ଷ୍ଟ୍ରେଟ୍‌ନିଂ ମାୟାରେ ବାୟା : ରାଜଧାନୀର ସ୍ମାର୍ଟ ଫ୍ୟାସନରେ ଯୋଡ଼ି ହୋଇଛି ହେୟାର ଷ୍ଟ୍ରେଟନିଂ ଟ୍ରିଟ୍‌ମେଣ୍ଟ୍‌

କଥାରେ ଅଛି ନାରୀଟିଏ ପୁରୁଷକୁ ଆକର୍ଷିତ କରିବାକୁ ନୁହେଁ, ବରଂ ଅନ୍ୟ ଜଣେ ନାରୀଠାରୁ ନିଜକୁ ଅଧିକ ସୁନ୍ଦର ‌ଦେଖାଇବାକୁ ସଜେଇ ହୋଇଥାଏ। ଭିଡ଼ ଭିତରେ ନିଜକୁ ଭିନ୍ନ ଭାବେ ଉପସ୍ଥାପିତ କରିବାକୁୁ ରୂପଚର୍ଯ୍ୟାକୁ ନେଇ ବହୁ ପରୀକ୍ଷାନିରୀକ୍ଷା କରେ। ନିଜକୁ ଅନ୍ୟ ସହ ତୁଳନା କରେ। ଯେଉଁ ନାରୀର ସିଧା କେଶ ସେ ଆଉ କାହାର କୁଞ୍ଚକୁଞ୍ଚିଆ କେଶକୁ ନେଇ ତୁଳନା କରେ। ପୁଣି ଯାହାର ତରଙ୍ଗାୟିତ କିମ୍ବା କୁଞ୍ଚକୁଞ୍ଚିଆ ତାକୁ ଅନ୍ୟ ଜଣେ ନାରୀର ସିଧା କେଶ ଦେଖି ଈର୍ଷା ହୁଏ। କିନ୍ତୁ ଏସବୁର ସମାଧାନ ସ୍ବରୂପ ରାଜଧାନୀର ସ୍ମାର୍ଟ ଫ୍ୟାସନରେ ଯୋଡ଼ି ହୋଇଛି ହେୟାର ଷ୍ଟ୍ରେଟନିଂ, ସ୍ମୁଥିଂ ଓ ରିବଣ୍ଡିଂ। ସିଧା କେଶକୁ ମଧ୍ୟ ପମିଂ ମାଧ୍ୟମରେ କୁଞ୍ଚକୁଞ୍ଚିଆ କରାଯାଉଛି। ତେବେ ଏସବୁ କ’ଣ ଓ ଏହାର ଚାହିଦା ରାଜଧାନୀରେ କେମିତି, ଏସବୁକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ରିପୋର୍ଟ: ସସ୍ମିତା ସାହୁ

