ଆଇଟି ଚାକିରି ଛାଡ଼ି ଦହି ବିକୁଛନ୍ତି ଜୟମୁନି : ଦହି ଦେଇଛି ଚାକିରିଠୁ ବଳି ସମ୍ମାନ

ସେ ସେଦିନର ମାଣିକ ଗଉଡ଼ୁଣୀ ନୁହନ୍ତି। ମାଣିକ ପାଟଣା ଭଳି ତାଙ୍କ ନାଁରେ‌ କୌଣସି ଅଞ୍ଚଳ ନାମିତ ହୋଇନି। କିନ୍ତୁ ଯେବେ ବି କେହି ଦହି ରଙ୍କୁଣା ଦହିର ନିଆରା ସ୍ବାଦ ନେବାକୁ ଇଚ୍ଛା କରନ୍ତି ସେତେବେଳେ ମନେପଡ଼େ ଇନ୍‌ଫୋସିଟି ରୋଡ୍‌। ଯୋଉଠି ଉପଲବ୍ଧ ହୁଏ ଜୟମୁନିଙ୍କ ମାଟିହାଣ୍ଡି ଦହି। ମନ ଆପଣାଛାଏଁ ମୋଡ଼ି ହୋଇଯାଏ ସେଇଠିକି। ଛେଚା କଞ୍ଚାଲଙ୍କା, ପୋଦିନା, ଧନିଆ, ଜିରା, ଗୋଲମରିଚ, ଆମ୍ବକଷିଆ ଅଦା ମିଶା ନମ୍‌କିନ ଦହି ହେଉ ଅବା ଗୁଡ଼ରେ ପ୍ରସ୍ତୁତ ମିଠା ଦହି। ପ୍ରସ୍ତୁତି ଦେଖୁଦେଖୁ ହିଁ ଆପଣାଛାଏଁ ପାଟିରୁ ଲାଳ ନିଗିଡ଼ି ଆସେ।

ଗୁରୁଗାଓଁରେ ଏକ ଆମେରିକା ବେସ୍‌ଡ କମ୍ପାନିରୁ ଆଇଟି ଚାକିରି ଛାଡ଼ି ଏବେ ଗଛ ତଳେ ଦହି ବିକ୍ରି କରି ନିଜର ପତିଆରା ସାବ୍ୟସ୍ତ କରିଛନ୍ତି ଯୁବକ ଜୟମୁନି ଦାସ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ସାତକୁଡ଼ିଆ ଗ୍ରାମରେ ଜୟମୁନିଙ୍କ ଘର। ନୂଆଦିଲ୍ଲୀର ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟରୁ ବିଏସ୍‌ସି (ଆଇଟି)ରେ ଉତ୍ତୀର୍ଣ୍ଣ ହେବା ପରେ କ୍ୟାମ୍ପସ ପାଇ ଗୁରୁଗାଓଁରେ ଏକ ଆଇଟି କମ୍ପାନିରେ ଚାକିରି କରିଥିଲେ। ମାତ୍ର ନିଜେ କିଛି କରିବାର ଝୁଙ୍କ୍‌ ଏବଂ ଗ୍ରାମୀଣ ଅର୍ଥନୀତି କ୍ଷେତ୍ରକୁ ଦୃଷ୍ଟିରେ ରଖି ଚାକିରି ଛାଡ଼ି ବ୍ୟବସାୟ କରିବାକୁ ଓଡ଼ିଶା ଚାଲିଆସିଥିଲେ। ଭୁବନେଶ୍ବରରେ ରହି କିଛିଦିନ ଇନ୍‌ଫୋସିଟି ରୋଡ୍‌ରେ ଅବସର ପାଇଁ ପିଲାମାନେ ଭିଡ଼ ଜମାଉଥିବା କଥା ଦେଖି ଏଇଠି ନିଜର ବ୍ୟବସାୟ ପାଇଁ ବାହାରି ପଡ଼ିଥିଲେ। ପରବର୍ତୀ ସମୟରେ ଯାହାଙ୍କ ଘରେ ଭଡ଼ା ରହିଲେ, ତାଙ୍କ ଘରୁ ୨ଲିଟର କ୍ଷୀର କିଣି ତାକୁ ଦହି କରି ୨୦୧୭ ଜାନୁଆରି ୧୧ରେ ବ୍ୟବସାୟ ଆରମ୍ଭ କଲେ। କିଛି ନିଆରା କରିବା ଉଦ୍ଦେଶ୍ୟ ନେଇ ସେ ଗୁଡ଼ ଦହି ପ୍ରସ୍ତୁତ କଲେ। ସିପେଟ୍‌ର ଜଣେ ଅଧ୍ୟାପକ ଥିଲେ ତାଙ୍କର ପ୍ରଥମ ଗ୍ରାହକ। ତାଙ୍କୁ ଭଲ ଲାଗିବାରୁ ସେ ପରେ ସାଥୀରେ ଆଉ ୪ଜଣଙ୍କୁ ଧରି ଗୁଡ଼ ଦହିର ମଜା ନେଲେ। ୨ ମାସ ପର୍ଯ୍ୟନ୍ତ ୩୫ଟଙ୍କାରୁ ୮୫ ଟଙ୍କା ଘରକୁ ନେଇ ଯାଉଥିଲେ। ମାତ୍ର ଦହିରେ ଭିନ୍ନ ଭିନ୍ନ ପ୍ରସ୍ତୁତି ଗ୍ରାହକଙ୍କୁ ଆକର୍ଷିତ କଲା। ୨ ବର୍ଷ ତଳେ ଯୋଉଠି ଦିନକୁ ୩୫ ଟଙ୍କା ବ୍ୟବସାୟ ହେଉଥିଲା ଆଜି ସେଠି ତାଙ୍କର ଦୈନିକ ବ୍ୟବସାୟ ୪ ହଜାର ୫ଶହ ଟଙ୍କାରେ ପହଞ୍ଚିଛି।

