କଦଳୀ ଭିତରେ ଲାଲ୍‌ ଶିରା: ଦେହ ପାଇଁ ଭଲ ନା ମନ୍ଦ

ଭୋଜନରେ ଫଳ ଓ ପନିପରିବାର ପରିମାଣ ଅଧିକ ରହିବା ଉଚିତ। ପୋଷକ ତତ୍ତ୍ୱ ଓ ଜୀବନିକା ଥିବାରୁ ଭିନ୍ନ ଭିନ୍ନ ରଙ୍ଗର ଫଳ ଖାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେବଳ ଏଇ କାରଣରୁ ଇଂଲଣ୍ଡର ଜଣେ ମାଆ କଦଳୀ କିଣିବାକୁ ଯାଇଥିଲେ ସ୍ଥାନୀୟ ସଉଦା ଦୋକାନକୁ।

କିନ୍ତୁ, କଦଳୀଗୁଡ଼ିକୁ ନ କାଟିବା ଯାଏଁ ସେ ଜାଣି ପାରି ନ ଥିଲେ ଯେ ଏଇ କଦଳୀ ସବୁ ତାଙ୍କ ଝିଅର ଅସୁସ୍ଥତାର ମୂଳ କାରଣ।। ତାଙ୍କର ହୃଦ୍‌ବୋଧ ହେଲା ଯେ କଦଳୀ ଭିତର ଦେଇ ଯାଇଥିବା ଲାଲ୍‌ ଗାରଟିଏ କିଛି ଗୋଟାଏ ସଂକ୍ରମଣର ଲକ୍ଷଣ ଯେଉଁଥିପାଇଁ ତାଙ୍କ ଝିଅ ଅସୁସ୍ଥ ହୋଇ ପଡ଼ିଲା।

ଲିସା ମର୍ଲିନ୍‌ ହେଉଛନ୍ତି ଇଂଲଣ୍ଡ୍‌ର ସେ ମାଆ। ସେ ନିତିଦିନିଆ ସଉଦା ଖରିଦ କରିବା ବେଳେ ଫେଣାଏ କଦଳୀ କିଣିଥିଲେ। ଫେଣାକଯାକ କଦଳୀ ଆଣି ସେ ତାଙ୍କ ଛୋଟ ଝିଅ ଡାୟୋନିଙ୍କୁ ଧରାଇ ଦିଅନ୍ତେ ସେ ସେଥିରୁ ଗୋଟାଏ ଖାଇ ଦେଲା। କିଛି ସମୟ ପରେ ଝିଅ ଅସୁସ୍ଥ ହୋଇ ପଡ଼ିଲା।

ଜଣେ ହୁସିଆର ମାଆ ହୋଇଥିବାରୁ ସେ ଝିଅକୁ ଦେଇଥିବା କଦଳୀ ଯାଞ୍ଚ କରିବାରୁ ଦେଖିଲେ କଦଳୀ ଭିତର ମଝିରେ ଉପରୁ ତଳ ଯାଏଁ ଲମ୍ବିଛି ଗୋଟାଏ କଳାଚିଆ ନାଲି ଗାର।

ବାସ୍ତବରେ ଏଇ ଗାର ହେଉଛି ଗୋଟାଏ କବକର କାମ। ନାଁ’ ତା’ର ‘ନିଗ୍ରୋସ୍ପୋରା’। କବକ ମଣିଷ ପକ୍ଷେ ବିଷତୁଲ୍ୟ ବୋଲି ଅନେକେ ମନେ କରୁଥିଲେ ମଧ୍ୟ ‘ନିଗ୍ରୋସ୍ପୋରା’ର ଗୁଣ ଭିନ୍ନ।

‘ନିଗ୍ରୋସ୍ପୋରା’ ଏକ ଜାତୀୟ କଳା କବକ। କିନ୍ତୁ ଏହା ମାନବ କିଂବା ଅନ୍ୟ ଜନ୍ତୁଙ୍କ ପ୍ରତି ବିଷାକ୍ତ ବୋଲି କୌଣସି ପରୀକ୍ଷା ନିସୃତ ପ୍ରମାଣ ନାହିଁ।
ତଥାପି ସୁରକ୍ଷା କାରଣରୁ ଲିସା ତାଙ୍କ ଝିଅକୁ ନେଇ ଡାକ୍ତରଖାନା ଗଲେ। ଝିଅ ସେଠାରୁ ଆରୋଗ୍ୟ ହୋଇ ଫେରିଲା।

ଲିଭର୍‌ପୁଲ୍‌ର ଅନ୍ୟ ଜଣେ ଅଭିଭାବକଙ୍କ କ୍ଷେତ୍ରରେ ମଧ୍ୟ ସେ ଭଳି ଘଟିଥିଲା। କଦଳୀ ଚୋପା ଛଡ଼ାଇ ଦିଅନ୍ତେ, ସେ ଦେଖିଲେ କଦଳୀ ସାରା ମାଡ଼ିଛି ଲାଲ୍‌ ଶିରା। ଏ ଭଳି କଦଳୀ ସେ ଜୀବନକାଳରେ ଦେଖି ନ ଥିବାରୁ ସେଇଟାକୁ ଖାଇବାକୁ ତାଙ୍କର ମନବଳିଲା ନାହିଁ।

ପରେ ଲିସା କଦଳୀ କିଣିଥିବା ଦୋକାନର ପ୍ରତିନିଧିମାନେ ଗୋଟାଏ ବୟାନ ଜାରି କଲେ। ସେଥିରେ ଲେଖା ଥିଲା: ଶ୍ରୀମତୀ ମେଲିନ୍‌ଙ୍କ ଝିଅର ଅସୁସ୍ଥତା ପାଇଁ ଆମେ ଦୁଃଖୀତ। ଏ ଜିନିଷ ଆମ ମାନକ ସମକକ୍ଷ ନ ଥିଲା। ସେ ଯାହାହେଉ, ଆମେ ତାଙ୍କୁ ଭରସା ଦେଇ କହୁଛୁ କି, ଏଇଟା ଆପଣାଛାଏଁ ସୃଷ୍ଟି ହେଉଥିବା କବକ ହୋଇଥିବାରୁ ମଣିଷଙ୍କ ପାଇଁ କ୍ଷତିକାରକ ନୁହେଁ।

ସମ୍ବନ୍ଧିତ ଖବର