ଶରୀରରୁ ଦାଗ ଛଡ଼େଇବାକୁ ଚାହାନ୍ତି କି?

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ଆପଣ ଯେତେ ବି ସଜେଇ ହୁଅନ୍ତୁ ପଛେ ସେହି ଛୋଟିଆ ଦାଗଟି ଯେପରି ପୂରା ମୁଖ ମଣ୍ଡଳକୁ ଫିକା କରିଦିଏ। କେବଳ ମୁଖ ମଣ୍ଡଳ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ ପାଲଟିଯାଏ। ମାତ୍ର ଦୁନିଆରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ମାତ୍ର କିପରି ସମାଧାନ କରିବାକୁ ହେବ ସେ ବିଷୟରେ ଆମକୁ ଟିକେ ଚିନ୍ତା କରିବାକୁ ପଡ଼ିଥାଏ। ଏଥିପାଇଁ କୌଣସି ଡାକ୍ତର ପାଖକୁ ଯାଇ ଶକ୍ତିଶାଳୀ ଔଷଧ ଖାଇବା କିମ୍ବା ଲେଜର୍‌ ଲାଇଟ ଚିକିତ୍ସା କରିବାର ଆବଶ୍ୟକତା ନାହିଁ। ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଧଳା ଦାଗକୁ ଛଡ଼ାଇ ପାରିବେ। ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

-ପଇଡ଼ ପାଣି ସବୁ ପ୍ରକାର ଦାଗ ଛଡ଼ାଇ ପାରେ। ତାହା କଳା ହେଉ କିମ୍ବା ଧଳା ଦାଗ ହେଉ। କଟା ଘା, ପୋଡ଼ା ଚିହ୍ନ ଏବଂ ବ୍ରଣ ଦାଗ ଆଦି ଛଡ଼ାଇବା ପାଇଁ ଆପଣ ପଇଡ଼ ପାଣି ବ୍ୟବହାର କରିପାରନ୍ତିି। ପଇଡ଼ ପାଣିକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ତୁଳା ବୁଡ଼ାଇ ତାହାକୁ ଆପଣଙ୍କ ଦାଗରେ ଲଗାନ୍ତୁ। ଏପରି ଦିନକୁ ୨-୩ ଥର କରନ୍ତୁ। ପ୍ରାୟ ୧ ମାସ କରିବା ପରେ ଦେଖିବେ ଯେ ଆପଣଙ୍କ ଶରୀରରୁ ଦାଗ କେଉଁ ଆଡ଼େ ଲିଭି ଯାଇଥିବ।

-ଦାଗ ଛଡ଼ାଇବା ପାଇଁ ଘିକୁଆଁରି ମଧ୍ୟ ଖୁବ୍‌ ଉପକାରୀ। ଅବଶ୍ୟ ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି। ମାତ୍ର ମନେ ରଖନ୍ତୁ ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ। ସଦ୍ୟ ଘିକୁଆଁରିକୁ ସଙ୍ଗେ ସଙ୍ଗେ ଗଛରୁ ଭାଙ୍ଗି କରି ଆଣନ୍ତୁ। ତାହାକୁ ମଝିରୁ ଭାଙ୍ଗି ଦିଅନ୍ତୁ। ଦେଖିବେ ମଝିରୁ ଏକ ଅଠାଳିଆ ଅଂଶ ବାହାରିବ। ତାହାକୁ ଦାଗ ଥିବା ସ୍ଥାନରେ ଲେପ ଦିଅନ୍ତୁ। ଏହି ଉପାୟରେ ପ୍ରାୟ ୧୫ ଦିନ ମଧ୍ୟରେ ଦାଗ ଲିଭିବା ଆରମ୍ଭ ହୁଏ।

-ମହୁ ଗୋଲାପ ଜଳ କେବେ ଲଗାଇଛନ୍ତି? ଏହା କେବଳ ଦାଗ ଲିଭାଇବା ପାଇଁ ନୁହେଁ ବରଂ ଗୋରାପଣ ପାଇଁ ବି ଜରୁରୀ। ଏକ ଛୋଟ ପାତ୍ରରେ ସାମାନ୍ୟ ମହୁ ନିଅନ୍ତୁ। ସେଥିରେ ସାମାନ୍ୟ ଗୋଲାପ ଜଳ ମିଶାଇ ଦାଗ ଥିବା ସ୍ଥାନ କିମ୍ବା ନିଜ ମୁହଁରେ ଲଗାନ୍ତୁ। ଦେଖିବେ ମାତ୍ର ୧ ସପ୍ତାହ ମଧ୍ୟରେ ପ୍ରଭାବ ଜଣାପଡ଼ିବ।

-ହଳଦୀ, ଚନ୍ଦନ ବିଷୟରେ ସମସ୍ତେ ଜାଣନ୍ତି। ମାତ୍ର ମନେ ରଖନ୍ତୁ ଅଧିକାଂଶ ଦଳଦୀ ଗୁଣ୍ଡକୁ ବ୍ୟବହାର କରିଥାନ୍ତି। ତାହା ଫଳପ୍ରଦ ନୁହେଁ। ଖଣ୍ଡ ହଳଦୀ ଦାଗ ଲିଭେଇବା ପାଇଁ ଅତ୍ୟନ୍ତ ଭଲ। ହଳଦୀ ଖଣ୍ଡକୁ ଘୋରି କରି ସେଥିରେ ଚନ୍ଦନ ମିଶାଇ ଲେପ ଦିଅନ୍ତୁୁ। ୧ ମାସ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ଦାଗ ନିଶ୍ଚୟ ଫିକା ପଡ଼ିଥାଏ।

-ବେସନ ମଧ୍ୟ ଦାଗ ଛଡ଼ାଇବା ପାଇଁ ଅତ୍ୟନ୍ତ ଭଲ। ଏଥିରେ ଆଉ କିଛି ମିଶ୍ରଣ କରିବା ଆବଶ୍ୟକ ନାହିଁ। ସିଧା ସଳଖ ବେସନରେ ପାଣି ମିଶାଇ ଲେପ ଦିଅନ୍ତୁ। ପ୍ରଭାବ ଆପଣ ନିଜେ ହିଁ ଜାଣିପାରିବେ।

ସମ୍ବନ୍ଧିତ ଖବର