ଖଟି ମସ୍ତି ଟେଷ୍ଟି

ଚାଲିଯାଉଥିବା ‌ବେଳେ କେବେ ନିଆଁ ଉପରେ କଡ଼େଇର ଚେଁ ଚେଁ…ଶବ୍ଦ ତ ଆଉ କେବେ ଡ୍ରାଗନ ଚିକେନ୍‌ର ସ୍ବାଦିଷ୍ଟ ମହକ ନିଶ୍ଚେ ଆପଣଙ୍କ ବାଟ ଓଗାଳିଥିବ। ରାସ୍ତାରେ ଯିବା ବେଳେ ଚିକ୍‌ମିକ ଆଲୁଅ ତଳେ ସଜା ହୋଇଥିବା ଚିକେନ୍‌ ସାୱରମା ହୁଏତ ‌ହାତ ଠାରି ଡାକୁଥିବ। ପୁଣି କେବେ କ୍ରିସ୍ପି ଚିଙ୍ଗୁଡ଼ି ବର୍ଗର ବାଟ ଅଟକାଇବାକୁ ବାଧ୍ୟ କରିଥିବ। ହଁ ରାଜଧାନୀରେ ଗଢ଼ି ଉଠିଥିବା ଖାଉ ଗଳି ହିଁ ଆପଣଙ୍କୁ ଏମିତି ଦ୍ବନ୍ଦ୍ବରେ ପକାଉଥିବ। ଚାଇନିଜ୍‌ ହେଉ କି ମେକ୍ସିକାନ୍‌, ଏ‌ବେ ଏସବୁ ପାଇଁ ଆଉ ଷ୍ଟାର୍ ହୋଟେଲ୍‌ କି ରେଷ୍ଟୁରାଣ୍ଟ୍‌ ଲୋଡ଼ା ପଡ଼ୁନାହିଁ। ବରଂ ବିଳକ୍ପ ଭାବେ ଉଭା ହୋଇଛି ଖାଉ ଗଳି। ସଂଜ ନଇଁଲେ ଏବେ ଖାଦ୍ୟ ରଙ୍କୁଣାଙ୍କ ପାଦ ଛୁଟୁଛି ଏହି ଗଳିକୁ। ଅବସରକାଳୀନ ସଂଜରେ ସାଙ୍ଗସାଥୀଙ୍କ ଗହଣରେ ଖାଦ୍ୟର ମଜ୍ଜା ନେବା ସହ ଜମୁଛି ଖଟି.. ମସ୍ତି..

