ଉପକାରୀ ପୋଦିନା!

ପୋଦିନାପତ୍ରର ଚଟଣି ଆପଣ ନିଶ୍ଚୟ ଖାଇଥିବେ। ବେଶ୍‌ ସ୍ୱାଦୁକର ଏହି ଚଟଣି। କେବଳ ଚଟଣି ନୁହେଁ, ଜଳଜିରା ପ୍ରସ୍ତୁତିରେ ଏହା ବ୍ୟବହାର ହୋଇଥାଏ। ପେଟର ବିଭିନ୍ନ ସମସ୍ୟାକୁ ଠିକ୍‌ କରୁଥିବା ଏହି ଉପକାରୀ ଉଦ୍ଭିଦର ଅନେକ ଔଷଧୀୟ ଗୁଣ ରହିଛି। ଗ୍ରୀଷ୍ମଦିନମାନଙ୍କରେ ପୋଦିନାର ଚଟଣି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ। ପୋଦିନା ମଧ୍ୟ ଆଣ୍ଟିବାୟୋଟିକ୍‌ ଔଷଧର କାର୍ଯ୍ୟ ତୁଲାଇଥାଏ। ଏବେ ଜାଣନ୍ତୁ ଏହାର ଗୁଣ ସମ୍ପର୍କରେ…
-ପୋଦିନାରେ ଉପଲବ୍‌ଧ ଫାଇବର୍‌ ଶରୀରରୁ କୋଲେଷ୍ଟରଲ୍‌ର ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ହାଡ଼କୁ ଶକ୍ତି ପ୍ରଦାନ କରିବା ସହ ମଜଭୁତ କରିଥାଏ। କୌଣସି ଲୋକର ଯଦି ମୁଣ୍ଡ ବୁଲାଇ ଦେଉଥାଏ ବା ତାକୁ ବାନ୍ତି ବାନ୍ତି ଲାଗୁଥାଏ ତେବେ ପ୍ରତି ଦୁଇଘଣ୍ଟାରେ ଦୁଇଚାମଚ ଲେଖା ପୋଦିନା ରସ ତାକୁ ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ରୋଗୀକୁ ଆରାମ ମିଳିଥାଏ।
-ପେଟର ଆଉକିଛି ସମସ୍ୟା ମଧ୍ୟ ରହିଛି। ପୋଦିନାପତ୍ର ରସରେ ତାଜା ଲେମ୍ବୁରସ ମିଶାଇ ସେଥିରେ ସମାନମାତ୍ରାରେ ମହୁ ମିଶାଇ ସେବନ କରିବା ଦ୍ୱାରା ରୋଗ ଦୂର ହୁଏ।
-ଥଣ୍ଡା ରୋଗରେ ନିୟମିତ ପୀଡ଼ିତ ହେଉଥିଲେ ପୋଦିନା ରସରେ ଗୋଲମରିଚ ଏବଂ ବିଟ୍‌ଲୁଣ ପକାଇ ତାକୁ ଚା’ ଭଳି ଫୁଟାଇ ପିଇବା ଦ୍ୱାରା ଏହି ରୋଗରୁ ଆରୋଗ୍ୟ ମିଳିଥାଏ।
-କାହାକୁ ବାରମ୍ବାର ହାକୁଟି ଆସୁଥିଲେ ଏହାର ପତ୍ରକୁ ଚୋବାଇବା ଦ୍ୱାରା ରକ୍ଷା ମିଳିଥାଏ।
-ଯେଉଁ ମହିଳାଙ୍କ ମାସିକଧର୍ମରେ ଅନିୟମିତତା ଦେଖା ଦେଇଥାଏ ପୋଦିନା ଶୁଖିଲାପତ୍ରକୁ ଗୁଣ୍ଡ କରି ଏହି ଗୁଣ୍ଡକୁ ଦିନକୁ ଦୁଇଥର ମହୁ ସହ ମିଶାଇ ଖାଆନ୍ତୁ।
-କୌଣସି ସ୍ଥାନ ମାଡ଼ ହେଇ କ୍ଷତ ସୃଷ୍ଟି ହୋଇଥିଲେ ସେହି ସ୍ଥାନରେ ତାଜା ପୋଦିନା ପତ୍ରକୁ ଦଳି ତା’ର ରସ ଲଗାଇଦେଲେ ତାହା ତୁରନ୍ତ ଶୁଖିଯାଏ। ସେହିପରି ଶରୀର କୁଣ୍ଡେଇ ହେଇ ଫଳି ଯାଉଥିଲେ କିମ୍ବା ଅନ୍ୟାନ୍ୟ ଚର୍ମରୋଗ ଥିଲେ ତାଜା ପୋଦିନା ପତ୍ରକୁ ନେଇ ତାକୁ ଭଲ ଭାବେ ଛୋଚି ଦିଅନ୍ତୁ, ଏହାକୁ ପ୍ରଭାବିତ ତ୍ୱଚାରେ ଲଗାନ୍ତୁ।
-ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରର ଉପଚାର କରନ୍ତୁ। ପ୍ରଥମେ ପୋଦିନା ପତ୍ର ସଂଗ୍ରହ କରି ତାକୁ ଛାଇରେ ଭଲ ଭାବେ ଶୁଖାଇ ଦିଅନ୍ତୁ। ଏହାପରେ ଶୁଖିଲାପତ୍ରକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ। ଏହାକୁ ଆପଣ ଦନ୍ତମଞ୍ଜନ ଭାବେ ବ୍ୟବହାର କରନ୍ତୁ। ଏହା ମାଢ଼ିକୁ ସୁସ୍ଥ ରଖିବା ସହ ପାଟିରୁ ଦୁର୍ଗନ୍ଧ ଦୂର କରିଥାଏ। ଏହି ଅଭ୍ୟାସ ଅତି କମ୍‌ରେ ଦୁଇ ସପ୍ତାହ ଏବଂ ଅତିବେଶୀରେ ଗୋଟିଏ ମାସ ପର୍ଯ୍ୟନ୍ତ କରାଯିବା ଦରକାର।
