ହୋଟେଲ ବା ରେସ୍ତୋରାଁ ଗଲେ ଖାଦ୍ୟ ଅର୍ଡର ଦେଇ ଆଉ ବିରକ୍ତ ହୋଇବସିବାକୁ ପଡ଼ୁନାହିଁ। ଷ୍ଟାର୍ଟର୍ ଖାଇ ସମୟ ପାର୍ କରିବାକୁ ପଡ଼ୁନାହିଁ। କାରଣ ଏବେ ଖାଦ୍ୟ ପୂର୍ବରୁ ପରସା ଯାଉଛି ମ୍ୟାଜିକ୍। ମନ୍ତ୍ରତନ୍ତ୍ର ବା କଳାଯାଦୁ ନୁହେଁ ମନୋରଞ୍ଜନ ଧର୍ମୀ ଓ ମସ୍ତିଷ୍କର ଖେଳ ‘ମ୍ୟାଜିକ’। ଯାହାକୁ ଦେଖିବାକୁ ପିଲାଠୁ ବୁଢ଼ା ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ଏବେ ବଡ଼ ବଡ଼ ହୋଟେଲରେ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଟେବୁଲ ହପିଂ ମ୍ୟାଜିକ ଦେଖାଇବାର ବ୍ୟବସ୍ଥା କରାଯାଇଛି। ହୋଟେଲର ଅନ୍ୟ କର୍ମଚାରୀଙ୍କ ଭଳି ବେତନଭୋଗୀ ଯାଦୁକର ବା ମ୍ୟାଜିସିଆନ୍ମାନେ ନିୟୋଜିତ ହେଉଛନ୍ତି। ଗ୍ରାହକମାନଙ୍କୁ ବିଭିନ୍ନ ମ୍ୟାଜିକ ଦେଖାଇ ମନୋରଞ୍ଜନ କରାଇବା ସେମାନଙ୍କ କାମ। ଏହି ମ୍ୟାଜିକ କୁ ନେଇ ଏଥରର ଉପସ୍ଥାପନା। ରିପୋର୍ଟ: ସସ୍ମିତା ସାହୁ
Sambad is now on WhatsApp
Join and get latest news updates delivered to you via WhatsApp
ମନୋରଞ୍ଜନର ନୂଆ ଧାରା
ଛୋଟ ଛୁଆଙ୍କ ଜନ୍ମ ଦିନ ପାର୍ଟି ହେଉ କି ଘରେ ଆୟୋଜନ ହେଉଥିବା ଛୋଟ ଛୋଟ ଖ୍ରୀଷ୍ଟମାସ୍, ନୂଆବର୍ଷ ବା ଦୀପାବଳି ପାର୍ଟି ଏହି ଟେବୁଲ ହପିଂ ମ୍ୟାଜିକ୍ ପାଇଁ ଯାଦୁକରଙ୍କୁ ଡକାଯାଇଥାଏ। ସାଧାରଣତଃ ଏହି ମ୍ୟାଜିକ ପାର୍ଟି/ହୋଟେଲରେ ଗ୍ରାହକ ଖାଉଥିବା ସମୟରେ ମନୋରଞ୍ଜନ ପାଇଁ ପରିବେଷଣ କରାଯାଇଥାଏ। ଏଥିରେ ଯାଦୁକର ଗୋଟିଏ ଟେବୁଲରୁ ଆଉ ଏକ ଟେବୁଲକୁ ଯାଇ ଯାଦୁ ଖେଳ ଦେଖାଇଥାନ୍ତି। ପରୋକ୍ଷ ଭାବେ ଟିଭିରେ ସବୁ ବେଳେ ଯାଦୁ ଖେଳ ଦେଖୁଥିବା ଗ୍ରାହକ ପ୍ରତ୍ୟକ୍ଷ ଭାବେ ଅତି ନିକଟରୁ ଯାଦୁଖେଳ ଦେଖି ବେଶ୍ ଖୁସି ଅନୁଭବ କରନ୍ତି। ଏଥିରେ ଯାଦୁଗର ମୁଦ୍ରା, ରୁମାଲ୍, ତାସ୍, ନୋଟ୍, ଚାମଚ, ପେନ୍ସିଲ୍, ରବର, ଟିସୁ ପେପର୍, ରବର ବ୍ୟାଣ୍ଡ ବା ଟେବୁଲ ଉପରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି ଯାଦୁ ଖେଳ ଦେଖାଇଥାନ୍ତି।
୩ ପ୍ରକାରର ମ୍ୟାଜିକ୍
ମ୍ୟାଜିକ କେବଳ ମସ୍ତିଷ୍କ ଓ ସାମ୍ନା ଲୋକର ଆଖିକୁ ଧୋକା ଦେବାର ଖେଳ। ସାଧାରଣତଃ ମ୍ୟାଜିକ ୩ ପ୍ରକାରର। ଇଲ୍ୟୁଜନ ମ୍ୟାଜିକ, ମେଣ୍ଡାଲିଜମ୍ ଓ କ୍ଲୋଜଅପ୍ ମ୍ୟାଜିକ। ସାଧାରଣତଃ ଇଲ୍ୟୁଜନ୍ ମ୍ୟାଜିକ ଅଧିକ ଲୋକପ୍ରିୟ। ମଞ୍ଚ ଉପରେ ବିଭିନ୍ନ ଯନ୍ତ୍ରପାତିର ସାହାଯ୍ୟ ନେଇ ଏହି ମ୍ୟାଜିକ କରାଯାଏ। ଯାହାକି ବହୁତ ସହଜ ମଧ୍ୟ। ଦୂରରେ ଥାଇ ଲୋକମାନେ ଏହାକୁ ଉପଭୋଗ କରୁଥିବାରୁ ସେମାନଙ୍କ ଆଖିକୁ ଧୋକା ଦେବା ସହଜ ହୋଇଥାଏ। କିନ୍ତୁ କ୍ଲୋଜ୍ଅପ୍ ମ୍ୟାଜିକ ବହୁତ କଷ୍ଟସାଧ୍ୟ। ଦର୍ଶକଙ୍କ ବହୁ ନିକଟରୁ ଏହାକୁ ପରିବେଷଣ କରାଯାଉଥିବାରୁ ଯାଦୁକର/ମ୍ୟାଜିସିଆନ୍ମାନେ ଏହି ମ୍ୟାଜିକକୁ ବାରମ୍ବାର ଅଭ୍ୟାସ କରିଥାନ୍ତି। ଏହି କ୍ଲୋଜ୍ ଅପ୍ ମ୍ୟାଜିକ୍ର ଏକ ଅଂଶ ହେଉଛି ଟେବୁଲ୍ ହପିଂ।
ବିଦେଶରୁ ଆରମ୍ଭ, ଏବେ ଓଡ଼ିଶାରେ
ହୋଟେଲ ମେ’ ଫେୟାରରେ ମ୍ୟାଜିକ ପ୍ରଦର୍ଶନ କରୁଥିବା ଯାଦୁକର ଜୀବନ ମିଶ୍ର କୁହନ୍ତି, ସାଧାରଣତଃ ଆରମ୍ଭରୁ ବିଦେଶରେ ଏହି ଟେବୁଲ ହପିଂ ଯାଦୁ ଖେଳ ପରିବେଷଣ କରାଯାଉଥିଲା। ବର୍ତ୍ତମାନ ଏହା ଭାରତ ଓ ଓଡ଼ିଶାରେ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ। ପୂର୍ବରୁ ଯାଦୁ ବିଦ୍ୟାକୁ ନକରାତ୍ମକ ଭାବେ ଗ୍ରହଣ କରାଯାଉଥିବା ବେଳେ ଏବେ ଏହାକୁ ଜୀବିକା ଭାବେ ବି ଗ୍ରହଣ କରାଗଲାଣି। ଅଧିକାଂଶ ହୋଟେଲରେ ଏହି ଟେବୁଲ ହପିଂ ମ୍ୟାଜିକ ପରିବେଷଣ ପାଇଁ ମୋଟା ଅଙ୍କର ଦରମା ଦେଇ ଯାଦୁକରଙ୍କୁ ନିଯୁକ୍ତି ଦିଆଯାଉଛି। ଯୁୁବପିଢ଼ିଙ୍କର ମଧ୍ୟ ଏ ନେଇ ଆଗ୍ରହ ବଢ଼ିଛି। ନିଜ ନିଶା ବା ଆଗ୍ରହକୁ ନେଇ ଯେ ଜୀବିକା ବନେଇହୁଏ, ଯାଦୁଖେଳ ଏହାର ଏକ ଶ୍ରେଷ୍ଠ ଉଦାହରଣ ସାଜିଛି।
ଆଦୃତି ଲାଭ କରୁଛି ଯାଦୁ ବିଦ୍ୟା
ହୋଟେଲ ମାରିଅନରେ ଏହି ଟେବୁଲ ହପିଂ ମ୍ୟାଜିକ ଦେଖାଉଥିବା ମ୍ୟାଜିସିଆନ୍ ବିଷ୍ଣୁପ୍ରସାଦ କୁହନ୍ତି, ୨୦୦୮ ମସିହାରେ ପ୍ରଥମେ ଓଡ଼ିଶାକୁ ଏହି ଟେବୁଲ ହପିଂ ମ୍ୟାଜିକ ଆସିଥିଲା। ଧୀରେ ଧୀରେ ଏହା ଲୋକପ୍ରିୟ ହେବା ସହ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ଏହି ଟେବୁଲ ହପିଂ ମ୍ୟାଜିକ ଦେଖାଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଗଲା। ମ୍ୟାଜିକ୍ ପ୍ରତି ଲୋକମାନଙ୍କର ଆଗ୍ରହ ସବୁବେଳେ ରହି ଆସୁଥିବାରୁ ଏହା ଦିନକୁ ଦିନ ଅଧିକ ଆଦୃତ୍ତି ଲାଭ କରିବାରେ ଲାଗିଛି। ଢେଙ୍କାନାଳରେ ଜନ୍ମିତ ବିଷ୍ଣୁ ପ୍ରସାଦ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍ ସିଜିନ୍-୮ରେ ଅଂଶଗ୍ରହଣ କରି ସମସ୍ତ ବିଚାରକ ଓ ଦର୍ଶକଙ୍କୁ ନିଜ ମ୍ୟାଜିକ୍ ପ୍ରତିଭାରେ ସ୍ତବ୍ଧ କରି ଦେଇଥିଲେ। ବର୍ତ୍ତମାନ ସେ ଦେଶ ଓ ବିଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ଷ୍ଟେଜ୍ ସୋ’ କରିବା ସହ ହୋଟେଲ ମାରିଅନ୍ରେ ଟେବୁଲ ହପିଂ ମ୍ୟାଜିକ୍ ପ୍ରଦର୍ଶିତ କରି ଗ୍ରାହକଙ୍କୁ ମନୋରଞ୍ଜନ କରାଉଛନ୍ତି।