‘ପଡ଼ୋଶୀ ଯେଉଁ ଭାଷା ବୁଝୁଛି ତାକୁ ସେଇ ଭାଷାରେ ବୁଝାଅ; କେହି ତୁମକୁ କିଛି ବି ପ୍ରଶ୍ନ କରିବେ ନାହିଁ’: ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଆହ୍ଵାନ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ‘ଯଦି ପଡ଼ୋଶୀ ଆମ ଭାଷା ବୁଝିବାରେ ଅସମର୍ଥ ହେଉଛି, ତେବେ ସେ ଯେଉଁ ଭାଷାରେ ବୁଝିବାକୁ ଚାହୁଁଛି, ତାକୁ ସେଇ ଭାଷାରେ ବୁଝାଇଦିଅ। ସେ ଯେପରି ଆଚରଣ ପ୍ରଦର୍ଶନ କରୁଛି, ତା ସହ ସେହିପରି ଆଚରଣ ପ୍ରଦର୍ଶନ କର’ ବୋଲି ଆଜି ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନ୍‌ମାନଙ୍କୁ ଆହ୍ଵାନ ଦେଇ କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ।

ଆଜି ଅସ୍ତ୍ରବିରତିକୁ ଉଲ୍ଲଂଘନ କରି ପାକିସ୍ତାନ ରେଞ୍ଜର ପକ୍ଷରୁ ଭାରତୀୟ ସୀମା ଭିତରକୁ ହୋଇଥିବା ପ୍ରବଳ ଗୁଳିବର୍ଷାରେ ଜମ୍ମୁ- କଶ୍ମୀରର ଅଖନୁର ଅଞ୍ଚଳରେ ଜଣେ ୮ ମାସର ଭାରତୀୟ ଶିଶୁର ମୁତ୍ୟୁ ଘଟିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏପରି କହିଛନ୍ତି।

ବେଶ୍‌ ଶାଣିତ ଓ କଠୋର ଶବ୍ଦ ପ୍ରୟୋଗ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସିଂହ ବିଏସ୍‌ଏଫ୍‌ ଜବାନମାନଙ୍କୁ କହିଛନ୍ତି ଯେ ସଂପୂର୍ଣ୍ଣ ମାନବିକତା ଦୃଷ୍ଟକୋଣରୁ ମୁସଲମାନ୍‌ମାନଙ୍କର ପବିତ୍ର ରମ୍‌ଜାନ ମାସକୁ ଦୃଷ୍ଟିରେ ରଖି ଆମେ ଆମଆଡ଼ୁ ଅସ୍ତ୍ରବିରତି ଘୋଷଣା କରିଥିଲୁ। କିନ୍ତୁ, ପଡ଼ୋଶୀ ଯଦି ଏହାକୁ ଆମର ଦୁର୍ବଳତା ବୋଲି ଧରିନେଇ ଆମ ଉପରକୁ ଗୁଳି ଚଳାଉଛି ତେବେ ଆମେ ଏ ପରିସ୍ଥିତିରେ ଚୁପ୍‌ ବସିବା ନାହିଁ। ଆମେ ବି ଗୁଳିର ଜବାବ୍‌ ଗୁଳିରେ ହିଁ ଦେବା। ପ୍ରଥମ ଗୁଳି ଆମେ ଚଳାଇବା ନାହିଁ; କିନ୍ତୁ ପ୍ରଥମ ଗୁଳି ଯଦି ପଡ଼ୋଶୀ ଠାରୁ ଆସି ଆପଣଙ୍କ ଦେହରେ ଲାଗେ, ତେବେ ତାହାର ଜବାବ କିପରି ଦେବେ ସେ ନିଷ୍ପତ୍ତି ଆପଣମାନଙ୍କ ଉପରେ। ତେବେ, ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ ଏପରିସ୍ଥିତିରେ ଆପଣମାନେ ଯେଉଁ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ସେ ସଂପର୍କରେ ଆପଣମାନଙ୍କ କେହି ବି ପ୍ରଶ୍ନ କରିପାରିବେ ନାହିଁ ଯେ କାହିଁକି ଏପରି କଲେ, କେଉଁ ପରିସ୍ଥିତିରେ ଏପରି କଲେ ବୋଲି।

 ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ରେଞ୍ଜର ପକ୍ଷରୁ ଭାରତୀୟ ସୀମା ଭିତରକୁ ପ୍ରବଳ ଗୁଳିବର୍ଷା ହେବା ଫଳରେ ଜମ୍ମୁ- କଶ୍ମୀରର ଶାମ୍ବା ସେକ୍ଟରରେ ୩୦ଟି ବିଏସ୍‌ଏଫ୍‌ ସୁରକ୍ଷା ପୋଷ୍ଟ ସମେତ ୧୨ଟି ଭାରତୀୟ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଅଖନୁର ଅଞ୍ଚଳରେ ଜଣେ ୮ ମାସର ଭାରତୀୟ ଶିଶୁର ମୁତ୍ୟୁ ଘଟଛି।

ସମ୍ବନ୍ଧିତ ଖବର