ଏଇ ପିତୁଳିଆ ପତ୍ରକୁ ଶାଗଭାଜି ଖାଇଲେ ଦୂର ହେବ ଅନେକ ରୋଗ

ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର କେତେକ ଅଞ୍ଚଳରେ ନଳିତା ଚାଷ କରାଯାଏ। କଅଁଳିଆ ନଳିତା ପତ୍ରକୁ ଶାଗ ଭାଜି ବା ଝୋଳ କରି ଖିଆଯାଏ। ନଳିତା ପତ୍ରର ଧାର ଦାନ୍ତୁରିଆ ଏବଂ ସ୍ୱାଦ ପିତୁଳିଆ। ନଳିତା ଶାଗ ଖାଲି ଶାଗ ନୁହେଁ; ଏଥିରେ ରହିଛି ରୋଗ ଉପସମକାରୀ ଔଷଧୀୟ ଗୁଣ। କେତେକ ଅଞ୍ଚଳରେ ଏହାକୁ ପାଟଶାଗ ମଧ୍ୟ କହନ୍ତି।

ରକ୍ତ ଜମାଟ ବାନ୍ଧେ: ନଳିତା ପତ୍ରରେ ଯଥେଷ୍ଟ ପରିମାଣର ଭିଟାମିନ୍‌ କେ ଥିବାରୁ ଏହା କ୍ଷତସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୁଏ। ଯକୃତର ରକ୍ତ କ୍ଷରଣ ମଧ୍ୟ ଏହା ବନ୍ଦ କରିଥାଏ। ଶରୀରରୁ ଭିଟାମିନ୍‌ କେ ହ୍ରାସ ପାଇବାଜନିତ ରୋଗ, କୋଲାଇଟିସ୍‌, ଅବ୍‌ଷ୍ଟ୍ରକ୍‌ସନ୍‌, ସ୍ପ୍ରୁ ଏବଂ କ୍ରୋନ୍‌ସ୍‌ ଆଦି ଯୋଗୁଁ ଉପୁଜିଥିବା ଅନ୍ତଃନନଳୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ନଳିତା ପତ୍ର ଖାଇଲେ କମିଯାଏ।

ଆଖିକୁ ସୁରକ୍ଷା ଦିଏ: ଶରୀରରେ ପୋଷକତତ୍ତ୍ୱର ଅଭାବ ଯୋଗୁଁ ଅନେକ ପ୍ରକାର ଚକ୍ଷୁ ରୋଗ ହୁଏ। ଫୋଲେଟ୍‌ ଭଳି ଭିଟାମିନ୍‌ ସହ ଭିଟାମିନ୍‌ ବି୬ ଖାଇଲେ ଆଖିର ସମସ୍ତ ଅବିଗୁଣ ଦୂର ହୋଇଥାଏ। ନଳିତା ପତ୍ରରେ ୦.୪୯୬ ମିଲିଗ୍ରାମ୍‌ ଭିଟାମିନ୍‌ ବି୬ ଥିବାରୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆଖିର ବିଭିନ୍ନ ରୋଗରୁ ଉପସମ ମିଳିଥାଏ।

ଜୀବକୋଷ ବଢ଼ାଇ ଚର୍ମ ସୁସ୍ଥ ରଖେ: କ୍ଷତ ଶୁଖିବା ଏବଂ ଚର୍ମ କଅଁଳିବା ପାଇଁ ଭିଟାମିନ୍‌ ଏ ଆବଶ୍ୟକ। ଉଭୟ ବାହ୍ୟ ଓ ଆଭ୍ୟନ୍ତର ଚର୍ମକୋଷିକାକୁ ସାହାଯ୍ୟ କରୁଥିବା ଭିଟାମିନ୍‌ ଏ ଚର୍ମ କର୍କଟ ରୋଗ ଦୂର କରିବାରେ ସହାୟକ ହୁଏ। ନଳିତା ପତ୍ରରେ ପ୍ରଚୁର ପରିମାଣର ଭିଟାମିନ୍‌ ଏ ଥିବାରୁ ଚର୍ମ ପାଇଁ ଏହା ଭାରି ଉପାଦେୟ। ଅଧିକ କୋଲାଜେନ୍‌ ତିଆରି କରି ଏହା ଚର୍ମରୁ ଭାଙ୍ଗ ଓ କୁଞ୍ଚ ଆଦି ନାଶ କରି କାନ୍ତି ବଢ଼ାଏ। କେଶରାଶିକୁ ମଧ୍ୟ ସୁସ୍ଥ ରଖେ।