କେଶ ଦେଖି ଟ୍ରିଟ୍‌ମେଣ୍ଟ୍‌ କରାଯାଉଛି

ବାହାରେ ହେୟାର୍‌ ଷ୍ଟ୍ରେଟ୍‌ନିଂ କହିଲେ, ଲୋକେ ଗୋଟିଏ ଟ୍ରିଟ୍‌ମେଣ୍ଟ୍‌ ବୁଝୁଥିବା ବେଳେ ଭୁବନେଶ୍ବରର ଅତ୍ୟାଧିୁନିକ ପାର୍ଲର ଗ୍ରାହକଙ୍କ କେଶ ଅନୁଯାୟୀ ଟ୍ରିଟ୍‌ମେଣ୍ଟ୍‌ ଯୋଗାଇ ଦେଉଛନ୍ତି। ପ୍ରାୟ ୩ ପ୍ରକାରରର ଟ୍ରିଟ୍‌ମେଣ୍ଟ୍‌ ଉପଲବ୍ଧ ହେଉଛି। ହେୟାର ରିବଣ୍ଡିଂ, ସ୍ମୁଥ୍‌ନିଂ ଓ କେରାଟିନ୍‌। ରିବଣ୍ଡିଂର ଅର୍ଥ ହେଉଛି ‌େକଶର ପ୍ରାକୃତିକ ବଣ୍ଡକୁ ପରିବର୍ତିତ କରି ପୁଣି ଥରେ ସଜାଡ଼ିବା। କେଶ ପ୍ରାକୃତିକ ଭାବେ ତରଙ୍ଗାୟିତ କିମ୍ବା କୁଞ୍ଚକୁଞ୍ଚିଆ ହୋଇଥିଲେ ରସାୟନର ପ୍ରୟୋଗରେ ସେହି ରସାୟନ ବଣ୍ଡକୁ ଭାଙ୍ଗି ସିଧା କରାଯାଏ। ଏହି ‘ରିବଣ୍ଡିଂ ଟ୍ରିଟ୍‌ମେଣ୍ଟ୍‌’ରେ କେଶରେ କୌଣସି କୁଞ୍ଚପଣ ରୁହେ ନାହିଁ। କେଶ ୧୦୦% ସିଧା ହୋଇଯାଏ। ଯାହାକି ଏକ କୃତ୍ରିମ ଲୁକ୍‌ ଦେଇଥାଏ। କିନ୍ତୁ ‘ସ୍ମୁଥ୍‌ନିଂ ଟ୍ରିଟ୍‌ମେଣ୍ଟ୍‌’ରେ କେଶକୁ ଅଧିକ ସ୍ମୁଥ୍ ଓ ସିଲ୍କ କରାଯାଇଥାଏ। ଏଥିରେ କେଶ ୭୫% ସିଧା ହୋଇଥାଏ ଓ ଏହା ଏକ ପ୍ରାକୃତିକ ଲୁକ୍‌ ଦେଇଥାଏ। ସେହିପରି କେରାଟିନ୍‌ ଟ୍ରିଟ୍‌ମେଣ୍ଟ୍ ହେଉଛି ଏକ ପ୍ରୋଟିନ୍‌ ଟ୍ରିଟ୍‌ମେଣ୍ଟ୍‌। ପ୍ରୋଟିନ୍‌ କମ୍ପୋଜିଟ୍‌ କେଶ ବଢ଼ିବାରେ ସାହାଯ୍ୟ କରୁଥିବା ବେଳେ କେରାଟିନ୍‌ ଟ୍ରିଟ୍‌ମେଣ୍ଟ୍‌ରେ କେଶ ଉପରେ ପ୍ରୋଟିନର ଏକ ମୋଟା ଆସ୍ତରଣ ଦିଆଯାଇଥାଏ। ଫଳରେ ଏହା କେଶର ଶୁଷ୍କତାକୁ ହଟାଇ ଏକ ସ୍ମୁଥ୍‌, ସାଇନ୍‌ ଲୁକ୍‌ ଦିଏ। ଏଥିରେ କେଶ ୩୦-୩୫% ସିଧା ହୋଇଥାଏ। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଲୁକ୍‌ ଦେବା ସହ କେଶରେ ରସାୟନ ବ୍ୟବହୃତ ହେବା ଭଳି ଲାଗେ ନାହିଁ।

