ପିଲା ବେଳେ ମୁଁ ଭାଇଜାଗ୍ରେ ରହୁଥିଲି। ନର୍ସରି ପଢ଼ୁଥିବା ସମୟରେ ମୋର ସ୍କୁଲ ଯା’ ଆସ ପାଇଁ ରିକ୍ସାଟିଏ ବୁଝାଯାଇଥିଲା। ପ୍ରତିଦିନ ସେଇ ରିକ୍ସା ଅଙ୍କଲ୍ ମତେ ନେଇ ସ୍କୁଲ ଛାଡ଼ନ୍ତି। ଦିନେ, ସେ ଅଙ୍କଲ ରିକ୍ସା ରଖି ପରିସ୍ରା କରିବାକୁ ବାହାରକୁ ଯାଇଥା’ନ୍ତି। ଏକ ବଡ଼ ଲୁହା କଣ୍ଟା ଚକା ମଝିରେ ଦେଇ ସେ ରିକ୍ସାକୁ ଅଟକାଇଥାନ୍ତି। ମୁଁ ଧୀରେ ରିକ୍ସାରୁ ଓହ୍ଲାଇ ସେ ଲୁହା କଣ୍ଟାକୁ ରିକ୍ସାରୁ କାଢ଼ି ରିକ୍ସାରେ ବସି ପଡ଼ିଲି। ଗଡ଼ାଣି ରାସ୍ତା ଯୋଗୁଁ ରିକ୍ସା ଗଡ଼ି ଚାଲିଲା, ମତେ ଭାରି ମଜା ଲାଗୁଥିଲା। ମତେ ଦେଖି କିଛି ଲୋକ ବି ମଜା ନେଉଥିଲେ। ରିକ୍ସା ଅଙ୍କଲ ଯେତେବେଳେ ପଛକୁ ଅନାଇଲେ, ରିକ୍ସା ଗଡ଼ି ଚାଲିଛି। ସେ ତେଲୁଗୁରେ ଜୋର ଜୋରରେ ପାଟି କରି କ’ଣ ଗୁଡ଼ାଏ କହୁଥିଲେ। ମୁଁ ବୁଝି ପାରୁନଥିଲୁ। ମୁଁ ରିକ୍ସା ଗଡ଼ିବାର ମଜା ନେଉଥାଏ। ରିକ୍ସା ଅଙ୍କଲ ଦୌଡ଼ି ଦୌଡ଼ି ଆସି ରିକ୍ସାକୁ ଅଟକାଇ ଦେଲେ। ସେ ରିକ୍ସା ଅଟକାଇ ଦେଲେ ବୋଲି ମୁଁ ରାଗରେ ମୋ ବହିପତ୍ର ବାକ୍ସକୁ ଫୋପାଡ଼ି ଦେଇ ଘର ପର୍ଯ୍ୟନ୍ତ ଚାଲି ଚାଲି ପଳେଇ ଆସିଥିଲି। ପରେ ରିକ୍ସା ଅଙ୍କଲ ଯାଇ ମୋ ବାପା ମା’ଙ୍କୁ ପୂରା ଘଟଣା ସମ୍ପର୍କରେ ଜଣାଇଥିଲେ। ଏବେ ବି ମୋ ପରିବାରରେ ଏ କଥା ପଡ଼ିଲେ ସମସ୍ତେ ବହୁତ ହସୁ। ପିଲା ଦିନର ଏମିତି ଅନେକ ସ୍ମୃତି ଏବେ ବି ମୋ ମନ ରାଇଜର ସାଇତା ହୋଇରହିଛି। ଆଉ ଏକ ଘଟଣା ବି ମନରୁ ଯାଉନି। ନୂଆ ନୂଆ ଅଭିନୟ ଦୁନିଆରେ ପାଦ ଦେଇଥିବା ବେଳେ ମୁଁ ଲାଇଟ୍ ଓ କ୍ୟାମେରା ସହ ଏତେ ସଂଶ୍ଳିଷ୍ଟ ନଥିଲି। ମୋର ପ୍ରଥମ ଚଳଚ୍ଚିତ୍ର ‘ବୋଉ’ର ସୁଟିଂ ଚାଲିଥାଏ। ସୁଟିଂ ସେଟ୍ରେ ଗୋଟିଏ ଲାଇଟ୍କୁ ବେବି କୁହାଯାଏ। ସୁଟିଂ ଚାଲିଥିବା ବେଳେ ନିର୍ଦ୍ଦେଶକ କହିଲେ, ବେବିକୁ କାଟ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଚିତ୍କାର କରି କହିଲି, କୋଉ ବେବିକୁ କାଟିବ? ମୋ କଥା ଶୁଣି ସମସ୍ତେ ହସିବାରେ ଲାଗିଲେ। ବାସ୍ତବ କଥା ଜାଣଇବା ପରେ, ମୁଁ ଭାରି ଅପମାନିତ ଅନୁଭବ କରିଥିଲି। ଏମିତି ଅନେକ ସ୍ମୃତି ଆଜି ବି ମନ ପଡ଼ିଲେ ମନେମନେ ଖୁବ୍ ହସେ।