ତାଙ୍କ ତେଲ କଡ଼େଇରେ ‘ବରା’ ପଡ଼ୁପଡ଼ୁ ତାହା ବରାଦ ହୋଇଯାଏ। ବରା ବାହାରିବା ମାତ୍ରେ ଡାଲାରୁ ଉଭେଇଯାଏ। ପିଆଜ ଓ ଜିରା ମିଶା ତାଙ୍କ ବରାର ମହକ ଏମିତି ଯେ, ରାଜଧାନୀର କୋଣ ଅନୁକୋଣରୁ ଗ୍ରାହକଙ୍କୁ ଟାଣି ଆଣେ। ସଂଜ ବୁଡ଼ିବା ଆଗରୁ ତାଙ୍କ ଦୋକାନ ଆଗରେ ଲମ୍ବା ଧାଡ଼ି ଲାଗେ। ନେତା ମନ୍ତ୍ରୀଙ୍କ ଅର୍ଡର ଆସିଯାଏ। ଆପଣ ଭାବୁଥିବେ ଏହା ନିଶ୍ଚିତ ଏକ ନାମଜାଦା ସୁସଜ୍ଜିତ ହୋଟେଲ୍ କି ରେଷ୍ଟୁରାଣ୍ଟ୍ ହୋଇଥିବ। ମାତ୍ର ଏସବୁ ମିଳେ କଳା ମଚମଚ ଏକ ଚାଳିଆ ଘରେ। କି ବାସ୍ନା ଥାଏ କେଜାଣି, ତାଙ୍କ ମସମସ ବରା ନଖାଇବା ଲୋକଙ୍କୁ ଖାଇବାକୁ ବାଧ୍ୟ କରେ। କୌଣସି ବଡ଼ ମଲ୍ କି ବଜାରରେ ନୁହେଁ, ବରଂ ୬ ନମ୍ବରରେ ସରକାରୀ କ୍ବାର୍ଟରର ଭିଡ଼ ଭିତରେ ରବୀନ୍ଦ୍ର ରାଉତ ପରସି ଦିଅନ୍ତି ଏହି ବିନା ସୋଡ଼ା ଦିଆ ମସମସ ପିଆଜ ବରା। ଯେବେ ରବି ତେଲ କଡ଼େଇରେ ହାତ ପୂରେଇ ବରା ଛାଣନ୍ତି, ଏ ଦୃଶ୍ୟ ଦେଖିବାକୁ ଲୋକଙ୍କ ଆଖି ଅଟକିଥାଏ। ନା ସିନା ରବୀନ୍ଦ୍ର, କିନ୍ତୁ ‘ରବି ବରା’ ତାଙ୍କ ଜୀବନର ଶ୍ରେଷ୍ଠ ପରିଚୟ। ନବୀନ ନିବାସଠୁ ନେଇ ନିରଂଜନ ପଟ୍ଟନାୟକଙ୍କ ଯାଏଁ ଏ ବରା ପହଞ୍ଚିଛି। ଖାଲି ସେତିକି ନୁହେଁ, ଦେବୀପ୍ରସାଦ ମିଶ୍ର, ସୁର ରାଉତରାୟ, ପ୍ରଦୀପ ମହାରଥୀ, ମିଟୁ ବଡ଼ଜେନା, ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ବଡ଼ବଡ଼ ନେତା, ପ୍ରଶାସକ, ଅଭିନେତା ବି ତାଙ୍କ ବରା ଖାଇ ସାବାସୀ ଦେଇଥିବା ସେ କୁହନ୍ତି। ମିଟୁ ବଡ଼ଜେନା ଯେବେ ନବୀନ ନିବାସକୁ ଯାଆନ୍ତି, ସେବେ ଏଠାରୁ ବରା କିଣି ନେଉଥିବା କୁହନ୍ତି ରବି। ଖାଲି ବରା ନୁହେଁ, ତାଙ୍କ ନିର୍ମିତ ରସଗୋଲା ବି ବେଶ୍ ପ୍ରସିଦ୍ଧ। ତେବେ ଓଡ଼ିଶାରେ ସେ ଏକ ନୂଆ ମିଠାର ଉଦ୍ଗାତା ମଧ୍ୟ। ଛେନାରେ ପ୍ରସ୍ତୁତ କରିଥିବା ସେଇ ମିଠାର ନାଁ ରଖିଛନ୍ତି ‘ଶିଳାନାସି’।