ଆଇଟି ପାଠ ପଢ଼ିଥିବା ଜୟମୁନି ନିଜ ବୁଦ୍ଧି ବଳରେ ଦହିରେ ଏବେ ୯ ପ୍ରକାରର ପାନୀୟ ଓ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। ଲୁଣ ଦହି, ଗୁଡ଼ ଦହି, ଚିନି ଦହି, ଘୋଳଦହି, ମିଠା ଦହି, ସାଧା ଦହି, ରାବିଡ଼ି ଲସି, ପ୍ଲେନ୍‌ ଲସି ଓ ଦହି ଛେନା ପରସୁଛନ୍ତି। ଦିନେ ୨ଲିଟରରୁ ଆରମ୍ଭ ହୋଇଥିବା ତାଙ୍କର ବ୍ୟବସାୟ ଆଜି ୧ କୁଇଣ୍ଟାଲ୍‌ ଲିଟରରେ ପହଞ୍ଚିଛି। କୌତୁହଳର ବିଷୟ ଆଇଟି ଚାକିରି ଛାଡ଼ିବା ଯୋଗୁ ଜୟମୁନିଙ୍କ ପରିବାର କିନ୍ତୁ ଜୟମୁନିଙ୍କ ଉପରେ ଖୁସି ନୁହନ୍ତି। ମାତ୍ର ଜୟମୁନିଙ୍କ ମତରେ ମୁଁ କୌଣସି ବି କାମକୁ ନୀଚ୍ଚା ଦେଖେନାହିଁ। ମୁଁ ମୋ ଆଇଟି ପାଇଁ ଯେମିତି ସମର୍ପିତ ଥିଲି, ଆଜି ଗଛ ତଳେ ଏକ ଟେବୁଲ୍‌ରେ ଦହି ବିକିବା ବେଳେ ବି ସେଇଥିରେ ସମର୍ପିତ। ଟଙ୍କା ତ ସମସ୍ତେ କମେଇବେ କିନ୍ତୁ ୪୦୦ ଲୋକ ଯେବେ ଦହି ପିଇବା ପରେ ୱାଃ ୱାଃ..‌ବୋଲି କୁହନ୍ତି ତା’ଠୁ ଅଧିକ ