ମିଛ କହି ଭୋକରେ ରାତିରେ ଶୋଇଥିଲି: କୁନା ତ୍ରିପାଠୀ

ପିଲା ଦି‌େନ ମୁଁ ଭାରି ମିଛୁଆ ଥିଲି। ବନେଇ ଚୁନେଇ ମିଛ କହି ଅଭିନୟ କରିବା ମୋ ସ୍ବଭାବ ହୋଇଯାଇଥିଲା। ସେମିତି ଗୋଟେ ପିଲା ଦିନର କଥା। ସନ୍ଧ୍ୟା ୬ଟା ପରେ ଆମେ ସବୁ ପିଲା ଘରକୁ ଫେରିବାକୁ ବାଧ୍ୟ ଥିଲୁ। ପ୍ରାର୍ଥନା କରିବା ପରେ ପଢ଼ି ବସୁଥିଲୁ। ଏଣେ ମୋର କିନ୍ତୁ କ୍ରିକେଟ୍‌ ନିଶା ଯୋଗୁଁ ମୁଁ ଡେରିରେ ଫେରେ। ଆଉ ଏଥିପାଇଁ ବହୁ ମିଛ ମଧ୍ୟ କୁହେ। ଦିନେ ଘରେ ପହଞ୍ଚୁ ପହଞ୍ଚୁ ସଂଧ୍ୟା ୭ଟା ହୋଇଗଲା। କ’ଣ କହିବି ଘରେ? ସାଙ୍ଗର ବଲ୍‌ ବାଜି ମୁଣ୍ଡ ଫାଟିଯିବାଠୁ ଆରମ୍ଭ କରି ସାଇକେଲ ଚକା ଫାଟିଗଲା ଯାଏଁ ପ୍ରାୟ ସବୁ ମିଛ କହି ସାରିଥିଲି। ହଠାତ୍‌ ମୁଣ୍ଡକୁ ବଢ଼ିଆ ମିଛଟିଏ ଆସିଲା। ଘର ଭିତରେ ପଶି ଚିଲେଇଲି। ତଳେ ଗଡ଼ିଗଲି। ମୋ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିବା ଅଭିନୟ କଲି। କହିଲି, ମୁଁ ବାଧେ ଆଉ ବଞ୍ଚିବିନି। ଏମିତି କହି ଚିତ୍କାର କରୁଥିଲି। ଘରେ ସମସ୍ତେ ବିବ୍ରତ। ପଛରୁ ବାପା ଆସିଲେ, କହିଲେ କିଛି ଅସୁବିଧା ନାହିଁ। ଅଜୀର୍ଣ୍ଣ ହୋଇଥିବ। ରାତିରେ ଖାଲି ପାଣି ପିଇ ଶୋଇପଡ଼େ। ଭଲ ହୋଇଯିବ। ମୁଁ ବି ମୁହଁ ମାଡ଼ି କିଛି ସମୟ ଶୋଇପଡ଼ିଲି। ଭାବିଲି ପରେ ଉଠି ମା’ଙ୍କୁ ତେଲେଇ ଖାଇଦେବି। ଘଣ୍ଟାଏ ପରେ ଉଠିଲା ବେଳକୁ ଘରେ କେହି ନାହାନ୍ତି। ଚାକର ଟୋକା କହିଲା ଆଜି ପ‌ଡ଼ୋଶୀ ମିଶ୍ର ମଉସାଙ୍କ ଘରେ ପଲଉ ମାଉଁସ ଭୋଜି। ସମସ୍ତେ‌ ସେଠିକି ଯାଇଛନ୍ତି। ତୁମ ପେଟ ଖରାପ। ତୁମେ ତ’ ଖାଇ ପାରିବନି। ବାବୁ କହିଛନ୍ତି ପାଣି ଗିଲାସେ ପିଇକି ଶୋଇବାକୁ। ନିଅ ପିଇଦିଅ..। ମନ ଯୋଉ କଷ୍ଟ।

ସମ୍ବନ୍ଧିତ ଖବର