ଯଦି ଜଣେ ନିରାଶାଗ୍ରସ୍ତ,ତେବେ ତାଙ୍କୁ ଭଲ ନିଦ ଦରକାର।କାରଣ ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇଲେ ତାଙ୍କ ମନରେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା ଆସିଥାଏ।
ନିକଟରେ ମଞ୍ଚେଷ୍ଟର ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଗବେଷକ ଡ଼ୋନା ଲିଟିଲାଡ଼ୁ କହିଛନ୍ତି ଯେ, ଏ ବିଷୟରେ ସେ ଇଂଲଣ୍ଡର ପ୍ରାୟ ୫୧ ଜଣ ଲୋକଙ୍କ ସହିତ କଥା ହୋଇଥିଲେ।ଏହି ଲୋକଙ୍କ ଆତ୍ମୀୟମାନେ ଅଭିଯୋଗ କରୁଥିଲେ ସେମାନଙ୍କ ସଂପର୍କୀୟଙ୍କର ବାରମ୍ବାର ଆତ୍ମହତ୍ୟା କରିବା ପାଇଁ ଚିନ୍ତା ଆସେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ରାତିରେ ଭଲ ନିଦ ହୁଏ ନାହିଁ ବୋଲି ଜଣାପଡ଼ିଛି।
ରାତିରେ ନିଦ ନ ହେବା ଫଳରେ ସେମାନେ ଅନେକ ପ୍ରକାରର ଆଶଙ୍କା କରିଥା’ନ୍ତି। ସେମାନେ ସାଧାରଣତଃ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥାନ୍ତି। ଏହି ଭଳି ଆତ୍ମହତ୍ୟା ଆଶଙ୍କା କରୁଥିବା ଲୋକେ ବେଳେବେଳେ ସୁନିଦ୍ରା ପାଇଁ ନିଦ ବଟିକା ସମେତ ସିରପ୍ ଓ ନିଶାଦ୍ରବ୍ୟ ମଧ୍ୟ ସେବନ କରିବାକୁ ପଛାନ୍ତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ପ୍ରକାରର ଶାରୀରିକ ବା ମାନସିକ ଯନ୍ତ୍ରଣାରୁ ଧ୍ୟାନ ହଟାଇବା ପାଇଁ ଭଲ ନିଦ ଆସିବା ପାଇଁ ମଧ୍ୟ ପେନ କିଲରର ସେବନ କରିଥା’ନ୍ତି ଏମାନେ। କିନ୍ତୁ ଏହାଦ୍ୱାରା ସୁନିଦ୍ରା ଆସେନା ବୋଲି ଏହି ଗବେଷଣାରେ କୁହାଯାଇଛି। କେମିତି ପ୍ରକୃତିକ ଉପାୟରେ ସୁନିଦ୍ରା ଆସିବ ଓ ମନରୁ ଆତ୍ମହତ୍ୟା କରିବାର ଚିନ୍ତା ନ ଆସିବ,ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି କୁହାଯାଇଛି।