ହାତର ବିଭିନ୍ନ ମୁଦ୍ରା ଦ୍ୱାରା କେମିତି ରଖିବେ ଶରୀରକୁ ସୁସ୍ଥ? ଆସନ୍ତୁ ଜାଣିବା

ବ୍ରହ୍ମାଣ୍ଡ ୫ଟି ପଦାର୍ଥ ପୃ୍‌ଥିବୀ,ବାୟୁ,ଜଳ,ଅଗ୍ନି ଏବଂ ଆକାଶକୁ ନେଇ ଗଠିତ ହୋଇଥିବା ଭଳି ମଣିଷର ଶରୀର ମଧ୍ୟ ୫ଟି ପଦାର୍ଥକୁ ନେଇ ଗଠିତ । ମଣିଷକୁ ସମ୍ପୁର୍ଣ୍ଣ ସୁସ୍ଥ ରହିବା ପାଇଁ ହେଲେ ଏହି ୫ଟି ଜିନିଷକୁ ନିୟନ୍ତ୍ରଣ କରିବାକୁ ହୋଇଥାଏ । କାରଣ ଯଦି ଏହି ୫ଟି ଜିନିଷକୁ ନିୟନ୍ତ୍ରଣ କରା ନ ଯାଇ ପାରିଲା ତେବେ ଶରୀରର ରୋଗ ପ୍ରତିଷୋଧକ ଶକ୍ତି କମିବା ସହ ବିଭିନ୍ନ ରୋଗ ବାହାରି ଥାଏ । ଆପଣ ଏବେ ଭାବୁ ଥିବେ ଏହି ୫ଟି ପଦାର୍ଥକୁ ଆପଣ ନିୟନ୍ତ୍ରଣ କରିବେ କିପରି ? ଚିନ୍ତା କରିବାର କିଛି ନାହିଁ । ପ୍ରତି ଦିନ ହସ୍ତ ମୁଦ୍ରା କରି ଆପଣ ଏହି ୫ଟି ଜିନିଷକୁ ନିୟନ୍ତ୍ରଣ କରି ପାରିବେ । ଆପଣ ଏବେ ଭାବୁଥିବେ କି ହସ୍ତମୁଦ୍ରା ଦ୍ୱାରା କିପରି ଏହା ସମ୍ଭବ । କିନ୍ତୁ ଆପଣ ଜାଣିଛନ୍ତି କି ଶରୀରରେ ଥିବା ଏହି ୫ଟି ପଦାର୍ଥ ଆମ ହାତର ୫ ଆଙ୍ଗୁଠି ସହ ଜଡ଼ିତ ବୋଲି । ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ହସ୍ତମୁଦ୍ରା ଦ୍ୱାରା ଆପଣ କିପରି ନିଜକୁ ଫିଟ୍‌ ରଖିବେ । ତା’ ପୂର୍ବରୁ ଆମେ ଜାଣିବା ହାତର କେଉଁ ଆଙ୍ଗୁଠି ଶରୀରର କେଉଁ ପଦର୍ଥ ସହ ଜଡ଼ିତ । ବୃଦ୍ଧା ଆଙ୍ଗୁଠି ଅଗ୍ନିକୁ ଦର୍ଶାଉଥିବା ବେଳେ ବିଶି ଆଙ୍ଗୁଠି ବାୟୁ,ମଧ୍ୟମ ଆଙ୍ଗୁଠି ଆକାଶ , ଅନାମିକା ଆଙ୍ଗୁଠି(ରିଙ୍ଗ୍‌ ଫିଙ୍ଗର)ପୃଥିବୀ ଏବଂ କନିଷ୍ଠ ଆଙ୍ଗୁଠି ଜଳକୁ ଦର୍ଶାଇଥାଏ । ପାଖା ପାଖି ୧୦୦ଟି ମୁଦ୍ରା ରହିଛି, ସେ ଭିତରୁ କିଛି ସ୍ୱାସ୍ଥ୍ୟ ପାଇଁ କରାଯାଉଥିବା ଥିବା ବେଳେ କିଛି ମାନସିକ ଶାନ୍ତି ପାଇଁ କରାଯାଇଥାଏ । ବିଭିନ୍ନ ରୋଗ ପାଇଁ ବିଭିନ୍ନ ପ୍ରକାରର ମୁଦ୍ରା ରହିଛି ।

ଜ୍ଞାନ ମୁଦ୍ରା: ଜ୍ଞାନ ମୁଦ୍ରା ହେଉଛି ଅତ୍ୟନ୍ତ ସାଧାରଣ ମୁଦ୍ରା ଯାହାକୁ କି ବିଭିନ୍ନ ସାଧୁ ଏବଂ ଯୋଗୀମାନେ କରିଥାନ୍ତି । ଏହି ମୁଦ୍ରାରେ ବିଶି ଆଙ୍ଗୁଠିକୁ ବୃଦ୍ଧା ଆଙ୍ଗୁଠି ଉପରେ ରଖିବା ସହ ଦୁଇ ଆଙ୍ଗୁଠି ମଧ୍ୟରେ ଥିବା ଶକ୍ତି ଅନୁଭବ କରିବା ପାଇଁ ଅଧିକ ଚାପ ପ୍ରୟୋଗ କରନ୍ତୁ । ଏହା କରିବା ଦ୍ୱାରା ବୁଦ୍ଧି ଏବଂ ଜ୍ଞାନ ବଢ଼ିବା ସହ ମନକୁ ଶାନ୍ତ ମିଳିଥାଏ। ପୁଣି ମାନସିକ ରୋଗଦୂର ହେବା ସହ ମନକୁ ଖୁସି ମିଳିଥାଏ ।

ଶୂନ୍ୟ ମୁଦ୍ରା: ଏଥିରେ ମଧ୍ୟମ ଆଙ୍ଗୁଠିକୁ ବୃଦ୍ଧ ଆଙ୍ଗୁଠି ତଳେ ରଖନ୍ତୁ ଏବଂ ବୃଦ୍ଧ ଆଙ୍ଗୁଠି ସାହାଯ୍ୟରେ ଏହାକୁ ଦବାନ୍ତୁ । ଏହି ପରି କରି ଦୁଇ ହାତକୁ ଆଣ୍ଠୁ ଉପରେ ରଖନ୍ତୁ ଯେପରି ଆପଣଙ୍କ ହାତର ପାପୁଲି ଉପରକୁ ରହିବ । ପ୍ରତିଦିନ ଏହାକୁ ୨୦-୩୦ମିନିଟ୍‌ କରିବା ଦ୍ୱାରା ମୁଣ୍ଡ ବୁଲାଇବା, ବାନ୍ତି ହେବା ଏବଂ ଥାଇରଏଡ଼ ଭଳି ଅସୁବିଧାକୁ ମୁକ୍ତି ମିଳିଥାଏ ।

ଅପନ ମୁଦ୍ରା: ଏହି ମୁଦ୍ରାରେ ମଧ୍ୟମ ଆଙ୍ଗୁଠି,ବୃଦ୍ଧ ଆଙ୍ଗୁଠି ଏବଂ ଅନାମିକା ଆଙ୍ଗୁଠିକୁ ସଂଯୋଗ କରାଯାଇଥାଏ । ଏହି ମୁଦ୍ରା ଶରୀରକୁ ବିଶୁଦ୍ଧ କରିଥାଏ । ପିଲାଜନ୍ମ ସମୟରେ ମହିଳାମାନେ ଏହା କଲେ ଅଧିକ ଲାଭ ମିଳିଥାଏ ।

ପ୍ରାଣ ମୁଦ୍ରା: ଏହି ମୁଦ୍ରାରେ ଅନାମିକା ଆଙ୍ଗୁଠି ଏବଂ କନିଷ୍ଠ ଆଙ୍ଗୁଠିକୁ ତଳକୁ ବଙ୍କା କରି ବୃଦ୍ଧ ଆଙ୍ଗଠି ଉପରେ ରଖିବା ସହ ଅନ୍ୟ ଦୁଇ ଆଙ୍ଗୁଠିକୁ ଟାଣିକରି ରଖନ୍ତୁ । ଏହା କରିବା ଦ୍ୱାରା ଶରୀରର ଶକ୍ତ ବୃଦ୍ଧି ହେବା ସହ ଆଖି ଏବଂ ଶୀରାରେ ହେଉଥିବା ଅସୁବିଧାକୁ ଦୂର କରେ । ଏହି ମୁଦ୍ରାର ଅଭ୍ୟାସ ଶରୀରର ଭିଟାମିନ ପରିମାଣକୁ ନିୟନ୍ତ୍ରଣ ମଧ୍ୟ କରେ ।

