ଓଡ଼ିଆ ଯୁବକ ଶଶାଙ୍କ ଶେଖର ଦାସ ନେପାଳର ଗାନ୍ଧୀ ଶାନ୍ତି ଆମ୍ବାସଡର

ପେପର ବୟ ଭାବେ ଜଣାଶୁଣା ଓଡ଼ିଆ ଯୁବକ ଶଶାଙ୍କ ଶେଖର ଦାସ ଭାରତର ଗାନ୍ଧୀ ଶାନ୍ତି ଆମ୍ବାସଡର ହେବାର ଗୌରବ ଲାଭ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ, ଅହିଂସା, ସହନଶୀଳତା ଓ ବିଶ୍ବଶାନ୍ତିର ପ୍ରଚାର ପ୍ରସାର କରୁଥିବା ନେପାଳର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତାଙ୍କୁ ଏହି ଗାନ୍ଧୀ ଶାନ୍ତି ଆମ୍ବାସଡର ଭାବେ ନିଯୁକ୍ତି ଦେଇଛି। ବିଶ୍ବର ବିଭିନ୍ନ ସମ୍ବାଦପତ୍ର ସଂଗ୍ରହ କରି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସର ଅଧିକାର ହୋଇପାରିଥିବା ଶଶାଙ୍କ ରାଜ୍ୟରେ ପେପର ବୟ ନାମରେ ପରିଚିତ। ଏପରିକି ତାଙ୍କର ଏହି ବିଭିନ୍ନ ସମ୍ବାଦପତ୍ର ସଂଗ୍ରହର ନିଶା ତାଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ମଧ୍ୟ ସ୍ଥାନିତ କରିବାକୁ ଯାଉଛି। ଖୁବ୍‌ଶୀଘ୍ର ସେ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଯାଉଛନ୍ତି। ଶଶାଙ୍କ ନିଜେ ଗାନ୍ଧୀବାଦୀ ଆଦର୍ଶକୁ ମାନି ଚଳୁଥିବା ପରିବାରର ଅଂଶବିଶେଷ। ତାଙ୍କ ଜେଜେ ବାପା ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ହରିଜନ ପଦଯାତ୍ରାରେ ଅଂଶୀଦାର ଥିଲେ। ଯାଜପୁରର ବରୀ ଅଞ୍ଚଳର ଶଶାଙ୍କ ଗାନ୍ଧୀଜୀଙ୍କ ଆଦର୍ଶରେ ବଢ଼ି ଆସିଛନ୍ତି। ଏଥିସହ ସେ ନିଜ ଗାଁ ଔରଙ୍ଗାବାଦରେ ସଂଗୃହୀତ ବିଭିନ୍ନ ସମ୍ବାଦପତ୍ରକୁ ନେଇ ଏକ ସଂଗ୍ରହାଳୟ ସ୍ଥାପନ କରିଛନ୍ତି। ଦୁଇଟି ବହି ଲେଖିବା ସହ ପରିବେଶ ସୁରକ୍ଷା ଓ ସମାଜସେବା ଦିଗରେ ମଧ୍ୟ ନିଜକୁ ନିୟୋଜିତ କରିଆସିଛନ୍ତି। ଗାନ୍ଧୀ ଶାନ୍ତି ଆମ୍ବାସଡର ଭାବେ ସେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉଦ୍ଦେଶ୍ୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ବ ନେବେ। ଗାନ୍ଧୀଜୀଙ୍କ ହରିଜନ ପଦଯାତ୍ରାକୁ ପୁନଃ ଚାଲୁ କରିବା ପାଇଁ ଚଳିତବର୍ଷ ନଭେମ୍ବରରେ ସେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ହରିଜନ ପଦଯାତ୍ରାରେ ଯିବେ। ଗାନ୍ଧୀ ଯାଇଥିବା ରାସ୍ତାରେ ଯିବା ସହ ଗାନ୍ଧୀ ବିଶ୍ରାମ ନେଇଥିବା ସ୍ଥାନରେ ସେ ଅବସ୍ଥାନ କରିବେ।

ସମ୍ବନ୍ଧିତ ଖବର