ଫିଙ୍ଗନ୍ତୁ ନାହିଁ କଖାରୁମଞ୍ଜି: ଏଥିରେ ଅଛି ୧୦ ପ୍ରକାର ଔଷଧ

ଘରେ କଖାରୁ କାଟିଲାବେଳେ କି, ଦୋକାନରୁ ନୋଳାଏ କଖାରୁ ଖରିଦ କରିବାବେଳେ ଅନ୍ତିସହ ତା’ର ମଞ୍ଜିକୁ ଫିଙ୍ଗି ଦିଆଯାଏ। କଖାରୁ ଠାରୁ ଯେ ତା’ର ମଞ୍ଜି ସ୍ୱାସ୍ଥ୍ୟ ପକ୍ଷେ ଶତଗୁଣ ହିତକାରୀ, ଏ କଥା ବୋଧହୁଏ ଅତି କମ୍‌ ଲୋକଙ୍କୁ ଜଣା। କଖାରୁମଞ୍ଜିକୁ ଔଷଧ କହିଲେ ବି ଚଳିବ।

ସୁନିଦ୍ରା କାରକ: କଖାରୁମଞ୍ଜିରେ ମାଗ୍ନେସିୟମ୍‌ ଓ ଟ୍ରାଇପ୍‌ଟୋଫାନ୍‌ ଥିବାରୁ ଏହା ସୁନିଦ୍ରା କାରକ। ନିୟମିତ କଖାରୁମଞ୍ଜି ଖାଇଲେ ଏଥିରେ ଥିବା ଟ୍ରାଇପ୍‌ଟୋଫାନ୍‌ ମନକୁ ଆନନ୍ଦ କରାଉଥିବା ହର୍‌ମୋନ୍‌ ସେରୋଟୋନିନ୍‌ରେ ପରିବର୍ତ୍ତିତ ହୋଇଯାଏ ଏବଂ ମାଗ୍ନେସିୟମ୍‌ ନିଦ୍ରା ଆଣେ।
ରୋଗପ୍ରତିରୋଧକ ଶକ୍ତି ବର୍ଦ୍ଧକ: ଆଣ୍ଟିଅକ୍ସିଡାଣ୍ଟ୍‌, ଭିଟାମିନ୍‌ ଏବଂ ଜିଙ୍କ୍‌ ଭଳି ଖନିଜ ଲବଣ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତ ବଜାୟ ରଖିଥାଏ।
ମଧୁମେହ ଉପସମକାରୀ: ଇନ୍‌ସୁଲିନ୍‌ ନିୟନ୍ତ୍ରଣ ପ୍ରକ୍ରିୟାରେ ଉନ୍ନତି ଆଣୁଥିବାରୁ ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷ ଦୈନିକ କଖାରୁମଞ୍ଜି ଖାଇବା ଭଲ। ଦିନକର ଭୋଜନ ବ୍ୟବଧାନ ମଧ୍ୟରେ କଖାରୁମଞ୍ଜି ଖାଇଲେ ଏହା ଭୋକର ଜ୍ୱାଳା ଅଟକାଇବା ସହ ରକ୍ତଶର୍କରା ସ୍ତର ସ୍ଥିର ରଖିବ।

ହୃତ୍‌ପିଣ୍ଡ ପାଇଁ ଉତ୍ତମ: ହୃତ୍‌ପିଣ୍ଡ ପାଇଁ ଅତ୍ୟାବଶକ ଉପାଦାନ ଆଲ୍‌ଫା-ଲାଇନୋଲେନିକ୍‌ ଏସିଡ୍‌ ଏବଂ ମ୍ୟାଗ୍ନେସିୟମ୍‌ କଖାରୁମଞ୍ଜିରେ ଭରପୂର ହୋଇ ରହିଥିବାରୁ ଏହାକୁ ଖାଇଲେ କରୋନେରି ହୃଦ୍‌ରୋଗର ସମ୍ଭାବନା ହ୍ରାସ ପାଏ।

ବ୍ଲାଡର୍‌ ଷ୍ଟୋନ୍‌ ନିରୋଧୀ: କଖାରୁମଞ୍ଜି ବ୍ଲାଡର୍‌ରେ ଷ୍ଟୋନ୍‌ ବା ପଥୁରି କରାଇଦିଏ ନାହିଁ। ଯେଉଁମାନଙ୍କର ପଥୁରି ସମସ୍ୟା ରହିଛି ସେମାନେ ଦୈନିକ କଖାରୁମଞ୍ଜି ଖାଇବା ଦ୍ୱାରା କାଲ୍‌ସିୟମ୍‌ ଅକ୍ସେଲେଟ୍‌ କ୍ରିଷ୍ଟାଲ୍‌ ସୃଷ୍ଟି ହୋଇ ପାରେ ନାହିଁ।

ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍‌ ନିରୋଧୀ: ପୁରୁଷମାନଙ୍କ ପ୍ରୋଷ୍ଟେଟ୍‌ ସମସ୍ୟା ପାଇଁ କଖାରୁମଞ୍ଜି ଅତି ଉପକାରୀ। ଏଥିରେ ଥିବା ଜିଙ୍କ୍‌ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର୍‌କୁ ପ୍ରତିରୋଧ କରିବା ସହ ପ୍ରୋଷ୍ଟେଟ୍‌ର ଅବସ୍ଥାରେ ଉନ୍ନତି ଆଣେ।

ଗଣ୍ଠିବାତ ନାଶକ: କଖାରୁମଞ୍ଜିରେ ଥିବା ତେଲ ହାଡ଼ ପାଇଁ ଭଲ ହୋଇଥିବାରୁ ଗଣ୍ଠିବାତ ଭୋଗୁଥିବା ଲୋକେ ଏହାକୁ ଖାଇଲେ ଉପକାର ପାଆନ୍ତି। ଏହା ଖୁବ୍‌ ଶୀଘ୍ର ଗଣ୍ଠିବାତର ଯନ୍ତ୍ରଣା କମାଇ ଦିଏ।

ଓଜନ ହ୍ରାସକାରୀ: ଦିନର ଭୋଜନ ମଧ୍ୟରେ କଞ୍ଚା କଖାରୁମଞ୍ଜି ଖାଇଲେ ଏହା ଓଜନ ହ୍ରାସକାରୀ ଔଷଧ ଭଳି କାମ ଦିଏ। କାରଣ ଏହା ଭୋକ ନିୟନ୍ତ୍ରଣ କରି ପକାଉଥିବାରୁ ମଝିରେ ଆଉ ଏଣୁତେଣୁ କିଛି ଖାଇବାକୁ ମନ ହୁଏ ନାହିଁ।

ନାରୀମାନଙ୍କ ପାଇଁ ଅଶେଷ ଉପକାରୀ: କଖାରୁମଞ୍ଜିରେ ଫାଇଟୋଏଷ୍ଟ୍ରୋଜେନ୍‌ ଥିବାରୁ ଏହା ସ୍ତନ କର୍କଟ କରାଇ ଦିଏ ନାହିଁ। ହାଡ଼ ପୋରୁହା ମଧ୍ୟ କରାଇ ଦିଏ ନାହିଁ।

କେଶ ବର୍ଦ୍ଧକ: କଖାରୁମଞ୍ଜିରେ ଜିଙ୍କ୍‌, ଲୌହ, ପୁଷ୍ଟିସାର ଏବଂ ଓମେଗା ଥ୍ରି ଏବଂ ଓମେଗା ସିକ୍ସ ଫ୍ୟାଟି ଏସିଡ୍‌ ଥିବାରୁ ଏହା କେଶରାଶି ବଢ଼ାଇବାରେ ସହାୟକ ହୋଇଥାଏ। ନିୟମିତ କଖାରୁମଞ୍ଜି ଖାଇଲେ କେଶ ଚିକ୍କଣ ଓ ମୁଲାୟମ ରହେ।

ଚର୍ମକାନ୍ତି କାରକ: କଖାରୁମଞ୍ଜିରେ ଭିଟାମିନ୍‌ ‘ଏ’ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଥିବାରୁ ଚର୍ମର କାନ୍ତି ବୃଦ୍ଧି ପାଇଁ ଏହା ଭଲ କାମ କରେ। ନିୟମିତ କଖାରୁମଞ୍ଜି ଖାଇଲେ ଉତ୍କଟ ମୁଖବ୍ରଣ କମିବା ସହ କ୍ଷତ ମଧ୍ୟ ଶୀଘ୍ର ଶୁଖିଯାଏ।

ସମ୍ବନ୍ଧିତ ଖବର