ରାଗ, ଆନନ୍ଦ, ଚିନ୍ତା ଓ ଭୟ ଆଦି ଭାବନା ବି କରିପାରେ ଶରୀରକୁ ଅସୁସ୍ଥ: ହୋଇ ପାରେ ଏସବୁ ରୋଗ

ଦେହ ଓ ମନ ପରସ୍ପର ସହ ସଂଯୁକ୍ତ ବୋଲି ପ୍ରମାଣ କରିବାକୁ କୌଣସି ପ୍ରଯୁକ୍ତିବିଦ୍ୟା ନ ଥିଲେ ମଧ୍ୟ ଏ କଥାକୁ ମିଥ୍ୟା ବୋଲି କହି ହେବ ନାହିଁ। ହୁଏ ତ ବିଶ୍ୱାସ ନ ହୋଇ ପାରେ, କିନ୍ତୁ ବ୍ୟକ୍ତିର ପ୍ରତ୍ୟେକ ଅନୁଭବ ତା’ ଶରୀରର କୌଣସି ଅଙ୍ଗକୁ ପ୍ରଭାବିତ କରେ ନିଶ୍ଚୟ। ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆବେଗକୁ ଅକ୍ତିଆର କରିବା ଆବଶ୍ୟକ। ଉଦାହଣ ସ୍ୱରୂପ: ଜୀବନରେ ଖୁବ୍‌ ଦୁଃଖକ୍ଳେଶ ଭୋଗିଲେ ଶରୀର ମଧ୍ୟରେ ଶକ୍ତି ପ୍ରବାହ ଗଡ଼ବଡ଼ ହୋଇ ଯାବତ ଶାରୀରିକ ଅସଙ୍ଗତି ସୃଷ୍ଟି ହୁଏ। ଚାପ କଥା କୁହନ୍ତୁ; ଚାପ ପଡ଼ିଲେ ଶରୀର କୋର୍ଟିସୋଲ୍‌ ଭଳି ଷ୍ଟ୍ରେସ୍‌ ହର୍ମୋନ୍‌ ବାହାର କରେ। ଫଳରେ ହୃଦ୍‌ସ୍ପନ୍ଦନ ବଢ଼ିଯାଏ, ଫୁସ୍‌ଫୁସ୍‌ ଅଧିକ ଅମ୍ଳଜାନ ଗ୍ରହଣ କରେ, ରକ୍ତ ପ୍ରବାହ ବଢ଼ିଯାଏ, ପ୍ରତିଶେଧକ ବ୍ୟବସ୍ଥା ସାମୟିକ ସଙ୍କୁଚିତ ହୋଇଯାଏ। ଚାପ ପୁରୁଣା ହେଲେ ଶରୀରର ପ୍ରତିଶେଧାତ୍ମକ ବ୍ୟବସ୍ଥା ସ୍ଥାଣୁ ହୋଇଯାଏ।

କ୍ରୋଧ: କ୍ରୋଧରୂପକ ଆବେଗ ଯକୃତ୍‌ ସହ ସଂଯୁକ୍ତ। କ୍ରୋଧ ଶରୀର ଶକ୍ତିସ୍ତର ବଢ଼ାଇ ଦିଏ। ତେଣୁ ଏହା ଯକୃତାଗ୍ନିକୁ ବଢ଼ାଇ ଦିଏ। ପରବର୍ତ୍ତୀ ସମୟରେ ଏହା ଅରୁଚି, ବଦହଜମି, ଡାଇରିଆ ଆଦି ବିକୃତି ସୃଷ୍ଟି କରେ। ଅବଦମିତ କ୍ରୋଧ ବା ହତାଶା ଯୋଗୁଁ ଯକୃତ ସ୍ଥାଣୁ ହୋଇ ବିଶାଦ ଓ ଋତୁସ୍ରାବ ସମସ୍ୟା ସୃଷ୍ଟି କରେ।

ଆନନ୍ଦ: ଆନନ୍ଦ ହୃତ୍‌ପିଣ୍ଡ ସହ ସଂଯୁକ୍ତ। ସାଧାରଣ ଆନନ୍ଦ ହୃଦ୍‌ପିଣ୍ଡର କୌଣସି କ୍ଷତି କରେ ନାହିଁ। କିନ୍ତୁ ଆନନ୍ଦରୁ ଜାତ ଆତ୍ମହରା ବା ବିଭୋରପଣିଆ ବା ମାତ୍ରାଧିକ ଆନନ୍ଦ ହୃଦ୍‌ପିଣ୍ଡର କ୍ଷତି ସାଧନ କରେ। ହଠାତ୍‌ ସୁସମ୍ବାଦ ପାଇବା ଯେମିତି ଜଣେ ନିଜ ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ସେମତି ଅବସ୍ଥା କ୍ଷତିକାରକ।

ଚିନ୍ତା: ଚିନ୍ତା ହଜମକ୍ରିୟା ପ୍ରଣାଳୀ ଉପରେ କୁପ୍ରଭାବ ପକାଏ। ଶେଷକୁ ଚିନ୍ତା ଅବଶ କରି ପକାଏ ଶରୀରକୁ। ତେଣୁ କୁହାଯାଏ ମାତ୍ରାଧିକ ଚିନ୍ତାଗ୍ରସ୍ତ ଲୋକ ପୃଥିବୀକୁ କାନ୍ଧେଇ ବୁଲୁଥାଏ।

ଭୟ: ଭୟ ସଂଯୁକ୍ତ ହୋଇଥାଏ ବୃକ୍କ ସହ। ଅତି ଡରୁ ଥିବା ମଣିଷ ଖୁବ୍‌ ପରିସ୍ରା କରନ୍ତି। ପିଲାଏ ବିଛଣାରେ ମୂତି ପକନ୍ତି। ବର୍ଷ ବର୍ଷ ଧରି ଭୟର ବାତାବରଣ ମଧ୍ୟରେ ରହିଲେ ଶରୀର ଦୁର୍ବଳ ହୋଇଯାଏ।

ସମ୍ବନ୍ଧିତ ଖବର