ସାତଟି ଶାରୀରିକ ଲକ୍ଷଣରୁ ଜାଣନ୍ତୁ ଚାପଜନିତ ଅସୁସ୍ଥତା

0 847

ପ୍ରତିକୂଳ ପରିସ୍ଥିତିରେ ମଣିଷ ଶରୀରର ପ୍ରତିକ୍ରିୟାକୁ ମୁଖ୍ୟତଃ ଚାପ କୁହାଯାଏ। ଏହା ବାସ୍ତବ ହୋଇ ଥାଉ କି, କାଳ୍ପନିକ ହୋଇ ଥାଉ- କିଛି ଯାଏ ଆସେ ନାହିଁ। ସବୁ ପ୍ରତିକୂଳ ପରିସ୍ଥିତି ସମସ୍ତଙ୍କ ପାଇଁ ଏକା ନୁହେଁ। ଅର୍ଥାତ୍‌ ଗୋଟିଏ ପରିସ୍ଥିତି ଭିନ୍ନ ଭିନ୍ନ ଲୋକଙ୍କ ଉପରେ ଭିନ୍ନ ଚାପ ପକାଇ ଥାଏ। ଗୋଟିଏ ଘଟଣା ଜଣଙ୍କ ପାଇଁ ଚାପ ହୋଇ ଥିବା ବେଳେ ସେହି ସମାନ ଘଟଣା ଅନ୍ୟ ଜଣଙ୍କ ପାଇଁ ଆଦୌ ଚିନ୍ତାର କାରଣ ହୋଇ ନ ଥାଏ।

ମନେକରନ୍ତୁ ଜଣେ ଛାନିଆ ହୋଇଗଲେ। ସେତେବେଳେ ଶରୀର ମଧ୍ୟରେ ଘଟେ ଏକ ରାସାୟନିକ ପ୍ରତିକ୍ରିୟା। ଏହି ପ୍ରତିକ୍ରିୟା ଯୋଗୁଁ ଭୟଭୀତ ପରିସ୍ଥିତିରେ ଥିବା ଲୋକଟି ନିଜର କିଛ କ୍ଷତି ନ ହେବା ପରି କାମ କରେ। ଏହାକୁ ଚାପର ପ୍ରତିକ୍ରିୟା କହନ୍ତି। ଚାପ ପ୍ରତିକ୍ରିୟା ସମୟରେ ହୃଦ୍‌ସ୍ପନ୍ଦନ ବଢ଼ିଯାଏ, ମାଂସପେଶୀ କଠିନ ହୋଇଯାଏ ଏବଂ ରକ୍ତଚାପ ବଢ଼ିଯାଏ। ଫଳରେ ଜଣେ ପ୍ରତିରୋଧ କରିବାକୁ ଆଗଭର ହୁଏ ଓ ନିଜକୁ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା କରେ।

ଚାପର ମାନସିକ ଲକ୍ଷଣ: ଉଚିତ ପରିମାଣର ଚାପ ଜଣକୁ ପରିଚାଳିତ କରି ପାରେ। କିନ୍ତୁ, ନିର୍ଦ୍ଧିଷ୍ଟ ପରିମାଣ ଠାରୁ ଅଧିକ ଚାପ ପଡ଼ିଲେ ତାହା କ୍ଷତିକାରକ ଓ ମାରାତ୍ମକ ହୋଇଥାଏ।

ଭୁଲାମନ: ମାତ୍ରାଧିକ ଚାପ ପଡ଼ିଲେ ମସ୍ତିଷ୍କର ଗ୍ଲୁକୋକର୍ଟିକଏଡ୍‌ସ୍‌ ଦ୍ରୁତ ଗତିରେ ବଢ଼ିଯାଏ। ଏହି ଉପାଦାନ ମସ୍ତିଷ୍କରରେ ନୂତନ ସ୍ମୃତି ସୃଷ୍ଟି କରୁଥିବା ହିପ୍ପୋକାମ୍ପସ୍‌କୁ ନଷ୍ଟ କରି ପକାଏ। ଫଳରେ ଗୋଟିଏ ଘଟଣା ମନେରଖିବା ପରେ ଆଉ କିଛି ଘଟଣା ଘଟିଲେ ପୂର୍ବରୁ ମନେରଖି ଥିବା ଘଟଣାଟି ପାସୋରି ହୋଇଯାଏ।

ଓଜନ ପରିବର୍ତ୍ତନ: ଚାପ ଯୋଗୁଁ ଜଣଙ୍କର ଓଜନ କମିଯାଏ ନଚେତ୍‌ ବଢ଼ିଯାଏ। ଏହାର କାରଣ ହେଲା ହର୍ମୋନ୍‌ ଉପରେ ଚାପର ପ୍ରଭାବ। ଚାପଗ୍ରସ୍ତ ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଡ୍ରେନେଲିନ୍‌ ଓ କର୍ଟିସଲ୍‌ ବଢ଼ିଯାଏ। ଏ ଉଭୟ ଜିନିଷ ଖାଦ୍ୟ ରୁଚିକୁ ପ୍ରଭାବିତ କରେ। ଯେଉଁମାନଙ୍କର ଷ୍ଟ୍ରେସ୍‌ ଇଟିଙ୍ଗ୍‌ ଜିନ୍‌ ଥାଏ, ସେମାନେ ଚାପରେ ପଡ଼ିଲେ ଅଧିକ ଖାଦ୍ୟ ଖାଇ ମୋଟା ହୋଇ ଯାଆନ୍ତି। ଯେଉଁମାନଙ୍କ ଦେହରେ ଏହା ନ ଥାଏ ସେମାନଙ୍କ ପରିସ୍ଥିତି ବିପରୀତ ହୋଇଥାଏ।

