ଅନେକ ସମୟରେ ବିନା କାରଣରେ କାହା ପ୍ରତି ଖରାପ ଭାବନା ଆସିଛି କି? ଜାଣନ୍ତୁ ତାହାର କାରଣ

ଅନେକ ସମୟରେ ଆମେ ଏପରି ଭାବନ୍ତି ଯେ ଆମେ ଯାହା କରନ୍ତି ତାହାକୁ ସାମ୍ନା ଲୋକ ଜାଣିପାରନ୍ତି ନାହିଁ। ବିଶେଷ କରି ଲୁଚିଛପି କରୁଥିବା କାମରେ ବିପଦ ନଥାଏ ବୋଲି ସମସ୍ତଙ୍କ ଧାରଣ। ଏମିତି ଅନେକ ଲୋକ କରନ୍ତି, କାହା ପ୍ରତି ସେତିକି ଆନ୍ତରିକତା ନଥିଲେ ବି ଉପରୁ ଦେଖେଇ ହୋଇଥାନ୍ତି। ମାତ୍ର ମନେ ରଖନ୍ତୁ ଲଭ ସ୍ୱାଦ ଓ ବାସ୍ନା, ଖରାପର ସ୍ୱାଦ ଓ ବାସ୍ନା ୨ଟି ଯାକ ସଂପୂର୍ଣ୍ଣ ଭିନ୍ନ। ଆପଣ ଯଦି କାହା ପ୍ରତି ଖରାପ ଭାବନା ରଖି ଉପରୁ ଭଲ ଭାବ ଦେଖାଉଥାନ୍ତି ତେବେ ସେହି ବ୍ୟକ୍ତି ଆପଣଙ୍କ ମନ୍ଦ ଭାବନାକୁ ନିଶ୍ଚୟ ଅନୁଭବ କରିପାରିବେ। ସେ ସଂପର୍କରେ ଆଜି ଆମେ ଏକ ଛୋଟିଆ ଗପ କହିବୁ।

ଜଣେ ରାଜା ଥିଲେ। ସେ ସବୁବେଳେ ପ୍ରାତଃ ଭ୍ରମଣ କରିବା ସମୟରେ ଜଣେ କାଠୁରିଆଟି ସେହି ପଥ ଅତିକ୍ରମ କରିଯାଏ। ରାଜାଙ୍କ ଆଖିରେ ପ୍ରତିଦିନ ସେହି କାଠୁରିଆ ପଡ଼େ। ରାଜାଙ୍କର ତାକୁ ଦେଖିଲେ ଭାରି ରାଗ ଆସେ ମନରେ। ସେ କିନ୍ତୁ ତାହାର କାରଣ ଖୋଜି ପାଆନ୍ତି ନାହିଁ। ଦିନେ ରାଜା ମନ୍ତ୍ରୀଙ୍କ ଡାକି କହିଲେ ଯେ ତୁମେ ସେ କାଠୁରିଆ ବିଷରେ ତଥ୍ୟ ସଂଗ୍ରହ କର। ମୁଁ ଜାଣିପାରୁ ନାହିଁ କାହିଁକି ତାକୁ ଦେଖିଲେ ମନରେ କ୍ରୋଧ ଆସୁଛି। ମନ୍ତ୍ରୀ କାଠୁରିଆର ଘରକୁ ଯାଇ ଦେଖିଲେ ତାଙ୍କ ଘରେ ପୁଳାଏ କାଠ ପଡ଼ିଛି। ସେ କାଠ ସବୁ ନ ବିକି କାହିଁକି ରଖିଛନ୍ତି ବୋଲି ପ୍ରଶ୍ନ କରିବାରୁ କାଠୁରିଆ କହିଲେ, ଅନ୍ୟ କାହାକୁ ଦେଲେ ଅଳ୍ପ ଦରରେ କାଠ ଯିବ। ରାଜା ତ ବୁଢ଼ା ହେଲେଣି। ମୁଁ ରଖିଲେ ଏହି କାଠ ରାଜାଙ୍କ ମୃତ୍ୟୁ ପରେ ରାଜ ପରିବାରକୁ ବିକିବି, ଯାହା ତାଙ୍କ କାର୍ଯ୍ୟରେ ଆସିବ। ଫଳରେ ମୋତେ ଉପଯୁକ୍ତ ଦର ମିଳିବ। ମନ୍ତ୍ରୀ ସେଇଠୁ ବୁଝିପାରିଲେ ଯେ ରାଜାଙ୍କୁ କାହିଁକି ରାଗ ଲାଗୁଥିଲା।

ବାସ୍ତବ କଥା ହେଲା କାଠୁରିଆ ସହ ରାଜାଙ୍କର ମୁହାଁମୁହିଁ କୌଣସି ଶତ୍ରୁତା ନାହିଁ। ମାତ୍ର ଯେହେତୁ ପରୋକ୍ଷରେ ହେଉ ବରଂ କାଠୁରିଆଟି ରାଜାଙ୍କ ମୃତ୍ୟୁକୁ ଅପେକ୍ଷା କରିଛି ତେଣୁ ରାଜା ଅଜାଣତରେ କାଠୁରିଆ ପ୍ରତି ଘୃଣା ଭାବ ପ୍ରକାଶ କରି ଚାଲୁଛନ୍ତି। କହିବାର ତାତ୍ପର୍ଯ୍ୟ, ଆପଣଙ୍କ ହୃଦହ ଓ କଥା ଭିନ୍ନ ହୋଇପାରେ। ମାତ୍ର ସାମ୍ନା ଲୋକର ଭାବନା ସବୁବେଳେ ହୃଦୟର ବାସ୍ନାକୁ ଆଘ୍ରାଣ କରେ।

ସମ୍ବନ୍ଧିତ ଖବର