ଭୁବନେଶ୍ବରରେ ୧୦ ବର୍ଷର ରାଜୁତି

କେଶକୁ ସିଧା, ସୁନ୍ଦର ଓ ସିଲ୍କ କରିବା ଉଦ୍ଦେଶ୍ୟରେ ହେୟାର ଷ୍ଟ୍ରେଟନିଂ କରିବାକୁ ଛୋଟ ଛୋଟ ରୋଲର କିମ୍ବା ‌ଘରୋଇ ଉପାୟରେ କରାଯାଉଥିବା ହେୟାର ଷ୍ଟ୍ରେଟନିଂ ସ୍ବଳ୍ପ ସମୟ ପାଇଁ ରହୁଥିଲା। ସେହି କେଶରେ ପାଣି ପବନ ବାଜିଲେ କେଶ ତାହାର ପୂର୍ବାବସ୍ଥାକୁ ଫେରିଆସୁଥିଲା। ମାତ୍ର ବିଭିନ୍ନ ରସାୟନର ମିଶ୍ରଣ ‌ସ୍ଥାୟୀ ହେୟାର ଷ୍ଟ୍ରେଟନିଂକୁ ସହଜ କରିଛି। ରାଜଧାନୀରେ ଏବେ ଏହି ଷ୍ଟ୍ରେଟ୍‌ନିଂକୁ ‌ଯୁବତୀମାନେ ବେଶି ପସନ୍ଦ କରୁଛନ୍ତି। ତେବେ ଅତ୍ୟଧିକ ରସାୟନ ଓ ତାପର ବ୍ୟବହାର କେଶ ଝଡ଼ିବା, ଅଧାରୁ ଛିଣ୍ଡିଯିବା ଓ ଦୋମୁହାଁ କେଶ ସମସ୍ୟା ଆଦିର କାରଣ ହେଉଛି। ମାତ୍ର ସ୍ମାର୍ଟସିଟିରେ ଆଉ ସେ ସମସ୍ୟା ନାହିଁ। ହିଟ୍‌ ପ୍ରୋଟେକ୍‌ସନ୍‌ ‌ହେୟାର୍‌ ସ୍ପ୍ରେ କିମ୍ବା କେରାଟିନ୍‌ ପ୍ରୋ‌ଟିନ୍‌ର ଏକ ଆସ୍ତରଣ ସହ ଆଇରନ୍‌ ଦେଇ ହେୟାର ଷ୍ଟ୍ରେଟନିଂ କରିବା ପାଇଁ ରାଜଧାନୀର ବିୟୁଟି ପାର୍ଲରମାନଙ୍କରେ ବ୍ୟବସ୍ଥା ହେଲାଣି। ୯୦ ଦଶକର ଆରମ୍ଭ ଆଡ଼କୁ ଏହା ଓଡ଼ିଶାରେ ପ୍ରବେଶ କରିଥିଲେ ବି ଗତ ୧୦ ବର୍ଷ ହେଲା ଭୁବନେଶ୍ବରରେ ଏହା ବେଶ୍‌ ଲୋକପ୍ରିୟତା ହାସଲ କରିଛି ବୋଲି କହିଛନ୍ତି ଇନ୍‌ଷ୍ଟାଇଲା ବିୟୁଟି ସେଲୁନ୍‌ର ହେୟାର ଷ୍ଟାଇଲିଷ୍ଟ ଦିନେଶ କୁମାର।

ସ୍ଥାୟୀ ହେଉଛି ସ୍ମୁଥ୍‌ନିଂ

ରିବଣ୍ଡିଂ‌ ଓ ସ୍ମୁଥ୍‌ନିଂ ପ୍ରାୟ ସ୍ଥାୟୀ ହେଉଛି ବୋଲି ବିୟୁଟି ହେୟାର ସେଲୁନ୍‌ର ହେୟାର ଷ୍ଟାଇଲିଷ୍ଟ୍‌ମାନଙ୍କ ମତ। କେରାଟିନ୍‌ ଟ୍ରିଟ୍‌ମେଣ୍ଟ୍‌ରେ କେଶରେ ପ୍ରୋଟିନ୍‌ ଆସ୍ତରଣ ଦିଆଯାଉଥିବାରୁ ଏହା ୫/୬ ମାସ ରହୁଛି ବୋଲି ଦିନେଶ କହିଛନ୍ତି। ଯଦି ନିୟମିତ ଭାବେ ‌େକହି କେଶ ସାମ୍ପୋ କରୁଥାନ୍ତି ତେବେ ତାହା ୧/୨ ମାସ କେଶରେ ରୁହେ। ଏଣୁ କେରାଟିନ୍‌ କରାଇଲେ ପ୍ରତିଦିନ କେଶ ସାମ୍ପୋ ନ କରି ସପ୍ତାହକୁ ୧/୨ ଥର ସାମ୍ପୋ କରିବାକୁ ଦିନେଶ ପରାମର୍ଶ ଦେଇଛନ୍ତି।

