ରାଜସ୍ୱ ସେବା ଅଧିକାରୀଙ୍କ ବନ ସୃଷ୍ଟି ଅଭିଯାନ, ଗୋଟିଏ ବର୍ଷ ମଧ୍ୟରେ ସୃଷ୍ଟି କରିସାରିଲେଣି ପଚିଶଟି କ୍ଷୁଦ୍ର ଜଙ୍ଗଲ

ଗୋଟିଏ ବର୍ଷ ମଧ୍ୟରେ ସେ ସୃଷ୍ଟି କରିସାରିଲେଣି ପଚିଶଟି କ୍ଷୁଦ୍ର ଜଙ୍ଗଲ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏକ ହଜାର ଜଙ୍ଗଲ ସୃଷ୍ଟି, ତାଙ୍କର ଲକ୍ଷ୍ୟ। ସେ ‘ଲୁଧିୟାନାର ସବୁଜ ମଣିଷ’ ଭାବେ ସୁପରିଚିତ। ସେ ଜଣେ ଭାରତୀୟ ରାଜସ୍ବ ସେବା ଅଧିକାରୀ। ତାଙ୍କ ନାମ ରୋହିତ ମେହରା। ତାଙ୍କ ଦ୍ବାରା ଅଦ୍ୟାବଧି ସୃଷ୍ଟ ଜଙ୍ଗଲଗୁଡ଼ିକର କ୍ଷେତ୍ରଫଳ ପାଞ୍ଚ ଶହ ବର୍ଗ ଫୁଟ୍‌ରୁ ଆରମ୍ଭ କରି ଚାରି ଏକର‌୍‌ ମଧ୍ୟରେ। ଲୁଧିୟାନା ଏକ ଶିଳ୍ପାଞ୍ଚଳ ଏବ˚ ସ୍ବାଭାବିକ ଭାବେ ପ୍ରଦୂଷିତ ଅଞ୍ଚଳ। ବେଳେ ବେଳେ ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଏ ଯେ, ଦୁଇ-ଚାରି ଦିନ ଧରି ସମସ୍ତ ବିଦ୍ୟାଳୟ ବନ୍ଦ ରଖାଯାଏ। ଏହା ଜାଣିବା ପରେ ରୋହିତ, ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ପାଇଁ ଆଗକୁ ବାହାରିଥିଲେ। ସହରାଞ୍ଚଳରେ ଜଙ୍ଗଲ ସୃଷ୍ଟି ବାବଦରେ ତାଙ୍କର ବିଶେଷ ଜ୍ଞାନ ନ ଥିଲା। ତେଣୁ, ପ୍ରଥମେ ପଢ଼ା-ପଢ଼ି ଆରମ୍ଭ କରିଥିଲେ। ଶୀଘ୍ର ଗଛ ବଢ଼ିବା ପାଇଁ ଉଦ୍ଦିଷ୍ଟ ଜାପାନିଜ୍‌ ପଦ୍ଧତି ‘ମିୟାଵାକି’ ବାବଦରେ ଜାଣିବା ପରେ, ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ। ପ୍ରାଚୀନ ଭାରତୀୟ ଶାସ୍ତ୍ର ‘ବୃକ୍ଷଆୟୁର୍ବେଦ’ ମଧ୍ୟ ତାଙ୍କୁ ଆକର୍ଷିତ କରିଥିଲା। ନିମ୍ବ, ଅଅଁଳା, ବେଲ, ଅର୍ଜୁନ, କୃଷ୍ଣଚୂଡ଼ା ଆଦି ଗଛର ଜଙ୍ଗଲ ସେ ସୃଷ୍ଟି କରିଛନ୍ତି। ଏକ ଗୁରୁଦ୍ବାରା ନିକଟରେ ବିକଶିତ ହୋଇଥିବା ‘ନାନକ ବନ’ ତାଙ୍କର ସବୁଠାରୁ ଉଲ୍ଲେଖନୀୟ ସୃଷ୍ଟି।

ସମ୍ବନ୍ଧିତ ଖବର