ଶବ୍ଦରୁ ଭାବ ଝରେ

ମଞ୍ଚ ହେଉ ବା ଟିଭି, କାର୍ଯ୍ୟକ୍ରମ ଆରମ୍ଭ ହେଉ ହେଉ ଭାସି ଆସେ ତାଙ୍କ ଲାଳିତ୍ୟଭରା ସ୍ବରର ସମ୍ବୋଧନ। ତାଙ୍କ କଥାର ଚାତୁରୀ ଓ ଶାରୀରିକ ଭାବଭଙ୍ଗୀ ମଞ୍ଚରେ ତାଙ୍କୁ ଭିନ୍ନ ଭାବେ ଉଭା କରେ। କେବେ ଉପସ୍ଥିତ ବୁଦ୍ଧି ତ କେବେ ହାସ୍ୟ ରସରେ ଦର୍ଶକଙ୍କୁ ମଞ୍ଚ ସାମ୍ନାରେ ବାନ୍ଧି ରଖୁଥିବା ସେଇ ପ୍ରତିଭାମାନେ ହେଉଛନ୍ତି, ଉପସ୍ଥାପକ ବା ସଂଯୋଜକ। ତାଙ୍କ ବିନା ମଞ୍ଚ ଖାଁ ଖାଁ ଲାଗେ। ‌ପୂର୍ବରୁ ଏହା ଏକ ସଉକ ଥିବା ବେଳେ ବର୍ତ୍ତମାନ ଏହା ନିଶାରେ ପରିଣତ ହୋଇଛି। ଯୁବପିଢ଼ିଙ୍କ ଭିତରେ ମଧ୍ୟ ଏହାକୁ ଆପଣାଇବାକୁ ବେଶ୍‌ ଉତ୍ସାହ ଦେଖାଦେଉଛି। ସଂପ୍ରତି କା‌ର୍ଯ୍ୟକ୍ରମର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉପସ୍ଥାପକଙ୍କ ପାଇଁ ରୋଜଗାରର ଭଲ ସୁଯୋଗ ମଧ୍ୟ ରହିଛି। ଉପସ୍ଥାପନା ଓ ସଂଯୋଜନା ପ୍ରସଙ୍ଗକୁ ନେଇ ଏଥରର ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା…

ରିପୋର୍ଟ: ସସ୍ମିତା ସାହୁ

ମଞ୍ଚ ଉପସ୍ଥାପନ‌ା ୱାନ୍‌ ଟେକ୍‌ ଥିମ୍‌

ମଞ୍ଚ ଉପସ୍ଥାପନା ଓ ଟିଭିରେ କାର୍ଯ୍ୟକ୍ରମ ସଂଯୋଜନାରେ ବହୁତ ଫରକ୍‌ ରହିଛି। ଟିଭି ସଂଯୋଜନା ୨ ପ୍ରକାର। ଗୋଟିଏ ପୂର୍ବରୁ ରେକର୍ଡ ହୋଇଥାଏ ଓ ଆନ୍ୟ ଗୋଟିଏ ସିଧା ପ୍ରସାରଣ। ରେକର୍ଡ ହୋଇଥିବା କାର୍ଯ୍ୟକ୍ରମ ସଂଯୋଜନା ସହଜ। କାରଣ ଏଥିରେ ସ୍କ୍ରିପ୍ଟ ଆଗରୁ ପ୍ରସ୍ତୁତ ହୋଇସାରିଥାଏ। ସଂଯୋଜକ ବା ଉପସ୍ଥାପକ ଟେଲି ପ୍ରମ୍ପ୍‌ଟର୍‌ ଜରିଆରେ ପଢ଼ି ଉପସ୍ଥାପନା କରିଥାନ୍ତି। ଏଥିରେ ରି-ଟେକ୍‌ ଓ ଏଡିଟିଂର ବି ସୁବିଧା ଥାଏ। କେବଳ ଭଲ ଶାରୀରିକ ଭାବଭଙ୍ଗୀ ଉପରେ ଉପସ୍ଥାପକ‌ ବେଶି ଗୁରୁତ୍ବ ଦେଇଥାନ୍ତି। ସିଧା ପ୍ରସାରଣରେ ରେକର୍ଡିଂ ବା ଏଡିଟିଂର ସୁବିଧା ନଥାଏ। ନିଜ ଦକ୍ଷତା ଓ ଉପସ୍ଥିତ ବୁଦ୍ଧିରେ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼େ। ଜଣାଶୁଣା ମଞ୍ଚ ଉପସ୍ଥାପିକା ଗୁନ୍‌ଗୁନ୍‌ କୁହନ୍ତି, ସବୁଠାରୁ କଷ୍ଟ ହେଉଛି ଖୋଲା ମଞ୍ଚରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନା। ଏହା ହେଉଛି ୱାନ୍‌-ଟେକ୍‌ ଥିମ୍‌। ସେଠାରେ ନିଜ ଶାରୀରିକ ଅଙ୍ଗଭଙ୍ଗୀଠାରୁ ଆରମ୍ଭ କରି ଜ୍ଞାନ, ଉପସ୍ଥିତ ବୁଦ୍ଧି, ନିଜ ପରିଚାଳନା ଦକ୍ଷତା ଦେଖାଇବାକୁ ‌ପଡ଼େ। ବେଳେବେଳେ ମଞ୍ଚ ଉପସ୍ଥାପନା ସମୟରେ କା‌ର୍ଯ୍ୟକ୍ରମରେଅକସ୍ମାତ୍‌ ପରିବର୍ତ୍ତନ ଆସେ। ଦର୍ଶକଙ୍କ ଅଜ୍ଞାତସାରରେ ଓ ଶୃଙ୍ଖଳିତ ଢଙ୍ଗରେ ଏହାକୁ ପରିଚାଳନା କରିବାର ଗୁରୁଦାୟିତ୍ବ ଉପସ୍ଥାପକ ଉପରେ ନ୍ୟସ୍ତ ଥାଏ। ପୁଣି କାର୍ଯ୍ୟକ୍ରମର ପ୍ରୋଟୋକଲ୍‌ ଅନୁସାରେ ଉପସ୍ଥାପନା କରିବା ସହ ଠିକ୍‌ ସମୟରେ ସାରିବାକୁ ପଡ଼େ। ଏଠାରେ ଭୁଲରେ ବି ଭୁଲ କରିବାର ଅନୁମତି ନଥାଏ।

ଉପସ୍ଥିତ ବୁଦ୍ଧି ଓ ପ୍ରସଙ୍ଗର ଉପଯୁକ୍ତ ବିଶ୍ଲେଷଣ ସଂଯୋଜନା ପାଇଁ ନିତାନ୍ତ ଜରୁରି

ସଂଯୋଜନା ଏକ ଶୁଷ୍କ କଳା। ଦର୍ଶକ/ଶ୍ରୋତାଙ୍କ ମଧ୍ୟରେ କଳାକାରଙ୍କ ସହ ସମ୍ପର୍କର ସେତୁ ସୃଷ୍ଟିରେ ସଂଯୋଜକର ଭୂମିକା ଗୁରୁତ୍ବପୂର୍ଣ୍ଣ। କଳାକାର ଯେଉଁ କାହାଣୀ ବା ଭାବ ପରିବେଷଣ କରେ, ସେ ଭାବକୁ ବୁଝିବାକୁ ଦର୍ଶକ/ ଶ୍ରୋତା ମାନସିକସ୍ତରରେ ପ୍ରସ୍ତୁତ ନା ନାହିଁ, ପ୍ରଥମେ ବୁଝିବାକୁ ପଡ଼େ। ଏହାର ଦାୟିତ୍ବ ସଂଯୋଜକ ମୁଣ୍ଡରେ ଥାଏ। ସଂଯୋଜନା ଶୁଷ୍କ କଳା ହେଲେ ବି ଏହା ରସ ସୃଷ୍ଟିର ମାଧ୍ୟମ। ତେଣୁ ଜଣେ ସଂଯୋଜକ ବିନା କାଗଜ ଦେଖା ସଂଯୋଜକ ହେବା ଆବଶ୍ୟକ। ଯଦି ଜଣେ ମଞ୍ଚ ଉପରକୁ କାଗଜ ନେଇଯାଏ, ତେବେ ସଂଯୋଜନା ବେଳେ ନଜର କ‌ାଗଜରେ ରହିବ। କିନ୍ତୁ ବିନା ପେପର୍‌ରେ ଯଦି ଜଣେ ମାନସିକ ଭାବେ ପ୍ରସ୍ତୁତ ହୋଇଯାଏ, ‌ତେବେ ଦର୍ଶକଙ୍କ ସହ ଅଧିକ ଯୋଡ଼ି ହୋଇପାରିବ ବୋଲି ଜଣାଶୁଣା ସଂଯୋଜକ ଶ୍ରୀନିବାସ ଘଟୁଆରୀ କହିଛନ୍ତି। ଏହା କେବଳ ଉପସ୍ଥିତ ବୁଦ୍ଧି ଓ ପ୍ରସଙ୍ଗର ଉପଯୁକ୍ତ ବିଶ୍ଲେଷଣ ଦ୍ବାରା ସମ୍ଭବ ବୋଲି ସେ କହିଛନ୍ତି। ସଂପ୍ରତି କାର୍ଯ୍ୟକ୍ରମର ସଂଖ୍ୟା ବଢ଼ୁଥିବା ବେଳେ କୌଣସି କାର୍ଯ୍ୟକ୍ରମ ସଂଯୋଜନା ପାଇଁ ସେ ୨୦ରୁ ୨୫ ହଜାର ଟଙ୍କା ନେଉଥିବା କହିଛନ୍ତି।

