ମଣିଷକୁ ଦୀର୍ଘଜୀବି କରୁଥିବା କଣିକା ଆବିଷ୍କୃତ

ବାହାରିବ ଡାଇବେଟିସ, କ୍ୟାନସରର ସମାଧାନ

ମଣିଷ କିପରି ଅଧିକ ଦିନ ବଞ୍ଚିବ ସେନେଇ ସବୁବେଳେ ଗବେଷଣା ଚଳାଇଛି । ଚିକିତ୍ସା ବିଜ୍ଞାନରେ ଉନ୍ନତି ସହ ମଣିଷର ହାରାହାରି ଆୟୁଷ ମଧ୍ୟ ବଢିଚାଲିଛି । କିନ୍ତୁ ଆହୁରି ଅଧିକ ଦିନ ସୁସ୍ଥ ସବଳ ରହି ବଞ୍ଚିବାକୁ ମଣିଷ ଚାହେଁ । ଏଥିଲାଗି ସାରା ବିଶ୍ୱରେ ଅନେକ ଗବେଷଣା ଚାଲିଛି । ତେବେ ନିକଟରେ ଆମେରିକାର ବୈଜ୍ଞାନିକମାନେ ଏ କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛନ୍ତି ।

ବୟସ ବଢିବା ସଙ୍ଗେ ସଙ୍ଗେ ଜୀବର ଶରୀରରେ ଆସୁଥିବା ପରିବର୍ତ୍ତନ ପାଇଁ ଦାୟୀ ଥିବା ଏକ ପ୍ରୋଟିନ କଣିକାକୁ ଚିହ୍ନିବାରେ ସକ୍ଷମ ହୋଇଛନ୍ତି ଆମେରିକାର ଏକ ଗବେଷକ ଦଳ । ୟେଲ୍‌ ବିଶ୍ୱବିଦ୍ୟାଳୟର ଏହି ଗବେଷକ ଦଳ ଚିହ୍ନଟ କରିଥିବା ଏହି ଜୀବକୋଷର ନାମ ରଖାଯାଇଛି କ୍ଲୋଥୋ ପ୍ରୋଟିନ୍ସ । ଗ୍ରୀକ ଦେବୀ କ୍ଲୋଥୋଙ୍କ ନାମରେ ଏହି ଜୀବକୋଷର ନା ରଖାଯାଇଛି । ଏହି କ୍ଲୋଥୋ ପ୍ରୋଟିନ୍‌ ମଣିଷର ମେଟାବଲିଜିମକୁ ନିୟନ୍ତ୍ରଣ କରିଥାଏ ଓ ମଣିଷର ଆୟୁଷକୁ ନିର୍ଦ୍ଧାରିତ କରିଥାଏ । ଗବେଷକମାନେ ଏହି କ୍ଲୋଥୋ ପ୍ରୋଟିନ୍‌ର ଏକ ପ୍ରକାର ବିଟା-କ୍ଲୋଥୋର ଗଠନ ଓ କାର୍ଯ୍ୟପ୍ରଣାଳୀକୁ ବୁଝିପାରିଛନ୍ତି । ଏହାକୁ ବ୍ୟବହାର କରି ଭବିଷ୍ୟତରେ ଅନେକ ରୋଗର ନିରାକରଣ କରିହେବ ଓ ମଣିଷର ଆୟୁଷକୁ ବଢାଇହେବ ।

ଏହି ବିଟା-କ୍ଲୋଥୋ ଏକ ଶ୍ରେଣୀର ହରମୋନ ସହିତ ସଂପର୍କିତ ଯାହାକି ବ୍ଲଡସୁଗାର, ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଣୁ ଏହି ଜ୍ଞାନକୌଶଳକୁ ବ୍ୟବହାର କରି ବୈଜ୍ଞାନିକ ମାନେ ଭବିଷ୍ୟତରେ ଲିବର କ୍ୟାନସର, ଡାଇବେଟିସ, ମେଦବହୁଳତା ଆଦି ରୋଗର ନିରାକରଣ ବାହାର କରିପାରିବେ । ଏହା ସହିତ ମଣିଷକୁ ଆହୁରି ନିରୋଗ ରଖାଯିବା ସହ ଆୟୁଷକୁ ଆହୁରି ବଢାଇହେବ ।

ସମ୍ବନ୍ଧିତ ଖବର