ଉପସ୍ଥାପନା: ସତ୍ୟନାରାୟଣ ରାଉତରାୟ, ଫଟୋ: ସ୍ବଦେଶ ମହାନ୍ତି

ରାମ ମନ୍ଦିରରୁ କିଟ୍‌ ଗଳି

ଶିକ୍ଷାର ହବ୍‌ ପାଲଟିଥିବା ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ସ୍ଥାନ ବିଶେଷରେ ଗଢ଼ି ଉଠିଛି ଖାଉ ଗଳି। କିଟ୍‌ ବିଶ୍ବବିଦ୍ୟାଳୟ ଭଳି ବୃହତ୍‌ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିରେ ରଖି କିଟ୍‌ ରୋଡ୍‌ରେ ଖୋଲିଥିଲା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟର ପସରା। ସେଠାରେ ସଂପ୍ରତି ୧୦୦ରୁ ଊର୍ଧ୍ବ ଖାଦ୍ୟ ପସରା ଖୋଲୁଛି। ବାଣିଜ୍ୟିକ କ୍ଷେତ୍ର ଭାବେ ପରିଚିତ ସହିଦନଗରରେ ମୁଖ୍ୟ ରାସ୍ତାକଡ଼ରେ କିସମ କିସମର ଖାଦ୍ୟ ଉପଲବ୍ଧ ହେଉଛି। ପରେ ଏହି ଧାରାରେ ଯୋଡ଼ି ହୋଇଛି ରାମମନ୍ଦିର ପଛପାର୍ଶ୍ବରେ ଥିବା ଏକ ଗଳି। ରବିବାର ବିଭିନ୍ନ ହଷ୍ଟେଲ୍‌ର ଛାତ୍ରଛାତ୍ରୀ ଏଇଠି ନିଜ ଶିକ୍ଷାନୁଷ୍ଠାନର ବସ୍‌ରୁ ଓହ୍ଲାଇ ମାର୍କେଟିଂ କରିବାକୁ ଯାଆନ୍ତି। ତେଣୁ ସେମାନଙ୍କ ଭିଡ଼କୁ ଦେଖି ‌ଏଠାରେ ଏକ ସ୍ଥାୟୀ ଖାଉ ଗଳିର ଅଭ୍ୟୁଦୟ ହେଲା। ପରେ ଯୋଡ଼ିହେଲା ଶିରିପୁର ଶହେ ଫୁଟିଆ ରୋଡ୍‌। ଉଡ଼ାଜାହାଜ ପଡ଼ିବା ବେଳର ଦୃଶ୍ୟ ଏହି ରାସ୍ତାରୁ ରହି ଦେଖିବାର ସୁଯୋଗ ଥିବାରୁ ଏଠାକୁ ଅନେକ ଏ ଦୃଶ୍ୟ ଦେଖିବା ପାଇଁ ଏବଂ ଅବସର ପାଇଁ ଭିଡ଼ ଜମାନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏଠାରେ କିଛି ଫୁଡ୍ ହ୍ବିଲ୍‌ ଦେଖିବାକୁ ମି‌ଳିଲା। ପରେ ଏଠାରୁ ଏମାନଙ୍କୁ ପ୍ରଶାସନ ହଟାଇବା ପରେ ବ୍ୟବସାୟୀମାନେ ଏକତ୍ର ଏକ ନିର୍ଦିଷ୍ଟ ପଡ଼ିଆରେ ୨୫ରୁ ଅଧିକ ବ୍ୟବସାୟୀଙ୍କ ପସରା ଖୋଲିଛନ୍ତି। ଶିଖରଚଣ୍ଡୀ ଓ ଇନ୍‌ଫୋସିଟି ଛକରେ ଠାଏଠାଏ ନିଜର ‌ଖାଦ୍ୟର ପସରା ଖୋଲିଥିବା ବ୍ୟବସାୟୀଙ୍କୁ ପ୍ରଶାସନ ରାସ୍ତାକଡ଼ରେ ସୁଯୋଗ ନଦେବାରୁ ସେମାନେ ଏଇ ବର୍ଷେ କିଛି ମାସ‌ ହେବ ଇନ୍‌ଫୋସିଟି ରୋଡ୍‌ରେ ଆଉ ଏକ ଖାଉଗଳି ସୃଷ୍ଟି କରିଛନ୍ତି।

ଭ୍ରାମ୍ୟମାଣ ରୋଜଗାର

ସଂପ୍ରତି ସହରର ଟ୍ରାଫିକ୍‌ ସମସ୍ୟା ଏମିତି ରୂପ ଧାରଣ କଲାଣି ଯେ, ରାସ୍ତାକଡ଼ରେ ସମ୍ଭାବନା ଥାଇ ବି ଖାଦ୍ୟ ପସରା ମେଲାଇବାକୁ ଦେଉନି ପ୍ରଶାସନ। ଏ ଧରଣର ସମସ୍ୟାକୁ ଏଡ଼ାଇବା ପାଇଁ ଏବେ ବ୍ୟବସା‌ୟୀମାନେ ଭ୍ରାମ୍ୟମାଣ ରେଷ୍ଟୁରାଣ୍ଟ୍‌ ନେଇ ଏକ ନିର୍ଦିଷ୍ଟ ସ୍ଥାନରେ ପହଞ୍ଚି ପସରା ଖୋଲୁଛନ୍ତି। କୌଣସି ଏକ ନିର୍ଦିଷ୍ଟ ଯାନରେ ଏହି ରେଷ୍ଟୁରାଣ୍ଟ ସବୁବେଳେ ସନ୍ଧ୍ୟାରେ ଆସି ପହଞ୍ଚୁଛି। ଗଳି ସ୍ଥାନରେ ଏକାଠି ଏସବୁ ଖୋଲିଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିବାର କୌଣସି ଆଶଙ୍କା ମଧ୍ୟ ରହୁନାହିଁ। ଏହା ଅନେକ ଯୁବକଙ୍କୁ ରୋଜଗାରର ସୁଯୋଗ ଦେଉଛି। କିଛି ମହିଳା ମଧ୍ୟ ଏହି ଧାରାରେ ସାମିଲ୍ ହୋଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସଂପ୍ରତି ଅନ୍‌ଲାଇନ୍‌ରେ ଖାଦ୍ୟ ମଗେଇବାର ଧାରା ଆରମ୍ଭ ହୋଇଯାଇଛି। ଏହା ଜରିଆରେ ଜଣେ ନିଜ ପସନ୍ଦର ଖାଦ୍ୟ କୌଣସି ନିର୍ଦିଷ୍ଟ ସ୍ଥାନରୁ ମଗାଇବାର ସୁବିଧା ରହୁଛି। ତେବେ ଦେଖା ଦେଇଛି ଜୋମାଟୋ, ସ୍ବିଗି, ଉବେର ଇଟ୍‌ସ ଭଳି ଅନ୍‌ଲାଇନ୍‌ ଖାଦ୍ୟ ଯୋଗାଣ ସଂସ୍ଥା ଏଇ ଖାଉ ଗଳିରୁ ହିଁ ଖାଦ୍ୟ ‌ନେଉଛନ୍ତି।