ବାୟୁ ମୁଦ୍ରା: ଏହି ମୁଦ୍ରାରେ ବିଶି ଆଙ୍ଗୁଠିକୁ ବୃଦ୍ଧା ଆଙ୍ଗୁଠି ତଳେ ରଖି ଚାପିବା ସହ ଅନ୍ୟ ୩ ଆଙ୍ଗୁଠିକୁ ସିଧା ରଖନ୍ତୁ । ଏହି ମୁଦ୍ରା ବାୟୁ ଜନିତ ରୋଗରୁ ମୁକ୍ତ ରଖିଥାଏ । ଏହା କରିବା ଦ୍ୱାରା ଚିନ୍ତା,ଡ଼ର,ନିଦ୍ରାହିନତା ଇତ୍ୟାଦି ଦୂର ହୋଇଥାଏ ।

ପୃଥିବୀ ମୁଦ୍ରା: ଏଥିରେ ଅନାମିକା ଆଙ୍ଗୁଠିକୁ ବୃଦ୍ଧା ଆଙ୍ଗୁଠି ସହ ଯୋଡ଼ି ଅନ୍ୟ ତିନୋଟି ଆଙ୍ଗୁଠିକୁ ସିଧା ରଖନ୍ତୁ। ଏପରି କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ଅବସ୍ଥା ସୁଦୃଢ଼ ହୋଇଥାଏ ।

ବରୁଣ ମୁଦ୍ରା: ବୃଦ୍ଧ ଆଙ୍ଗୁଠିକୁ କନିଷ୍ଠ ଆଙ୍ଗୁଠି ସହ ଯୋଡ଼ିଲେ ଏହି ମୁଦ୍ରା ତିଆରି ହୋଇଥାଏ । ଏହା ଚର୍ମରୋଗ ଏବଂ ରକ୍ତହୀନତାରୁ ରକ୍ଷା କରିଥାଏ ।

ସୂର୍ଯ୍ୟ ମୁଦ୍ରା: ଏହି ମୁଦ୍ରାରେ ବୃଦ୍ଧା ଆଙ୍ଗୁଠିକୁ ଅନାମିକା ଆଙ୍ଗୁଠି ଉପରେ ରଖି ଚାପ ପ୍ରଯୋଗ କରନ୍ତୁ । ଏହି ମୁଦ୍ରା କୋଲେଷ୍ଟରଲ୍‌କୁ କମ କରିବା ସହ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରେ । ଏହା କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍‌ ରହିଥାଏ ।

ଲିଙ୍ଗ ମୁଦ୍ରା: ଏହି ମୁଦ୍ରାରେ ଦୁଇ ହାତର ଆଙ୍ଗୁଠିକୁ ପରସ୍ପର ମଧ୍ୟରେ ଛନ୍ଦି ଦିଅନ୍ତୁ । ଏହା ପରେ ବାମ ବୃଦ୍ଧା ଆଙ୍ଗଠିକୁ ଉପରକୁ ରଖି ଡ଼ାହାଣ ବୃଦ୍ଧା ଆଙ୍ଗଠିକୁ ତା ଚାରି ପାଖେ ବୁଲାଇ ରଖନ୍ତୁ । ଏହି ମୁଦ୍ରା କରିବା ଦ୍ୱାରା କଫ ହୋଇ ନଥାଏ।

ବ୍ରହ୍ମ ମୁଦ୍ରା: ଏହି ମୁଦ୍ରାରେ ଦୁଇ ହାତର ଆଙ୍ଗୁଠିକୁ ବୃଦ୍ଧା ଆଙ୍ଗୁଠି ଉପରେ ଚାପି ମୁଥି ପରି ରଖନ୍ତୁ । ପରେ ପେଟ ଏବଂ ଛାତି ମଧ୍ୟରେ ଏହାକୁ ରଖି ଧୀରେ ଧୀରେ ଚିପନ୍ତୁ । ଏପରି କରିବା ଦ୍ୱାରା ଫୁସ୍‌ଫୁସ୍‌ରେ ଅମ୍ଲଜାନର ମାତ୍ରା ବୃଦ୍ଧି ହୋଇଥାଏ ।

ସମ୍ବନ୍ଧିତ ଖବର