Sambad is now on WhatsApp
Join and get latest news updates delivered to you via WhatsApp
‘ରବି ବରା’ର ଏ ଯାତ୍ରା ଏତେ ସହଜ ନଥିଲା। ପୁରୀ ଜିଲ୍ଲା କୋଣାର୍କସ୍ଥିତ କୁଣ୍ଡିଶ ଗ୍ରାମର ରବି ୧୩ ବର୍ଷ ବୟସରେ ୭ଟଙ୍କା ଧରି ଘର ଛାଡ଼ି ଭୁବନେଶ୍ବର ଆସିଥିଲେ। ୫ ଭାଇ ଭଉଣୀରେ ସେ ଥିଲେ ବଡ଼। ଚାଷରୁ ଉପାର୍ଜନ ଅର୍ଥ ବଡ଼ ପରିବାର ପାଇଁ ଯଥେଷ୍ଟ ନଥିଲା। ଘରର ଏ ଅବସ୍ଥା ଦେଖି ସେ ୧୯୬୮ରେ ଭୁବନେଶ୍ବର ଚାଲିଆସିଥିଲେ। ଶିଙ୍ଗଡ଼ା ଓ ମିଠା ପ୍ରସ୍ତୁତ କରି ମୁଣ୍ଡରେ ମୁଣ୍ଡେଇ ସାହିସାହି ବୁଲି ବିକୁଥିଲେ। ୧୯୭୮ରେ ଖୋଲିଥିଲେ ନିଜର ଏହି ଦୋକାନ। ବରା ଛାଣୁଥିବା ବେଳେ ଦିନେ ଅନ୍ୟମନସ୍କ ହୋଇ ସେ ତେଲ କଡ଼େଇରେ ହାତ ପୂରେଇ ଦେଇଥିଲେ। ୨ ଦିନ ଅସହ୍ୟ ଯନ୍ତ୍ରଣା ପାଇଥିଲେ ମଧ୍ୟ ସେବେଠାରୁ ଗରମ ତେଲରେ ହାତ ପୂରେଇ ଛାଣିବା ତାଙ୍କର ସଉକ୍ ହୋଇଗଲା। ଏଭଳି ସଉକ୍ର ଉତ୍ତରରେ ସେ କହିଥିଲେ, ଯେମିତି ଠାକୁରଙ୍କ ଆଜ୍ଞାରେ କାଳେସି ରଡ଼ ନିଆଁରେ ଚାଲିପାରେ, ମୁଁ ସେମିତି ପ୍ରଭୁଙ୍କ ଆଜ୍ଞାରେ ତତଲା ତେଲ କଡ଼େଇରେ ଆଙ୍ଗୁଡ଼ି ବୁଡ଼େଇ ବରା ଲେଉଟାଇପାରେ। ସେକାଳର ୧୫ ପଇସାର ବରା ଆଜି ୫ଟଙ୍କାରେ ପହଞ୍ଚିଛି। ଏହି ନିଆରାପଣ ପାଇଁ ନିକଟରେ ଦକ୍ଷିଣ ଆଫ୍ରିକାର କିଛି ଯୁବକ ତାଙ୍କର ଏହି ବରା ପ୍ରସ୍ତୁତିର ଭିଡିଓ ପ୍ରସ୍ତୁତ କରି ନେଇଛନ୍ତି।
ଉପସ୍ଥାପନା-ସତ୍ୟନାରାୟଣ ରାଉତରାୟ