ଏହି ସବୁ ଲକ୍ଷଣ ଦେଖାଦେଲେ ହୋଇପାରେ କିଡ୍‌ନି କ୍ୟାନ୍‌ସର୍‌! ଅବହେଳା ନ କରି ସାବଧାନ ରୁହନ୍ତୁ

 

କ୍ୟାନ୍‌ସର୍‌ ଏମିତି ଏକ ରୋଗ ଯାହା ଆପଣଙ୍କ ଶରୀରର ଯେକୌଣସି ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ଖରାପ କରିଦିଏ। କିଡ୍‌ନି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ ଯଥା: ଶରୀରର ଖରାପ ପଦାର୍ଥ ଆଦି ବାହାରକୁ ବାହାର କରିବା, ଶରୀରର ଜଳସ୍ତର ନିୟନ୍ତ୍ରଣ କରିବା, ଏସିଡିଟି ନିୟନ୍ତ୍ରିତ କରିବା, ରକ୍ତଚାପ ନିୟନ୍ତ୍ରଣ କରିବା ସହ ଆହୁରି ଅନେକ କାର୍ଯ୍ୟ। କିଡ୍‌ନି କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହେବା ପୂର୍ବରୁ ଆପଣଙ୍କ ଶରୀରର ଅନେକ ପ୍ରକାର ଲକ୍ଷଣ ଦେଇଥାଏ। ଯେଉଁମାନେ ଅଧିକ ମଦ ପିଅନ୍ତି ଓ ଅଧିକ ସିଗାରେଟ୍‌ ପାନ କରନ୍ତି, ସେମାନଙ୍କୁ ଏହା ଆକ୍ରାନ୍ତ କରିବାର ବେଶୀ ଆଶଙ୍କା ଥାଏ।

 

 

ତଳ ପଟ ଅଣ୍ଟା ଦରଜ
ଅଣ୍ଟା ଦରଜକୁ ସମସ୍ତେ ସାଧାରଣ ଭାବେ ନେଇଥାନ୍ତି କିନ୍ତୁ ଏହା କିଡ୍‌ନିଜନିତ ସମସ୍ୟା ହୋଇପାରେ ବୋଲି ବହୁତ କମ୍‌ ଲୋକ ଜାଣନ୍ତି। ରୋଗ ହେଲା ପରେଅଧିକାଂଶ ଲୋକ ଅଣ୍ଟା ଦରଜ ଅନୁଭବ କରିଥାଆନ୍ତି। ଧୀରେ ଧୀରେ ଦରଜ ମାତ୍ରା ବଢ଼ିଯାଇ ବ୍ୟକ୍ତିଙ୍କୁ ଅନେକ ଅସୁବିଧାରେ ପକାଇଥାଏ।

 

ପରିସ୍ରାରେ ରକ୍ତ ପଡ଼ିବା
ପରିସ୍ରାରେ ରକ୍ତ ପଡ଼ିବା କିଡ୍‌ନି ରୋଗର ପ୍ରଥମ ଲକ୍ଷଣ। ଏହା କିଡ୍‌ନି କ୍ୟାନ୍‌ସର୍‌ର କାରଣ ମଧ୍ୟ ହୋଇଥାଏ। ବେଳେବେଳେ ପରିସ୍ରାରେ ବହୁତ୍‌ କମ୍‌ ମାତ୍ରାରେ ରକ୍ତ ପଡ଼ିଥାଏ, ଯାହା କେବଳ ପରିିସ୍ରା ପରୀକ୍ଷାରୁ ହିଁ ଜଣା ପଡ଼ିଥାଏ। ଯଦି ଆପଣ ପରିସ୍ରାରେ ରକ୍ତ ପଡୁଥିବା ଦେଖନ୍ତି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହ ସାକ୍ଷାତ୍‌ କରନ୍ତୁ।

 

ଏନେମିଆ (ରକ୍ତହୀନତା)
କିଡ୍‌ନି ଲାଲ୍‌ ରକ୍ତ କୋଷିକାର ଉତ୍ପାଦନକୁ ନିୟନ୍ତ୍ରଣ କରିଥାଏ। କିଡ୍‌ନି କ୍ୟାନ୍‌ସର୍‌ ହେବା ଦ୍ୱାରା ଏହାର ଉତ୍ପାଦନ କମି କମି ଯାଏ। ଏମିତି ହେବା ଦ୍ୱାରା ଏନେମିଆ ବା ରକ୍ତହୀନତା ହୋଇଥାଏ। ଏନେମିଆ ଯୋଗୁଁ ଆପଣ ସର୍ବଦା କ୍ଳାନ୍ତ ଅନୁଭବ କରିଥାନ୍ତି।

 

ଅଜାଣତରେ ଓଜନ କମି ଯିବା
ଯଦି ଆପଣଙ୍କ ଓଜନ ଆପେ ଆପେ ଆପଣଙ୍କ ଅଜାଣତରେ କମି ଯାଉଛି, ତା’ହେଲେ ଏହା କିଡ୍‌ନି କ୍ୟାନ୍‌ସର୍‌ର ସଙ୍କେତ ହୋଇପାରେ। ଯେତେବେଳେ କ୍ୟାନ୍‌ସର୍‌ ଟ୍ୟୁମର୍‌ ବଢ଼ିଚାଲେ ଆପଣଙ୍କୁ ଭୋକ କମିଯାଏ। ଯାହାଦ୍ୱାରା ଆପଣଙ୍କ ଓଜନ କମିଯାଏ। କିଡ୍‌ନି ଦୁର୍ବଳ ଥିଲେ ମଧ୍ୟ ଓଜନ କମିଥାଏ।

 

ପେଟ ଭିତରପଟେ ମାଂସ ପିଣ୍ଡୁଳା ବଢ଼ିବା
ପେଟ ଭିତରେ କିମ୍ବା କିଡ୍‌ନିର ଚାରିପଟେ ମାଂସ ପିଣ୍ଡୁଳା ହେବା ହେଉଛି କିଡ୍‌ନି କ୍ୟାନ୍‌ସର୍‌ର ସଙ୍କେତ। ଏହି ମାଂସ ପିଣ୍ଡୁଳା ପ୍ରାଥମିକ ଅବସ୍ଥାରେ କଠିନ ରହିଥାଏ। ଡାକ୍ତରୀ ଚିକିତ୍ସା ଓ ପରୀକ୍ଷା ପରେ ଜଣା ପଡ଼ିଥାଏ ଏହାର ବାସ୍ତବିକତା। ଯଦି ଆପଣ ଏମିତି କିଛି ସଙ୍କେତ ଅନୁଭବ କରନ୍ତି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 

ସମ୍ବନ୍ଧିତ ଖବର