ସର୍ଦ୍ଦି ଦୂରକାରୀ: ନଳିତା ପତ୍ରରେ ଭିଟାମିନ୍‌ ସି ଥିବାରୁ ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରି ସର୍ଦ୍ଦି ଆଦି ଥଣ୍ଡାଜନିତ ରୋଗ ସୃଷ୍ଟି କରୁଥିବା ଭୂତାଣୁଙ୍କୁ ହଟାଇ ଦିଏ। ଥଣ୍ଡା ଧରି ଆସୁଥିବା ବେଳେ ଜଣେ ଦୈନିକ ୧୦୦୦ ମିଲିଗ୍ରାମ୍‌ ଭିଟାମିନ୍‌ ସି ଖାଇବା ଉଚିତ। ଥଣ୍ଡା ଧରିଥିଲେ ଦୈନିକ ୪୦୦୦ ମିଲିଗ୍ରାମ୍‌ ଭିଟାମିନ୍‌ ସି ଖାଇବା ଆବଶ୍ୟକ। ତେଣୁ ଥଣ୍ଡା ଧରିଥିବା ସମୟରେ ନଳିତା ପତ୍ର ଖାଇଲେ ନିମୋନିଆ ଓ ଫୁସ୍‌ଫୁସ୍‌ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଦୂର ହୋଇଥାଏ।

କୋଲେଷ୍ଟେରୋଲ୍‌ କମାଏ: ନଳିତା ପତ୍ରରେ ୦. ୨୨୨ ମିଲିଗ୍ରାମ୍‌ ତମ୍ବା ଥିବାରୁ ଏହା ଶରୀରରୁ କୋଲେଷ୍ଟରୋଲ୍‌ ସ୍ତର ହ୍ରାସ କରିଥାଏ। ଫଳରେ ଆଥେରୋସ୍‌କ୍ଲେରୋସିସ୍‌, ହୃଦ୍‌ଘାତ, ଏବଂ ଷ୍ଟ୍ରୋକ୍‌ ଆଦି ରୋଗ ହେବାର ଆଶଙ୍କା ବହୁ ପରିମାଣରେ କମିଯାଏ।

କର୍କଟ ରୋଗ ଉପସମକାରୀ: ନଳିତା ପତ୍ରରେ ଭିଟାମିନ୍‌ ବି୯ ଥିବାରୁ ଏହା ମଣିଷ ଶରୀରରେ କ୍ୟାନ୍‌ସର୍‌ କରାଇ ଦିଏ ନାହିଁ। କଲୋନ୍‌ କ୍ୟାନ୍‌ସର୍‌, ସର୍ଭିକାଲ୍‌ କ୍ୟାନ୍‌ସର୍‌ ଏବଂ ଲଙ୍ଗ୍‌ସ୍‌ କ୍ୟାନ୍‌ସର୍‌ ଆକ୍ରମଣ କରିବାର ଆଶଙ୍କା ମଧ୍ୟ କମାଇ ଦିଏ ନଳିତା ପତ୍ର। ଏଇରେ ୦.୦୯ ମିଲିଗ୍ରାମ୍‌ ଭିଟାମିନ୍‌ ବି୯ ଥାଏ।

ଦାନ୍ତ ଓ ମାଢ଼ିର ରକ୍ଷକ: କାଲ୍‌ସିୟମ୍‌ ଦାନ୍ତ ଓ ମାଢ଼ିକୁ ବ୍ୟାକ୍ଟେରିଆଙ୍କ କବଳରୁ ସୁରକ୍ଷା ଦେଇଥାଏ। ନିୟମିତ ନଳିତାପତ୍ର ଖାଇବା ଦ୍ୱାରା ଯଥେଷ୍ଟ ପରିମାଣର କ୍ୟାଲ୍‌ସିୟମ୍‌ ମିଳିଥାଏ। ଏଥିରେ ୧୮୪ ମିଲିଗ୍ରାମ୍‌ କ୍ୟାଲ୍‌ସିୟମ୍‌ ଥିବାରୁ ପିଲାମାନଙ୍କୁ ନଳିତା ଶାଗ ଖୁଆଇବା ଉଚିତ।

ଆଜ୍‌ମା ଉପସମ କରେ: ନଳିତାପତ୍ରରେ ମାଗ୍ନେସିୟମ୍‌ ଥିବାରୁ ଏହା ଅଜ୍‌ମା ଉପସମ କରେ। ଏଥିରେ ଥିବା ମାଗ୍ନେସିୟମ୍‌ ବୋଙ୍କିଆଲ୍‌ ମସଲ୍‌ସ୍‌କୁ ଶିଥିଳ କରି ନିଶ୍ୱାସ ପ୍ରଶ୍ୱାସ ଚାଲୁ ରଖିବାରେ ସାହାଯ୍ୟ କରେ।

ସମ୍ବନ୍ଧିତ ଖବର