Panda Mobile only

ହଜମ ସମସ୍ୟା: ମାତ୍ରାଧିକ ଚାପ ହଜମକ୍ରିୟାକୁ ପ୍ରଭାବିତ କରିଥାଏ। ଏହା ଶରୀରରେ ମାତ୍ରାଧିକ ଅମ୍ଳ ଉତ୍ପନ୍ନ କରାଇ ବଦହଜମି କରାଏ। ଚାପଗ୍ରସ୍ତ ହେଲେ ପାକସ୍ଥଳୀର ପାଚନକ୍ରିୟା ବନ୍ଦ ହୋଇ ଅସୁସ୍ଥତା ବଢ଼ାଇ ଦିଏ। ଅନ୍ତନଳୀ ପ୍ରତିକ୍ରିୟାଶୀଳ ହୋଇ ଝାଡ଼ା କି, କୋଷ୍ଠକାଠିନ୍ୟ ସମସ୍ୟା ଉପୁଜେ।

କେଶ ଉପୁଡ଼ିବା: ସାଧାରଣତଃ କେଶ ବଢ଼ି ଚାଲେ। ବଢ଼ିବା ବନ୍ଦ ହେଲେ ହିଁ ଉପୁଡ଼େ। କିନ୍ତୁ, ବାରମ୍ବାର ଚାପଗ୍ରସ୍ତ ହେଲେ କେଶ ବଢ଼ିବା ପ୍ରକ୍ରିୟା ବନ୍ଦ ହୋଇଯାଉ ଥିବାରୁ କେଶ ଝଡ଼ିଯାଏ। ଏହାର କାରଣ ହେଲା ଚାପ ଯୋଗୁଁ ହର୍ମୋନ୍‌ ଅସଙ୍ଗତି ଦେଖା ଦେଇଥାଏ।

ଚର୍ମ ସମସ୍ୟା: କ୍ରମାଗତ ଚାପ ପଡ଼ି ଚାଲିଲେ ପୂର୍ବରୁ ଶରୀରରେ ଥିବା ଏକ୍‌ଜିମା ଏବଂ ସୋରିଆସିସ୍‌ ଭଳି ଚର୍ମରୋଗ ବଢ଼ିଯାଏ। କାରଣ ଚାପ ଯୋଗୁଁ ଶରୀରରେ ରାସାୟନିକ ପରିବର୍ତ୍ତନ ହୋଇଥାଏ ଏବଂ ଚର୍ମ ଅଧିକ ସ୍ପର୍ଶକାତର ହୋଇ ଉଠେ। ଚର୍ମରେ ତୈଳାଂଶ ବୃଦ୍ଧି ପାଉଥିବାରୁ ବ୍ରଣ ଆଦି ବିସର୍ପି ଯାଏ।

ମୁଣ୍ଡବିନ୍ଧା: ଚାପ ଯୋଗୁଁ ମୁଣ୍ଡ ବ୍ୟଥା ହୋଇଥାଏ। ଚାପ ପଡ଼ିଲେ ମଥା ଉପର ଏବଂ ବେକ ମାଂସପେଶୀ କଷି ହୋଇ ଯାଉଥିବାରୁ ଏ ଭଳି ଘଟେ। ଏଥିଯୋଗୁଁ ନିଦ୍ରାହିନତା, ବିରକ୍ତି ଲାଗିବା ସହ ଆଲୋକ ଓ ଶବ୍ଦ ପ୍ରତି ଜଣେ ପ୍ରତିକ୍ରିୟାଶୀଳ ହୋଇ ଉଠେ।

ଥରକୁ ଥର ଅସୁସ୍ଥ ହେବା: ଚାପଗ୍ରସ୍ତ ଲୋକେ ଟିକିଏ କଥାରେ ଅସୁସ୍ଥ ହୋଇ ପଡ଼ନ୍ତି। ଏହାର କାରଣ ଚାପ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ଚାପ ଯୋଗୁଁ ଶରୀରରେ ସାଇଟୋକିନ୍‌ସ୍‌ ନାମକ ଉପାଦାନ ବଢ଼ାଉଥିବାରୁ ବିଭିନ୍ନ ବିଭ୍ରାଟ ଦେଖାଯାଏ। ବାରମ୍ବାର ଚାପ ପଡ଼ିବା ଯୋଗୁଁ ରୋଗ ପ୍ରତିରୋଧକ କୋଷିକା ସହ ପୁଷ୍ଟିସାରର ଯୋଗସୂତ୍ର ରହେ ନାହିଁ। ଫଳରେ ଥଣ୍ଡା ଭୂତାଣୁ ଶୀଘ୍ର ଆକ୍ରାନ୍ତ କରି ପକାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.