-ଲୁଣପାଣିରେ ପୋଦିନା ରସକୁ ମିଶାଇ ସେଥିରେ କୁଳି କରିବା ଦ୍ୱାରା ସ୍ୱରରେ ସ୍ୱଚ୍ଛତା ଆସେ। ଗଳା ବସିଥିଲେ ତାହା ସାଧାରଣ ଅବସ୍ଥାକୁ ଫେରିଆସେ।
-ଖରାଦିନେ ମୁଣ୍ଡ ବୁଲାଇ ଦେଉଥିଲେ ବା ଚିଡ଼ିଚିଡ଼ା ଲାଗୁଥିଲେ ଗୋଟେ ଚାମଚ ଶୁଖିଲା ପୋଦିନା ପତ୍ରର ଗୁଣ୍ଡରେ ଛୋଟ ଚାମଚର ଅଧା ଅଳେଇଚ ଗୁଣ୍ଡ ମିଶାଇ ସେଥିରେ ଗୋଟିଏ ଗ୍ଲାସ୍‌ ପାଣି ମିଶାଇ ଫୁଟାନ୍ତୁ। ଏହାକୁ ଥଣ୍ଡା କରି ପିଅନ୍ତୁ। ତୁରନ୍ତ ଆରାମ ମିଳିଥାଏ।
-ଆପଣଙ୍କର ତ୍ୱଚା ଯଦି ତେଲିଆ ହୋଇଥାଏ ତେବେ ପୋଦିନାରୁ ପ୍ରସ୍ତୁତ ଫେସିଆଲ୍‌ ଆପଣଙ୍କ ପାଇଁ ଠିକ୍‌୍‌ ରହିବ। ଭଲ ଭାବେ ପେଷା ଯାଇଥିବା ଦୁଇ ବଡ଼ ଚାମଚ ପୋଦିନା ପତ୍ର ଦୁଇ ଚାମଚ ଦହି ଏବଂ ଗୋଟେ ବଡ଼ ଚାମଚ ଓଟ୍‌ମିଲ୍‌-ଏସବୁକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ନିଜ ଶରୀରରେ ଲଗାନ୍ତୁ। ପନ୍ଦର ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ତାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଅତିକମ୍‌ରେ ଦୁଇଥର ଏପରି କରିବା ଦ୍ୱାରା ତେଲିଆ ତ୍ୱଚାର ସାଧାରଣ ଅବସ୍ଥା ଫେରିପାଏ। ତ୍ୱଚା ସୁସ୍ଥ ଓ ସୁନ୍ଦର ରହେ।
-ପୋଦିନାର ରସକୁ ମୁଲ୍‌ତାନି ମାଟି ସହ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ମଧ୍ୟ ତେଲିଆ ତ୍ୱଚା ଠିକ୍‌ ହୋଇ ଯାଇଥାଏ। ଏହା ତ୍ୱଚାର କୁଞ୍ଚନକୁ ହ୍ରାସ କରିଥାଏ। ଆଲ୍‌କହଲରେ ପୋଦିନାର ରସକୁ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାର ଦାଗ ମଧ୍ୟ ଦୂର ହୋଇଥାଏ।
-କୋଡ଼ିଏଟି ପୋଦିନା ପତ୍ର ଏବଂ କୋଡ଼ିଏଟି ତୁଳସୀ ପତ୍ର ନେଇ ସେଥିରେ ଦୁଇକପ୍‌ ପାଣି ମିଶାଇ ତାକୁ ଫୁଟାନ୍ତୁ। ପାଣି ମରି ମରି ଏକ କପ୍‌ ହେଇଗଲେ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏହି କାଢ଼ାକୁ ଦିନକୁ ଦୁଇଥର ପିଇବା ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳିଥାଏ।
-ବିଛା କିମ୍ବା କୌଣସି ବିଷାକ୍ତ କୀଟ ଦଂଶନ କରିଥିଲେ ବିଷ ହରଣ ପାଇଁ ଦଂଶନ ସ୍ଥାନରେ ପୋଦିନା ରସ କିମ୍ବା ଚଟଣି ଲଗାଇ ଦିଅନ୍ତୁ ଏବଂ ତନି ଚାମଚ ପୋଦିନା ରସ ମିଶ୍ରି ମିଶାଇ ପିଇବାକୁ ଦିଅନ୍ତୁ।

ସମ୍ବନ୍ଧିତ ଖବର