ଯୁକ୍ତିତର୍କରେ ନୀରବତା ଅବଲମ୍ବନ କରିବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ !

ଆମମାନଙ୍କ ମଧ୍ୟରୁ ଅନେକ ଲୋକ ସହନଶୀଳ । ସେମାନେ କୌଣସି ଘଟଣାରେ ବିବ୍ରତ ନ ହୋଇ ଦୋଷ ନିଜ ଉପରକୁ ନେଇ ନୀରବ ରହିଥାଆନ୍ତି । କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଯଦି କୌଣସି ପ୍ରସଙ୍ଗରେ ଅନ୍ୟ କାହା ସହିତ ମନୋମାଳିନ୍ୟ ହେଲା ଅଥବା କନ୍ଦଳ ହେଲା, ସେଥିନେଇ ଚୁପ୍‌ ରହନ୍ତି, ତେବେ ଆପଣ ଭିତରେ ଭିତରେ ତା’କୁ ନେଇ ଗୋଳେଇ ଘାଣ୍ଟି ହୋଇଯାଆନ୍ତି । ଏହା ଫଳରେ ଆପଣଙ୍କର ମାନସିକ ଚାପର ସ୍ତର ବୃଦ୍ଧି ପାଇଥାଏ ।
ଏ ନେଇ ଏକ ଅନୁସନ୍ଧାନ ଓ ଗବେଷଣା କରାଯାଇଥିଲା । ସେଥିରୁ ମିଳିଥିବା ପରିଣାମ ଅନୁଯାୟୀ ଯେଉଁ ଲୋକ ଯୁକ୍ତିତର୍କରୁ ନିବୃତ୍ତ ରହିବା ଲାଗି ନୀରବତା ଅବଲମ୍ବନ କରନ୍ତି, ସେମାନଙ୍କ ଭିତରେ ଥିବା ଷ୍ଟ୍ରେସ୍‌ ହରମୋନ୍‌ କାର୍ଟିଜୋଲ୍‌ର ସ୍ତରରେ ଅସାମାନ୍ୟ ଉତ୍‌ଥାନ-ପତନ ପରିଲକ୍ଷିତ ହୋଇଥାଏ । ଅପର ପକ୍ଷରେ ଯେଉଁମାନେ ଏଭଳି ପରିସ୍ଥିତିରେ ଦୃଢ ମୁକାବିଲା କରନ୍ତି, ସେମାନେ ଅଧିକ ରିଲାକ୍ସ ଓ ଆନନ୍ଦିତ ଜଣାପଡ଼ନ୍ତି ।

photo-weknowyourdreams.com

ମିସିପନ୍‌ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ସହ ଜଡ଼ିତ ଗବେଷକ ଡ.କୀରା ବର୍ଡିଟ୍‌ଙ୍କ ଅନୁଯାୟୀ ଏହାର କୁପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତାଙ୍କ ଅନୁଯାୟୀ ଯେତେବେଳେ ଆପଣ ନିଜର ମାଲିକ, ସହକର୍ମୀ, ପତ୍ନୀ ବା ବନ୍ଧୁଙ୍କ ସହିତ ମତଭେଦ ହେବା ସମୟରେ ଚୁପ୍‌ ରହୁଛନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ସେହି ସମୟରେ କ୍ରୋଧକୁ ପ୍ରକାଶ କରିବା ଏକ ପ୍ରକାରର ସେନ୍ସ ଅଫ୍‌ କଣ୍ଟ୍ରୋଲ୍‌ ଓ ଅପ୍‌ଟିଜିମ୍‌ର ଭାବର ଉଦୟ କରିଥାଏ । ଯେଉଁମାନେ ସହନଶୀଳ, ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଯୁକ୍ତିତର୍କରେ ଯେଉଁ  ଘଟଣାକୁ ନେଇ ମତଭେଦ ହୋଇଛି, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ବୋଲି ବରିଷ୍ଠ ମନୋଚିକିତ୍ସକ ଡ଼. ସନ୍ଦୀପ ଭୋରା ମତ ଦେଇଛନ୍ତି । କାରଣ ପୁରୁଣା କଥାରୁ ମଞ୍ଜା କାଢିଲେ ସଂପର୍କରେ ତିକ୍ତତା ଆସେ ଓ ମନରେ ନକାରାତ୍ମକ କଥା ଘର କରିଥାଏ । ମନେ ରଖନ୍ତୁ ପ୍ରତିଶୋଧ ନେବା ଲାଗି କେବେ ବି ଝଗଡା କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର