ଏଭଳି କିଛି ସାଧାରଣ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ କେଉଁ ଭିଟାମିନ୍‌ର ଅଭାବ ରହିଛି

କୌଣସି ରୋଗ ହେବା ପୂର୍ବରୁ ଶରୀରରେ ଦେଖା ଦେଇଥିବା ଲକ୍ଷଣ ସବୁ ଚିହ୍ନଟ କରି ରୋଗର ଉପଚାର କରାଯାଇଥାଏ। ଠିକ୍‌ ସେହିପରି କୌଣସି ନିର୍ଦ୍ଧିଷ୍ଟ ଭିଟାମିନ୍‌ ଅଭାବ ହେଲେ କିଛି ଲକ୍ଷଣ ଦେଖାଦେଇଥାଏ। ଜାଣନ୍ତୁ ସେ ଲକ୍ଷଣ ସବୁ କ’ଣ ଓ ସେହି ସବୁ ଭିଟାମିନ୍‌ର ଅଭାବକୁ କେମିତି ପୂରଣ କରିବେ।

ଅତ୍ୟଧିକ ମିଠା ଖାଇବାକୁ ଇଚ୍ଛା କରିବା: ଯଦି ଆପଣଙ୍କୁ ବାରମ୍ବାର ମିଠା ଖାଇବାର ଇଚ୍ଛା ହେଉଛି ତା’ହେଲେ ଆପଣଙ୍କ ଶରୀରରେ ‘ଗ୍ଲୁକୋଜ୍‌’ କମି ଯାଇ ଥାଇ ପାରେ।
କ’ଣ କରିବେ: ଗ୍ଲୁକୋଜ୍‌ ଅଭାବ ଦୂର କରିବା ପାଇଁ ମହୁ କିମ୍ବା ଫଳର ସେବନ କରନ୍ତୁ, ଏଥିରେ ପ୍ରଚୁର ପରିମାଣରେ ଗ୍ଲୁକୋଜ୍‌ ଥାଏ।

ଚର୍ମ ଶୁଖିଲିଆ ଦେଖାଯିବା: ଯଦି ଆପଣଙ୍କ ଚର୍ମ ଅଧିକ ମାତ୍ରାରେ ଶୁଖିଲା ହୋଇ ଯାଉଛି ତା’ହେଲେ ଆପଣଙ୍କ ଶରୀରରେ ‘ଭିଟାମିନ୍‌ ଇ’ କମି ଯାଉଛି।
କ’ଣ କରିବେ: ଏଥିପାଇଁ ଆପଣ ପାଳଙ୍ଗ ଓ ବାଦାମ ଖାଇ ପାରନ୍ତି। ଏଥିରୁ ଭିଟାମିନ୍‌ ଇ ପ୍ରଚୁର ପରିମାଣରେ ମିଳିଥାଏ।

ନିଦ ନ ହେବା: ଯଦି ଆପଣଙ୍କୁ ନିଦ ହେଉନି। ବିଛଣାକୁ ଗଲାପରେ ୧ ଘଣ୍ଟାରୁ ଅଧିକ ସମୟ ଲାଗୁଛି ନିଦ ଆସିବା ପାଇଁ, ତା’ହେଲେ ଆପଣଙ୍କ ଶରୀରରେ ‘ପଟାସିୟମ୍‌’ କମି ଥାଇ ପାରେ। ପଟାସିୟମ୍‌ର କମି ଯିବାର ଆଉ ଏକ ଲକ୍ଷଣ ହେଉଛି ଗୋଡ଼ର ମାଂସପେଶୀ କାଠେଇ ହେବା।
କ’ଣ କରିବେ: ପଟାସିୟମ୍‌ ଅଭାବ ଦୂର କରିବା ପାଇଁ କଦଳୀ, ପଇଡ଼ ପାଣି ଓ ବିଟ୍‌ ସେବନ କରି ପାରିବେ। ତରଭୁଜରେ ମଧ୍ୟ ଅଧିକ ମାତ୍ରାରେ ପଟାସିୟମ୍‌ ଥାଏ।

ଅଧିକ ଥଣ୍ଡା ଜିନିଷ ବା ବରଫ ଖାଇବା ପାଇଁ ଇଚ୍ଛା ହେବା: ଯଦି ଆପଣଙ୍କର ଅଧିକ ବରଫ ବା ଥଣ୍ଡା ଜିନିଷ ଖାଇବାକୁ ଇଚ୍ଛା ହେଉଛି, ତା’ହେଲେ ଆପଣଙ୍କ ଶରୀରରେ ‘ଆଇରନ୍‌’ ବା ଲୌହ ଅଂଶ କମି ଯାଇ ଥାଇପାରେ। ଏମିତି ୨-୩ ମାସ ହେଲେ ଏହାକୁ ଆଇରନ୍‌ ଡେଫିସିଏନ୍‌ସି ବୋଲି ଧରାଯିବ।
କ’ଣ କରିବେ: ଏଥିପାଇଁ ଆପଣ କିସ୍‌ମିସ୍‌, ଚଣା, ମୁଗ ଖାଆନ୍ତୁ। ଏଥିରେ ଆଇରନ୍‌ର ମାତ୍ରା ଅଧିକ ଥିବାରୁ ଏହା ଶରୀରର ଲୌହ ଭାଗ ପୂରଣ କରିଦେବ।

ମାଢ଼ିରୁ ରକ୍ତ ବୋହିବା: ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ଅନେକ ଅସୁବିଧାର ଲକ୍ଷଣ ହୋଇପାରେ, କିନ୍ତୁ ଏହାର ପ୍ରମୁଖ ସୂଚନା ହେଲା ଆପଣଙ୍କ ଶରୀରରେ ‘ଭିଟାମିନ୍‌ ସି’ର ଅଭାବ।
କ’ଣ କରିବେ: ଏଥିପାଇଁ ଆପଣ ଖଟା ଫଳ ଯେମିତିକି କମଳା, ମୌସାମ୍ବି ଓ କାଗେଜି ଖାଆନ୍ତୁ ବା ଏହାର ଜୁସ୍‌ ପିଅନ୍ତୁ। ଏହି ସବୁ ଫଳ ହେଉଛି ଭିଟାମିନ୍‌ ସି’ର ବଡ଼ ଉତ୍ସ।

 

ସମ୍ବନ୍ଧିତ ଖବର