ ଖାଇବା ପରେ କିଛି ତଟକା ଫଳ ଖାଇବା ସହ ଡିନର୍‌ରେ ସୁପ୍‌ ଏବଂ ସାଲାଡ୍‌ ସାମିଲ୍‌ କରନ୍ତୁ। ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ।
– ଖାଦ୍ୟ ପାଟିକୁ ଭଲ ଲାଗୁଛି ବୋଲି ଅଧିକ ଖାଆନ୍ତୁ ନାହିଁ। ଖାଦ୍ୟକୁ ଚୋବାଇ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ।
– ଆପଣ ଯଦି ବ୍ୟାୟାମ କରୁ ନାହାନ୍ତି ତେବେ ପନ୍ଦର-କୋଡ଼ିଏ ମିନିଟ୍‌ ନିୟମିତ ଚାଲନ୍ତୁ। ଶାରୀରିକ ପରିଶ୍ରମ କିଛିଟା ନିହାତି ଆବଶ୍ୟକ, ଏହା ଆଦୌ ଭୁଲନ୍ତୁ ନାହିଁ।

ରେଖାଙ୍କ ଫିଟ୍‌ନେସ୍‌ ଫଣ୍ଡା
ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କୁ ପଞ୍ଚଷଠି ଟପିଲାଣି। ହେଲେ ତାଙ୍କ କଥା ଉଠିଲେ ତାଙ୍କର ସୌନ୍ଦର୍ଯ୍ୟ ଆଉ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚା ହୁଏ। ଏମିତିରେ ରେଖା ନିଜର ଫିଟ୍‌ନେସ୍‌କୁ ନେଇ ଖୁବ୍‌ ସଚେତନ। ରେଖା ଏକ ସାକ୍ଷାତକାରରେ କହିଥିଲେ, ସେ ଯେଉଁଠି ବି ଥିଲେ, ଯୁଆଡ଼େ ବି ଗଲେ ଶୁଦ୍ଧ ନିରାମିଷ ଖାଦ୍ୟକୁ ପସନ୍ଦ କରିଥା’ନ୍ତି। ଫିଟ୍‌ ରହିବା ପାଇଁ ସେ ଯୋଗକୁ ଖୁବ୍‌ ଗୁରୁତ୍ୱ ଦିଅନ୍ତି। ସେ କୁହନ୍ତି ଏହା କେବଳ ଶରୀରକୁ ଫିଟ୍‌ ରଖେ ନାହିଁ, ମନକୁ ମଧ୍ୟ ଶାନ୍ତ ରଖିଥାଏ। କ୍ଲିନ୍‌ଜର, ଟୋନିଂ, ମଶ୍ଚରାଇଜିଂ ଏବଂ ମେକପ୍‌ ରିମୁଭ୍‌ ବ୍ୟତୀତ ରେଖା ଅରୋମାଥେରାପି (ସୁଗନ୍ଧି ଚିକିତ୍ସା) ଏବଂ ସ୍ପା ଟ୍ରିଟ୍‌ମେଣ୍ଟ ମଧ୍ୟ କରିଥା’ନ୍ତି।
ସେହିପରି ରେଖା ନିଜର କେଶର ଯତ୍ନ ପାଇଁ ଦହି, ମହୁ ଏବଂ ଅଣ୍ଡାର ଧଳାଅଂଶକୁ ନେଇ ପ୍ରସ୍ତୁତ କେଶପ୍ୟାକ୍‌କୁ ବ୍ୟବହାର କରିଥା’ନ୍ତି। ସେ ଆଦୌ ହେୟାର ଡ୍ରାୟର ବ୍ୟବହାର କରନ୍ତି ନାହିଁ। ଆହୁରିମଧ୍ୟ କୌଣସି ରାସାୟନିକ ଦ୍ରବ୍ୟ ସେ କେଶରେ ଲଗାନ୍ତି ନାହିଁ। ଆୟୁର୍ବେଦିକ ସାମଗ୍ରୀକୁ ସେ ଗୁରୁତ୍ୱ ଦିଅନ୍ତି। ରେଖା ସାଢ଼େ ସାତଟା ପୂର୍ବରୁ ନିଜର ଖାଦ୍ୟ ଖାଇ ନିଅନ୍ତି। ଏହାଦ୍ୱାରା ସେ ନିଜକୁ ବେଶ୍‌ ହାଲ୍‌କା ଅନୁଭବ କରନ୍ତି। ସେ ତଟକା ଫଳରସ ପିଇବାକୁ ଅଧିକ ପସନ୍ଦ କରନ୍ତି। ଶରୀର ପାଇଁ ଆବଶ୍ୟକ ଯଥେଷ୍ଟ ପାଣି ପିଅନ୍ତି। ସେହିପରି ତଟକା ପନି ପରିବା ମଧ୍ୟ ତାଙ୍କର ପସନ୍ଦ। ଦହି ଏବଂ ସାଲାଡ୍‌ ଖାଇବାକୁ ଆଦୌ ଭୁଲନ୍ତିନି। ରେଖା ଭାତ ଖାଆନ୍ତିନି, ରୁଟି ନିଶ୍ଚୟ ଖାଆନ୍ତି।

ସମ୍ବନ୍ଧିତ ଖବର