ବର୍ଷକରୁ ମଣିଷ ଚାଲିବା ଶିଖିଥାଏ। ପାଦ ଭଳି ଛୋଟିଆ ଅଙ୍ଗ ଦୁଇଟିକୁ କେମିତି ଦୈନନ୍ଦିନ କାର୍ଯ୍ୟକଳାପରେ ବ୍ୟବହାର କରିବାକୁ ହୁଏ ତାହା ସଭିଙ୍କୁ ଜଣା। କିନ୍ତୁ ସୁସ୍ଥତା ପାଇଁ ଚାଲିବା କଥା ଉଠିଲେ ତାହା ହୋଇ ଯାଏ ଗୋଟାଏ ସମ୍ପୂର୍ଣ୍ଣ ଭିନ୍ନ କଥା। ଏ ଭଳି ଚାଲି ପାଇଁ ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼େ। ସେ ସବୁ ମଧ୍ୟରୁ ଏଇ ତିନିଟି କଥାର ତ୍ରୁଟି ସମସ୍ତେ କରି ଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଭୁଲ୍: ହାତରେ ନ ଚାଲିବା: ଏହାର ଅର୍ଥ ନୁହେଁ ଯେ ଜଣେ ହାତରେ ଭରା ଦେଇ ଗୁରୁଣ୍ଡି ଗରୁଣ୍ଡି ଚାଲିବ। କଥା ହେଲା ଚାଲିବା ସମୟରେ ହାତ ହଲାଇ ଚାଲିବା। ଅନେକ ଭାବନ୍ତି ଚାଲିବା ଶରୀରର ନିମ୍ନ ଭାଗର କାର୍ଯ୍ୟ। କିନ୍ତୁ ବାସ୍ତବ ଚାଲିରେ ସମଗ୍ର ଦେହ ଚଳପ୍ରଚଳ ହୋଇଥାଏ। ଏହା ଦ୍ୱାରା ଗୋଡ଼ ସୁଗଠିତ ହେବା ସହ ପିଠି ଓ ଶରୀର ଭିତର ଏବଂ ବାହୁ ମଧ୍ୟ ସୁଗଠିତ ହୋଇଥାଏ। ତେଣୁ ଚାଲିବା ବେଳେ ଦୁଇ ହାତ ଝୁଲିବା ଆବଶ୍ୟକ। ଏଥିପାଇଁ କହୁଣୀକୁ ୯୦ ଡିଗ୍ରୀ କୋଣରେ ରଖି ଦୁଇ କାନ୍ଧକୁ ଉଶ୍ୱାସ କରନ୍ତୁ। ଏଥର ପାଦ ଓ ହାତର ଗତି ମଧ୍ୟରେ ବିପରୀତ ତାଳ ରହିବା ଜରୁରି। ଅର୍ଥାତ୍ ବାମ ପାଦ ଆଗକୁ ପଡ଼ିଲେ ଡାହଣ ବାହୁ ଆଗକୁ ରହିବ। ଏହି ତାଳରେ ଚାଲିବା ଉଚିତ।
ଦ୍ୱିତୀୟ ଭୁଲ୍: ଲମ୍ବା ପାହୁଣ୍ଡ ପକାଇ ଚାଲିବା: ଦ୍ରୁତ ବେଗରେ ଚାଲିବା ଚେଷ୍ଟାରେ ଲମ୍ବା ଲମ୍ବା ପାହୁଣ୍ଡ ପକାଇବା ଯୋଗୁଁ ଚାଲିର ଛନ୍ଦ କେତେ ନିୟନ୍ତ୍ରଣ ବାହାରକୁ ସେଥି ପ୍ରତି ଧ୍ୟାନ ଦେଇ ହୁଏ ନାହିଁ। ତେଣୁ ଚାଲିର ତାଳ ବା ଛନ୍ଦ ସମାନ ରଖିବାକୁ ଛୋଟ କିନ୍ତୁ, ଦ୍ରୁତ ବେଗରେ ପାଦ ପକାନ୍ତୁ। ଦ୍ରୁତ ବେଗରେ ଚାଲିବାକୁ ଲମ୍ବା ଲମ୍ବା ପାହୁଣ୍ଡ ନୁହେଁ; ଚଞ୍ଚଳ ଚଞ୍ଚଳ ପାଦ ପକାନ୍ତୁ।
ତୃତୀୟ ଭୁଲ୍: ଲକ୍ଷ୍ମୀପାଦ ଚାଲି: ଚାଲିବା ବେଳେ ଏଇଟା ଅତି ସାଧାରଣ ତ୍ରୁଟି। ଭୁଇଁରେ ପାଦ ପକାଇବା ବେଳେ ପ୍ରଥମେ ଗୋଇଠି ଭୂଇଁ ଛୁଇଁବା ପରେ ଯାଇ ଆଙ୍ଗୁଠି ଆଗକୁ ପଡ଼ିବା କଥା। କିନ୍ତୁ ଅନେକେ ପାଦର ମଝି ଅଂଶକୁ ପ୍ରଥମେ ଭୂଇଁରେ ପକାଇ ଥାଆନ୍ତି। ଫଳରେ ଥରକେ ସମଗ୍ର ପାଦ ଭୂଇଁରେ ଲାଗି ଯାଇଥାଏ। ପାଦର କଠିନତା, ଅନୁପଯୁକ୍ତ ଜୋତା କିଂବା ଦୁର୍ବଳ ନଳୀ ଗୋଡ଼ ଯୋଗଁ ଏ ପରି ହୋଇ ଥାଇ ପାରେ। କେଉଁ କାରଣରୁ ଏ ପରି ହେଉଛି ନିରୂପଣ କରିବା ପରେ ତାହର ଦୂରୀକରଣ କରନ୍ତୁ। ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପାରନ୍ତି।
ଲକ୍ଷ୍ମୀପାଦ: କୁହାଯାଏ ଲକ୍ଷ୍ମୀବନ୍ତ ଲୋକେ ଚଟାଣରେ ପାଦ ପକାଇଲେ ତାଙ୍କ ପାଦଚିହ୍ନର ମଝି ଅଂଶଟି ଖାଲୁଆ ଦେଖା ଯାଇ ନ ଥାଏ। ଅର୍ଥାତ୍ ସେମାନଙ୍କ ପାଦ ସମ୍ପୂର୍ଣ୍ଣ ରୂପେ ଭୂଇଁ ସହ ଲାଗି ଯାଏ।