ସଲ୍‌ଫେଟ୍‌ମୁକ୍ତ ସାମ୍ପୋ କରିବାକୁ ପରାମର୍ଶ

ଅନେକଙ୍କ ଧାରଣା କେଶ ସିଧା କଲେ କେଶ ପାଚିବା, ଝଡ଼ିବା ସହ ନଷ୍ଟ ହୋଇଯାଏ। କିନ୍ତୁ କେଶର ବିଶେଷ ଯତ୍ନ ନେଲେ ଏସବୁରୁ ଦୂରେଇ ରଖୁଛି। ରିବଣ୍ଡିଂରେ କେଶ ୧୦୦% ସିଧା କରାଯା‌ଉଛି। ଏହି ଟ୍ରିଟ୍‌ମେଣ୍ଟ କରିବା ସମୟରେ ରସାୟନର ବ୍ୟବହାର କରି ୩/୪ ଥର ବାରମ୍ବାର କେଶକୁ ଟାଣି ଟାଣି ରସାୟନକୁ ସେଟ୍‌ କରାଯାଉଛି। ଫଳରେ କେଶ ମୂଳ ଦୁର୍ବଳ ହୋଇ ଅତ୍ୟଧିକ ମାତ୍ରାରେ କେଶ ଝଡ଼ିବା ସମସ୍ୟା ଦେଖାଯାଉଛି। କିନ୍ତୁ ସ୍ମୁଥ୍‌ନିଂରେ କେଶକୁ ଧୀରେଧୀରେ ଟ୍ରିଟ୍‌ କରାଯାଉଛି। ଫଳରେ ରିବଣ୍ଡିଂ ତୁଳନାରେ ଏଥିରେ କେଶ କମ୍‌ ଝଡ଼ୁଛି।

କିନ୍ତୁ ରିବଣ୍ଡିଂ ହେଉକି ସ୍ମୁଥ୍‌ନିଂ ହେଉ, ଏହି ସବୁ ଟ୍ରିଟ୍‌ମେଣ୍ଟ କରିବା ପରେ କେଶର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି। ଷ୍ଟ୍ରେଟ୍‌ନିଂ କରିବା ପରେ କେଶରେ ସଲ୍‌ଫେଟ୍‌ମୁକ୍ତ ସାମ୍ପୋ ଓ କଣ୍ଡିସିନର୍‌ ବ୍ୟବହାର କରିବାକୁ ପାର୍ଲର ପକ୍ଷରୁ ସତର୍କ କରାଯାଉଛି। କେଶ ସାମ୍ପୋ କରିବାର ୧୦ ମିନିଟ୍ ପରେ କେଶ ଅଧା ଶୁଖି ଆସିଲେ ହେୟାର୍‌ ସେରମ୍‌ ଲଗାଇବା ଫଳରେ କେଶ ଶୁଷ୍କ ହୁଏ ନାହିଁ। ପୁଣି ଏସବୁ ଟ୍ରିଟ୍‌ମେଣ୍ଟ୍‌ର ମାସେ ପର୍ଯ୍ୟନ୍ତ ମୁଣ୍ଡରେ ତେଲ ନଲଗାଇବା ଭଲ। ସରୁ ଦାନ୍ତ ପାନିଆ ବ୍ୟବହାର ନକରି ମୋଟା ଦାନ୍ତ ପାନିଆ ବ୍ୟବହାର କରିବା କେଶ ପାଇଁ ଲାଭଦାୟକ ବୋଲି ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର