ମଧୁମେହ ରୋଗୀ ସଂଖ୍ୟା ବଢ଼ୁଛି। ବାରମ୍ବାର ପରିସ୍ରା ଲାଗିବା, ଭୋକ ବଢ଼ିବା କିଂବା ବାରମ୍ବାର ଭୋକ ଲାଗିବା ଭଳି ଲକ୍ଷଣ ଦେଖାଗଲେ, ରକ୍ତ ପରୀକ୍ଷା କରାନ୍ତୁ। ଏଫ୍ବିଏସ୍ ଏବଂ ପିପିବିଏସ୍ ଭଳି ସାଧାରଣ ପରୀକ୍ଷା ଦ୍ୱାରା ରକ୍ତ ଶର୍କରା ସ୍ତର ଜାଣିହୁଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ଖାଇଲେ, ରୋଗ ନିୟନ୍ତ୍ରଣରେ ରହେ। ସାବଧାନ ନ ହେଲେ ବୃକ୍କ, ହୃତ୍ପିଣ୍ଡ, ଚକ୍ଷୁ, ମସ୍ତିଷ୍କ ଉପରେ ପ୍ରଭାବ ପଡ଼େ।
Sambad is now on WhatsApp
Join and get latest news updates delivered to you via WhatsApp
ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ସନ୍ତୁଳିତ ଆହାର ଏକାନ୍ତ ଆବଶ୍ୟକ। ଏହି ଖାଦ୍ୟ ସାରଣୀ ଅନୁସାରେ ପ୍ରତି ଦିନ ଖାଆନ୍ତୁ। ଜଳଖିଆରେ ରୁଟି ସହ ପରିବା ତରକାରି, ଚୁଡ଼ା ଓ ଦହି, ସୁଜି ଉପମା, ଏଣ୍ଡୁରି ପିଠା, ଛତୁଆ, ଗଜା ବୁଟ, ମୁଗ ଆଦି ଖାଆନ୍ତୁ। ମଧ୍ୟାହ୍ନ ଭୋଜନରେ ଗିନାଏ ଭାତ ସହ ଦୁଇ-ତିନିଟି ରୁଟି, ଡାଲି, ପରିବା ତରକାରି, ଭଜା, ଦହି ଓ ସାଲାଡ୍ ଖାଇପାରିବେ। ସନ୍ଧ୍ୟାରେ ଭଜା ଚୁଡ଼ା, ବିନା ଚିନିରେ ଚାହା, ଶର୍କରା ନ ଥିବା ବିସ୍କୁଟ୍, ଗଜା ମୁଗ, ବୁଟ, ଫଳ ଖାଆନ୍ତୁ।
ରାତ୍ରି ଭୋଜନରେ ଦୁଇ-ତିନିଟି ରୁଟି, ତରକାରି, ସାଲାଡ୍ ଓ ଖିର ଖାଆନ୍ତୁ। ମିଠା ଆଇସ୍କ୍ରିମ୍, ମୃଦୁ ପାନୀୟ, ଲାଲ ମାଂସ, ତେଲ ଛଣା ଖାଦ୍ୟ, ଫାଷ୍ଟ୍ ଫୁଡ୍, କାଜୁ, ଅଣ୍ଡାର ହଳଦିଆ ଅଂଶ ଆଦି ମଧୁମେହ ରୋଗୀଙ୍କ ପାଇଁ ବର୍ଜନୀୟ। ନଡ଼ିଆ, ପାଚିଲା କଦଳୀ, ପାଚିଲା ଆମ୍ବ, ଅଙ୍ଗୁର, ସପେଟା ନ ଖାଇବା ଭଲ। ଅନ୍ୟ ଫଳ ଖାଇପାରିବେ।
-ଡା. ସ୍ୱରୂପ କୁମାର ଭଞ୍ଜ,
ବରିଷ୍ଠ ଭେଷଜ ଚିକିତ୍ସକ, ଭୁବନେଶ୍ୱର