ସ୍ବପ୍ନର ଇଲାକାରେ ନିଆରା ବିବାହ

ବିବାହ। ଜୀବନର ଏକ ନିଆରା ଅନୁଭୂତି। ଏହି ଅନୁଭୂତିକୁ ସ୍ମୃତିର ସୁନେଲି ଇଲାକାରେ ସାଇତି ରଖିବାକୁ କିଏ କେତେ ଯୋଜନା କରୁଛି। କିଏ କ୍ୟା‌ମେରାର ଲେନ୍ସରେ ତ’ ଆଉ କିଏ ସେଇ ଅପାସୋରା ସ୍ମୃତିର ମୁହୂର୍ତ୍ତଗୁଡ଼ିକୁ ସିଡି ଭିତରେ କଏଦ କରି ସାଇତି ଥାଆନ୍ତି। କିନ୍ତୁ ଏସବୁ ଅତି ସାଧାରଣ ଓ ଚିରାଚରିତ ହୋଇଯାଇଥିବା ବେଳେ ବର୍ତ୍ତମାନର ଅତ୍ୟାଧୁନିକ ମଣିଷ ଏଥିରେ କିଛି ନୂତନତ୍ବର ଛୁଙ୍କ ଦେଉଛି। ସେଥିପାଇଁ ତ’ ଏବେ ଅଳଙ୍କାର, ପୋଷାକ, ସାଜସଜ୍ଜା ସହ ବିବାହ ସ୍ଥାନ ବି ଖୋଜାପଡ଼ିଲାଣି। ବେଦି ଆଉ ଦାଣ୍ଡ ଦୂଆରେ ହେଉନାହିଁ। ହେଉଛି ସମୁଦ୍ର କୂଳରେ। ନିଜର ସ୍ବପ୍ନର ସ୍ଥାନରେ ନିଆରା ବିବାହ ପାଇଁ ଏବେ ଆପଣାର ପାଲଟିଛି ‘ଡେଷ୍ଟିନେସନ୍‌ ୱେଡିଂ’। ଉପସ୍ଥାପନା: ସସ୍ମିତା ସାହୁ

ତିନି ଦିନିଆ ପ୍ରଥା

ଡେଷ୍ଟିନେସନ୍‌ ୱେଡିଂ ପାଇଁ ବର ଓ କନ୍ୟାଙ୍କ ପରିବାର ୩ଦିନ ବିବାହ ସ୍ଥାନରେ ରୁହନ୍ତି। ପ୍ରଥମ ସଂଧ୍ୟାରେ ମକ୍‌ଟେଲ୍‌ ବା କକ୍‌ଟେଲ୍‌ ପାର୍ଟି, ଦ୍ବିତୀୟ ଦିନରେ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ରୀତିନୀତି ହୁଏ। ଶେଷ ଦିନ ବିବାହ ସମ୍ପନ୍ନ ହୁଏ। ଏହା ଭିତରେ ଉଭୟ ପରିବାର ପରସ୍ପରକୁ ଚିହ୍ନିବାର ସୁଯୋଗ ମିଳିଯାଏ। ଡେଷ୍ଟିନେସନ୍‌ ୱେଡିଂରେ ବରକନ୍ୟା ବିବାହ ପୋଷାକରେ ନ ରହିଲେ ବି ଚଳେ। ଏହା ଏକ ଥିମ୍‌ ବିବାହ ହୋଇଥିବାରୁ ଲୋକମାନେ ସାଜସଜ୍ଜା ଓ ମନୋରଞ୍ଜନ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି। ତେବେ ଏହି ବିବାହର ସାଜସଜ୍ଜାରେ ଅଧିକ କପଡ଼ା ବ୍ୟବହୃତ ହୁଏ ନାହିଁ। ଫୁଲ, ଗୁଡ଼ି, ବଲ୍‌ ଓ ଛତା ଆଦିକୁ ନେଇ ସାଜସଜ୍ଜା ପ୍ରସ୍ତୁତ ହୁଏ। ସପ୍ତରଙ୍ଗୀ ‌ରଙ୍ଗ ସହ ନିଜର ସୃଜନାତ୍ମକ କାରିଗରୀରେ ବିବାହ ସ୍ଥାନ ଓ ବେଦିକୁ ସଜ୍ଜାଯାଏ।

