ଯଜ୍ଞ ପାଉଁଶ ହେଉ ବା ଭଗବାନଙ୍କ ବିଭୂତି ହେଉ ହିନ୍ଦୁ ଧର୍ମୀମାନେ ତାହାକୁ ଖୁବ୍ ଶ୍ରଦ୍ଧାର ସହ ମଥାରେ ଗଲାଇଥାନ୍ତି। ଏପରିକି ମୁନି, ଋଷିମାନେ ମଥାରେ ବିଭୂତିରେ ୩ ଗାର କରିଥିବାର ବି ଆପଣ ଦେଖିଥିବେ। ଏହି ଭଷ୍ମ ପାଉଁଶ ଲଗାଇବା ଦ୍ୱାରା ମଣିଷ ମନରୁ ଗର୍ବ କମିଯାଏ। ନିଜ ଭିତରେ ଥିବା ଅଂହଙ୍କାର ଭଙ୍ଗ କରିବା ଉଦ୍ଦେଶ୍ୟରେ ବିଭୂତି ମଥାରେ ଲଗାଯାଏ ବୋଲି କଥା ରହିଛି। ଚାଲନ୍ତୁ ଏହି ବିଭୂତି ପଛର କାହାଣୀ ଆଜି ଜାଣିବା।
Sambad is now on WhatsApp
Join and get latest news updates delivered to you via WhatsApp
ଭୃଗୁ ନାମକ ଜଣେ ଋଷି ଅନେକ ଦିନ ଧରି ଜଙ୍ଗଲରେ ତପସ୍ୟା କରୁଥିଲେ। ସେ ବାହାର ଖାଦ୍ୟ କିଛି ନଖାଇ ଜଙ୍ଗଲର ଫଳମୂଳ, ତୃଣ, ପତ୍ର ଖାଇ ଭୋକ ମାରୁଥିଲେ। ଦୀର୍ଘ ଦିନ ଧରି ସେ ଗଛପତ୍ର ଖାଇ ପେଟ ପୂରାଉଥିବାରୁ କ୍ରମେ ତାଙ୍କ ରକ୍ତର ରଂଗ ନାଲିରୁ ଧଳା ଅର୍ଥାତ ଗଛର ଖିର ପରି ହୋଇଗଲା। ଭୃଗୁ ଦିନେ ଘାସ କାଟୁ କାଟୁ ଭୁଲ୍ବଶତଃ ତାଙ୍କ ଆଙ୍ଗୁଠି କଟିଗଲା। ସେ ଦେଖିବାକୁ ପାଇଲେ ଯେ ତାଙ୍କ ରକ୍ତ ଧଳା ରଂଗ ପାଲଟି ଯାଇଛି। ତାଙ୍କ ମନରେ ଗର୍ବ ଉପୁଜିଲା। ସେ ସଂସାରର ସମସ୍ତଙ୍କଠାରୁ ଭିନ୍ନ ବୋଲି ନିଜକୁ ଭାବି ବସିଲେ।
ଏକଥା ମହାଦେବ ଜାଣିପାରିଲେ। ଭୃଗୁଙ୍କ ଗର୍ବ ଖର୍ବ କରିବା ପାଇଁ ସେ ଦିନେ ତାଙ୍କ ନିକଟକୁ ଏକ ବୁଢ଼ା ଲୋକର ବେଶରେ ଆସିଲେ। ଜାଣି ଜାଣି ଭୃଗୁଙ୍କ ଆଗରେ ତାଙ୍କ ଆଙ୍ଗୁଠି କାଟି ବସିଲେ। ଭୃଗୁ ଦେଖିଲେ ଯେ ବୃଢ଼ା ଲୋକର ଆଙ୍ଗୁଠିରୁ ରକ୍ତ ପରିବର୍ତ୍ତେ ପାଉଁଶ ବାହାରୁଛି। ସେ ଆଶ୍ଚର୍ଯ୍ୟ ହୋଇ ବୃଦ୍ଧଙ୍କୁ ତାଙ୍କ ନିଜ ପରିଚୟ ମାଗିଲେ। ବୃଦ୍ଧ ଜଣଙ୍କ ତତ୍କ୍ଷଣାତ ମହାଦେବଙ୍କ ରୂପ ଧାରଣ କଲେ। ଭୃଗୃ ତାଙ୍କ ହାତରୁ ପାଉଁଶ କାହିଁକି ବାହାରୁଚି ବୋଲି ପ୍ରଶ୍ନ କରିବାରୁ ମହାଦେବ ଉତ୍ତର ଦେଲେ ଯେ ‘ସବୁକିଛି ଜଳି ଗଲା ପରେ ଯେଉଁ ରୂପକୁ ଆସେ ତାହା ମୋ ଭିତରେ ଥାଏ’। ଗଛ ଜଳିଗଲା ପରେ ପାଉଁଶ ହୁଏ। ଗଛ ଜଳିଗଲେ ଖିର ସୁଖିଯାଏ। ସେ ବି ପାଉଁଶ ପାଲଟିଯାଏ। ଏତିକି ଶୁଣିବା ପରେ ଭୃଗୁଙ୍କ ଗର୍ବ ଭାଙ୍ଗି ସାରିଥିଲା। ସେଇଦିନଠାରୁ ନିଜର ଗର୍ବ ଓ ଅଂହକାରକୁ ଦମନ କରିବା ପାଇଁ ଈଶ୍ୱରପ୍ରେମୀମାନେ ମଥାରେ ବିଭୂତି ଲଗାଇଥାନ୍ତି।