ଅଧିକାଂଶ ସମୟରେ ପେଟପୂରା ଖାଇସାରିବା ପରେ ବି ଏମିତି କେତେକ ଲୋକ ଅଛନ୍ତି ଯେଉଁମାନେ ଆଉ କିଛି ଖାଇବା ଓ ପିଇବାର ଅଭ୍ୟାସ ରଖି ଥାଆନ୍ତି। କିନ୍ତୁ ଏଭଳି ଅଭ୍ୟାସରୁ ନିବୃତ୍ତ ରହିବାକୁ ଡାକ୍ତରମାନେ ବାରମ୍ବାର ପରାମର୍ଶ ଦେଇ ଆସିଛନ୍ତି। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା ପରେ ଆଦୌ କୌଣସି ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଉଚିତ ନୁହେଁ। ନଚେତ ନାନା ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିବ।
କେବଳ ଏତିକି ନୁହେଁ, ଖାଇବା ପରେ କ’ଣ କରିବେ ନାହିଁ ତାହା ମଧ୍ୟ ନିମ୍ନରେ ଉଲ୍ଲେଖ ରହିଲା।

ଚା’ ଏକ ଏପରି ପାନୀୟ ଯାହାକୁ ଖାଦ୍ୟ ଖାଇବା ପରେ ଆଦୌ ପିଅନ୍ତୁ ନାହିଁ। ଖାଇସାରି ଚା’ ପିଉଥିବା ଲୋକଙ୍କ ଭିତରେ ରକ୍ତଚାପ, ମଧୁମେହ ଅପେକ୍ଷାକୃତ ବେଶି ଦେଖା ଦେଇଥାଏ। ଆପଣ ସକାଳ ଜଳଖିଆ ପରେ କିମ୍ବା ସଂଧ୍ୟା ଜଳଖିଆ ପରେ ଚା’ ପିଇପାରନ୍ତି। ଗାଧୋଇ ସାରିବା ପରେ ଓ ରାତି ଖାଇବା ପରେ ଚା’ ଆଦୌ ପିଅନ୍ତୁ ନାହିଁ।
ଖାଇବାର ଅତିକମରେ ୧୫ ମିନିଟ୍ ପରେ ବିଛଣାକୁ ଯାଆନ୍ତୁ। ଖାଇବା ସଙ୍ଗେସଙ୍ଗେ ବିଛଣାକୁ ଯାଆନ୍ତୁ ନାହିଁ। ଖାଇସାରିବା ପରେ କୌଣସି ପ୍ରକାର ଶାରୀରିକ ବ୍ୟାୟାମ ବି କରନ୍ତୁ ନାହିଁ। ଟାଇଟ୍ କରି ବେଲ୍ଟ ବାନ୍ଧିବା, ଖାଇବା ପରେ ଧୂମପାନ କରିବା ବି ଖରାପ ହୋଇଥାଏ।

ଖାଲି ଖାଇବା ନୁହେଁ ଗାଧୋଇବା ନେଇ ମଧ୍ୟ କଟକଣା ରହିଛି। ସବୁବେଳେ ଗାଧୋଇସାରି ଖାଇବା ଅଭ୍ୟାସ କରନ୍ତୁ। ଆପଣ ଯଦି ସବୁଦିନ ଖାଇସାରି ଗାଧୋଇବା ଅଭ୍ୟାସ ରଖିଛନ୍ତି ତାହାଲେ ମନେ ରଖନ୍ତୁ ଏହା ଆଦୌ ସୁସ୍ଥକର ନୁହେଁ।
ସେହିପରି ଖାଲି ପେଟରେ ଫଳ ଖାଇବା ଦ୍ୱାରା ଗ୍ୟାସଟିକ୍ ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି। ମାତ୍ର ତାହା ମାନେ ନୁହେଁ ଯେ ଖାଇସାରିବା ସଙ୍ଗେ ସଙ୍ଗେ ଫଳ ଖାଇବେ। ଏହା ମଧ୍ୟ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ଅତିକମରେ ଖାଇବାର ୨୦ ମିନିଟ୍ ପରେ ଫଳ ଖାଆନ୍ତୁ।