କଦଳୀଭଣ୍ଡା ପରି ଦିଶୁଥିବା ଫଳର ଔଷଧୀୟ ଗୁଣ

କେନ୍ଦ୍ରୀୟ ଆମେରିକାରେ ଜାତ ବୋଲି ବିଶ୍ୱାସ କରାଯାଉଥିବା ଏହି ଫଳଟି କାରିବିୟାନ୍‌ ଉପକୂଳରେ ଚାଷ ହେଉଥିଲା। ଔଷଧୀୟ ଗୁଣ ଥିବା ଯୋଗୁଁ କେବଳ ଫଳ ନୁହେଁ ଏହାର ପତ୍ର, ମଞ୍ଜି ଏବଂ ଫୁଲ ମଧ୍ୟ ମୂଲ୍ୟବାନ ବୋଲି ବିଚାର କରାଯାଏ। ନାମଜାଦା ନାବିକ କ୍ରିଷ୍ଟୋଫର୍‌ କଲମ୍ବସ୍‌ ଏହାକୁ ‘ଦେବଦୂତଙ୍କ ଫଳ’ ବୋଲି କହୁଥିଲେ। ଏଥିରେ ଥିବା ‘ପାପେନ୍‌’ ନାମକ ରସ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ୱ ହିଁ ଏହାକୁ ଏତେ ମୂଲ୍ୟବାନ କରିଛି। କଦଳୀ ଭଣ୍ଡା ସଦୃଶ ହୋଇଥିବାରୁ ଓଡ଼ିଆରେ ଏହି ବିଦେଶୀ ଫଳକୁ ‘ଅମୃତଭଣ୍ଡା’ କୁହାଯାଏ।

ହଜମକାରକ: ଅମୃତଭଣ୍ଡାରେ ଥିବା ପାପେନ୍‌ ନାମକ କ୍ଷାର ପୁଷ୍ଟିସାରକୁ ଭାଙ୍ଗି ହଜମକ୍ରିୟାରେ ସହାୟତା କରେ। ତେଣୁ କୋଷ୍ଠକାଠିନ୍ୟ କି, ଅନ୍ୟାନ୍ୟ କିଛି ହଜମଜନିତ ସମସ୍ୟା ଉପୁଜିଲେ ଗିଲାସେ ଅମୃତଭଣ୍ଡା ରସ ପିଇବା ଭଲ। ଏହା ବ୍ୟତିରକେ, ଏଥିରେ ତନ୍ତୁ ଓ ଜଳୀୟ ଅଂଶ ଥିବାରୁ ଅନ୍ତଃନଳୀ ପାଇଁ ଉପକାରୀ।

ସଂକ୍ରମଣ ନିରୋଧୀ: ପାପେନ୍‌ ଛଡ଼ା ଅମୃତଭଣ୍ଡାରେ ଅନ୍ୟାନ୍ୟ ଫଳପ୍ରଦ କ୍ଷାର ଥିବାରୁ ଏହା ସଂକ୍ରମଣ ଉପସମ କରିବା ସହ କ୍ଷତ ଭଲ କରେ।

ହୃଦ୍‌ରୋଗ ଓ କର୍କରୋଗ ଉପସମକାରକ: ଅମୃତଭଣ୍ଡାରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ ଏବଂ ଫାଇଟୋ ନ୍ୟୁଟ୍ରିୟେଣ୍ଟ୍‌ ଶରୀରରୁ ନଷ୍ଟ ଜୀବକୋଷ ନିଷ୍କାସନ କରି ସମ୍ଭାବ୍ୟ ହୃଦ୍‌ରୋଗ ଏବଂ କର୍କଟ ରୋଗ ହେବାର ଆଶଙ୍କାକୁ ଟାଳି ଦେଇଥାଏ। ବିଶେଷତଃ, ଏଥିରେ ଥିବା ତନ୍ତୁ, ପଟାସିୟମ୍‌ ଏବଂ ଭିଟାମିନ୍‌ ମଣିଷକୁ ହୃଦ୍‌ରୋଗ କବଳରୁ ରକ୍ଷା କରେ।

ମଧୁମେହ ନିୟନ୍ତ୍ରଣ କରେ: ଅଧିକ ତନ୍ତୁ ଥିବାରୁ ଅମୃତଭଣ୍ଡା ଖାଇଲେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ ବୋଲି ଗବେଷକମାନେ କହୁଛନ୍ତି। କେତେକ ମଧୁମେହ ନିୟନ୍ତ୍ରଣ କରିବାକୁ ଅମୃତଭଣ୍ଡାର ଫୁଲ ବ୍ୟବହାର କରନ୍ତି। ଏହି ପିତା ଫୁଲକୁ ସାମାନ୍ୟ ତେଲରେ ପକାଇ ଖରଡ଼ି ଭାତ ସହ ଖିଆଯାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ: ଅମୃତଭଣ୍ଡାରେ ଭିଟାମିନ୍‌ ଏ, ବି, ସି ଓ କେ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରେ। ଶରୀରର ଟିସ୍ୟୁ, ଚର୍ମର ଓ କେଶର କାନ୍ତି ବଢ଼ାଇବାକୁ ଏହା ଭଲ କାମ କରେ। ତେଣୁ ଦୈନିକ ଗୋଟାଏ ମଧ୍ୟମ ଧରଣର ଅମୃତଭଣ୍ଡା ଖାଇଲେ ଜଣେ ଦୈନିକ ଆବଶ୍ୟକ କରୁଥିବା ଭିଟାମିନ୍‌ ପାଇ ପାରିବେ।

ଗଣ୍ଠିବାତ ଉପସମକାରୀ: ଅମୃତଭଣ୍ଡାରେ କାଲ୍‌ସିୟମ୍‌, ପଟାସିୟମ୍‌, ମାଗ୍ନେସିୟମ୍‌ ଏବଂ କପର୍‌ ଭଳି ଖନିଜ ଲବଣ ଥିବାରୁ ଏହା ଗଣ୍ଠିବାତ ପାଇଁ ଭଲ କାମ ଦିଏ। ଏଥିରୁ କାଲ୍‌ସିୟମ୍‌ ଯାଇ ଶରୀରରେ ଗଚ୍ଛିତ ହୋଇ ରହିବା ଦ୍ୱାରା ଗଣ୍ଠିବାତରୁ କିଛିମାତ୍ରାରେ ଉପସମ ମିଳିଥାଏ।

ଡେଙ୍ଗୁ ଆରୋଗ୍ୟକାରୀ: ଅମୃତଭଣ୍ଡା ପତ୍ରକୁ ବାଟି ତା’ର ରସ ପଇଲେ ଡେଙ୍ଗୁ ରୋଗ ଭଲ ହୋଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହୁଛନ୍ତି। ଏହା ପିଇବା ଦ୍ୱାରା ଡେଙ୍ଗୁ ଦ୍ୱାରା ଶରୀରରେ ନଷ୍ଟ ହୋଇଥିବା ବ୍ଲଡ୍‌ ପ୍ଲେଟେଲେଟ୍‌ସ୍‌ କାଉଣ୍ଟ୍‌ ବଢ଼ି ଯାଇଥାଏ।

ସମ୍ବନ୍ଧିତ ଖବର