୧୫ ଦିନିଆ ତାଲିମ୍‌ ସୁଯୋଗ

ଉପସ୍ଥାପନା ଶିଖିବା ପାଇଁ ୧୫ଦିନିଆ ତାଲିମ୍‌ କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନରେ ଦିଆଯାଉଛି। ଏଥିରେ ସ୍ବର ମଡ୍ୟୁଲେସନ୍‌ଠାରୁ ଆରମ୍ଭ କରି ଉପସ୍ଥାପନା ଶୈଳୀ, ମଞ୍ଚ ସମ୍ଭାଳିବା କଳା ଆଦି ଶିକ୍ଷା ଦିଆଯାଇଥାଏ। କିନ୍ତୁ ଜାତୀୟସ୍ତର ଭଳି ଏଠାରେ ଏତେ ଭଲ ସୁଯୋଗ ନାହିଁ।

ସଂଯୋଜନା ପାଇଁ ଡାଉନ୍‌ଲୋଡିଂ, ଷ୍ଟୋରେଜିଂ ଓ ଡେଲିଭରିଂ

ଜଣାଶୁଣା ମଞ୍ଚ ଉପସ୍ଥାପକ ମୁତ୍ୟୁଞ୍ଜୟ ରଥ କୁହନ୍ତି, ମଞ୍ଚ ହେଉ କି ଟିଭି ପରଦା, ରେଡିଓ ହେଉ କି ସିଧା ପ୍ରସାରଣ ପ୍ରତିଟି କ୍ଷେତ୍ରରେ ସଂଯୋଜକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ। କିନ୍ତୁ ସଂଯୋଜନା ପାଇଁ ସଂଯୋଜକକୁ ପୂର୍ବ ପ୍ରସ୍ତୁତି ନିହାତି ଆବଶ୍ୟକ। ଜଣେ ଦକ୍ଷ ସଂଯୋଜକ ହେବା ପାଇଁ ତାଙ୍କ ପାଖେ ୪ଟି ଜିନିଷ ନିହାତି ରହିବା ଆବଶ୍ୟକ। ପ୍ରତ୍ୟେକ ଜିନିଷ ଉପରେ ଗଭୀର ଜ୍ଞାନ; ଯାହାକି ଦର୍ଶକଙ୍କ ଆଗ୍ରହ ବଢ଼ାଇବା ସହ କାର୍ଯ୍ୟକ୍ରମ ମଧ୍ୟରେ ବାନ୍ଧି ରଖିବାରେ ସହଯୋଗ କରିବ। ଭାଷା ଉପରେ ଦକ୍ଷତା ରହିବା, ଉପସ୍ଥିତ ବୁଦ୍ଧି ଓ ପ୍ରସଙ୍ଗକୁ ବିଶ୍ଳେଷଣ କରି କଥାକୁ ବାର୍ତ୍ତା ରୂପରେ ଦର୍ଶକଙ୍କ ପାଖକୁ ପହଞ୍ଚାଇବାର କଳା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏନେଇ ଶ୍ରୀନିବାସ ଘଟୁଆରୀ କୁହନ୍ତି, ଏକ ସଂଯୋଜକ ମୁଣ୍ଡରେ ତିନୋଟି କଥା ଏକ ସମୟରେ ଚାଲିଲେ ସେ ଜଣେ ଦକ୍ଷ ସଂଯୋଜକ ହୋଇପାରିବ। ଡାଉନ୍‌ଲୋଡିଂ, ଷ୍ଟୋରେଜିଂ ଓ ଡେଲିଭରିଂ। ଅର୍ଥାତ୍‌ ପ୍ରସଙ୍ଗକୁ ଭଲ ଭାବେ ବୁଝି ତା’ ସମ୍ବନ୍ଧୀୟ ତଥ୍ୟ ମୁଣ୍ଡକୁ ଆଣିବା, ଉପଯୁକ୍ତ ଶବ୍ଦର ଚୟନ ଓ ଉପଯୁକ୍ତ କଣ୍ଠ ସଂଯୋଜନାରେ ତା’କୁ ମଞ୍ଚରେ ଉପସ୍ଥାପନା କରୁଥିବା ଆବଶ୍ୟକ। ତେବେ ଯାଇ ସଂଯୋଜନାର ଶୁଷ୍କ କଳା ରସସିକ୍ତ ହୋଇପାରିବ ଓ ପ୍ରେକ୍ଷାଳୟରୁ କରତାଳି ଗୁଞ୍ଜରିତ ହୋଇଉଠିବ।

ସମ୍ବନ୍ଧିତ ଖବର