ବିଦେଶୀ ପ୍ରଥା

‘ଡେଷ୍ଟିନେସନ୍‌ ୱେଡିଂ’ ହେଉଛି ଏକ ବିଦେଶୀ ସଂସ୍କୃତି। କେଉଁ ପ୍ରାଚୀନ କାଳରୁ ନର୍‌ୱେରେ ଏହା ପ୍ରଚଳିତ। ତେବେ ସାଂସ୍କୃତିକ ଭାବ ବିନିମୟ ସମଗ୍ର ବିଶ୍ବକୁ ଏକ କରିଥିବା ବେଳେ ଏଭଳି ବିବାହକୁ ସାରା ବିଶ୍ବ ଆଦରି ନେଇଛି। ୨୦୧୨ରେ ଏହା ଭାରତକୁ ପ୍ରଥମେ ଆସିଥିବା ବେଳେ ଓଡ଼ିଶା‌ରେ ଏହା ୨୦୧୫ରୁ ଆରମ୍ଭ ହେଲାଣି। ବର ଓ କନ୍ୟାଙ୍କ ଘର ହେଉଁଠି ବି ହେଇଥାଉ ନା କାହିଁକି, ଉଭୟ ପରିବାର ମିଶି ବିବାହ ପାଇଁ ଏକ ସ୍ଥାନ ବାଛି ନିଅନ୍ତି। ଏଠାରେ ବିବାହ ଓ ରିସେପ୍‌ସନ୍‌ ପାର୍ଟି ହୋଇଥାଏ। ଉଭୟ ପୁଅ ଓ ଝିଅ ଘର ସଦସ୍ୟମାନେ ବିବାହର ଗୋଟିଏ ଦିନ ପୂର୍ବରୁ ଏକାସଙ୍ଗେ ମିଶି ରହୁଥିବାରୁ ଉଭୟ ପରିବାର ପରସ୍ପରକୁ ଭଲ ଭାବେ ଚିହ୍ନିବାର ମଧ୍ୟ ସୁଯୋଗ ମିଳେ। ଏଭଳି ବିବାହ ଏକ ବନ୍ଧୁ ମିଳନ ଭଳି ଯେଉଁଠାରେ ଉପଭୋଗ କରିବାର ବହୁ ସୁଯୋଗ ମିଳେ।

କେଉଁଠି ହୁଏ

ଓଡ଼ିଶାରେ ବେଶି ସ୍ଥାନ ନଥିଲେ ବି ସମୁଦ୍ର କୂଳିଆ ସ୍ଥାନକୁ ବେଶୀ ଗୁରୁତ୍ବ ଦିଆଯାଏ। ତେଣୁ ପୁରୀର ମେ’ଫେୟାର ରିସୋର୍ଟ, ସ୍ବସ୍ତି ଚିଲିକା ରିସୋର୍ଟ ଓ ରମ୍ଭାରେ ଡେଷ୍ଟିନେସନ୍‌ ୱେଡିଂ ପ୍ରାୟତଃ ଆୟୋଜନ କରାଯାଏ। ଏଭଳି ବିବାହରେ ଇଭେଣ୍ଟ୍‌ ପରିଚାଳନା କରୁଥିବା କମ୍ପାନି ସମସ୍ତ ସାଜସଜ୍ଜାର ବ୍ୟବସ୍ଥା କରିବା ସହ ବର ଓ କନ୍ୟାଙ୍କ ପରିବାରବର୍ଗ ବିବାହ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଫ୍ଲାଇଟ୍‌, ଟ୍ରେନ୍‌ କିମ୍ବା ବସ୍‌ ଟିକେଟ୍‌ଠାରୁ ଆରମ୍ଭ କରି କ୍ୟାବ୍‌ ଆଦି ବୁକିଂର ବ୍ୟବସ୍ଥା କରିଥାଏ। ସହିଦ ନଗରସ୍ଥିତ ଆମେଷ୍ଟ୍ରୋ ଇଭେଣ୍ଟ୍‌ସ୍‌ର ସତ୍ତ୍ବାଧିକାରୀ ନିରୋଜ କୁମାର ସାହୁ କୁହନ୍ତି, ଡେଷ୍ଟିନେସନ୍‌ ‌ୱେଡିଂରେ ଆତିଥ୍ୟ ଠିକ୍‌ ଭାବେ ଯୋଗାଇବା ଆମର ପ୍ରଥମ କାମ।

ଚାହିଦାରେ ଜୟମାଳା କନ୍‌ସେପ୍ଟ

ଏଭଳି ବିବାହ ପାଇଁ ଥିମ୍‌ ଓ କନ୍‌ସେପ୍ଟକୁ ନେଇ ଟଙ୍କା ରହିଛି। ସାଜସଜ୍ଜା ତ’ କିଏ ବର କନ୍ୟାଙ୍କ ପ୍ରବେଶକୁ ନେଇ ବିଷୟବସ୍ତୁ ବାଛନ୍ତି। କେତେବେଳେ କନ୍ୟାର ଫୁଲର ଚାଦର ବା ପାଲିଙ୍କିରେ ପ୍ରବେଶ ତ’ ଆଉ କେବେ ଫୁଟୁଥିବା ବାଣ (କୋଲ୍‌ଡ ପାଇରୋ) ଭିତରୁ ପ୍ରବେଶ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଅନୁଭବ ଦିଏ। ‌େତବେ ସବୁଠୁ ଚର୍ଚ୍ଚାରେ ରହିଛି ଜୟମାଳା କନ୍‌ସେପ୍ଟ। ପ୍ରେମ ବାର୍ତ୍ତାର ପୃଷ୍ଠାରୁ ବର କନ୍ୟାଙ୍କ ପ୍ରବେଶ ଅବା ଘୁରୁଥିବା ‌ମଞ୍ଚ ଭିତରୁ ଧୀରେଧୀରେ ୬ ଫୁଟ ଉଚ୍ଚତାକୁ ଯାଇ ବର କନ୍ୟାଙ୍କ ପ୍ରବେଶ ଆଖି ଝଲସେଇ ଦିଏ। ସାଧାରଣତଃ ୧୦୦ ଜଣଙ୍କୁ ନେଇ ଏହି ଡେଷ୍ଟିନେସନ୍‌ ୱେଡିଂ ଆୟୋଜନ ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

ସମ୍ବନ୍ଧିତ ଖବର