ହଟ୍‌ ୱିଙ୍ଗ୍‌ସରୁ ଚିକେନ୍‌ ଲଲିପପ୍‌

ଆମିଷ ହେଉ ଅବା ନିରାମିଷ। ଦିନେ ରେଷ୍ଟୁରାଣ୍ଟ୍‌ ଅବା ତାରକା ହୋଟେଲ୍‌ର ମେନୁ ଦେଖି ଖାଦ୍ୟ ମଗେଇବାକ ପଡ଼ୁଥିବା ବେଳେ ଏବେ ଷ୍ଟ୍ରିଟ୍‌ କଡ଼ରେ ଲମ୍ବା ମେନୁ ଖଞ୍ଜାଯାଇଛି। ରେଡ୍‌ ସସ୍‌ ପାସ୍ତା, ଭେଜ୍‌ କମ୍ବୋ, ପନିର ବାର୍ବିକ୍‌, କ୍ରିସ୍ପି ବେବି କର୍ଣ୍ଣ, ପନିର କୁରକୁରେ, ଆମେରିକାନ ଚପ୍‌ସୁଇ, ବେବିକର୍ଣ୍ଣ ଷ୍ଟିକ୍‌ ସମେତ ଗୁପ୍‌ଚୁପ୍‌ ଓ ଚାଟ୍‌ ଉପଲବ୍ଧ ହେଉଛି। ଏଥିସହ ବ୍ରାଉନିଜ୍‌, ମକ୍‌ଟେଲ୍‌ସ ଓ ସେକ୍‌ର ମଧ୍ୟ ଚାହିଦା ରହୁଛି। ପାସ୍ତା, ବର୍ଗର, ତନ୍ଦୁରରେ ଚିକେନ୍‌ର ସ୍ବାଦ ନେବାକୁ ଉତ୍ସୁକତା ଦେଖିବାକୁ ମିଳୁଛି। ଚିକେନ୍‌ ଟିକା, ଚିକେନ୍‌ ସାଲାଡ୍‌, କ୍ରିସ୍ପି ଚିକେନ୍‌ ବର୍ଗର, ପ୍ରନ୍‌ ବର୍ଗର, ପ୍ରନ୍‌ ଓ ଚିକେନ୍‌ ସାଣ୍ଡ୍‌ୱିଚ୍, ଚିକେନ୍‌ ପାସ୍ତା, ଚିକେନ୍‌ ସାୱରମା, ଟାଙ୍ଗ୍‌ରି କବାବ, ହରିୟାଲି କବାବ୍‌ ସାଙ୍ଗକୁ ଚିକେନ୍‌, ଚିଙ୍ଗୁଡ଼ି ଓ ମଟନ୍‌ରେ ପ୍ରସ୍ତୁତ ଖାଦ୍ୟ ଉପଲବ୍ଧ ହେଉଛି। ଚାଇନିଜ୍‌ଠୁ ନେଇ ମେକ୍ସିକାନ୍‌ ଏବଂ ଇଟାଲିଆନ୍‌ଠୁ ନେଇ ଆମେରିକାନ୍‌ ଖାଦ୍ୟର ମଜା ଚଖାଉଛି ଏହି ଖାଉ ଗଳି।

ସମ୍ବନ୍ଧିତ ଖବର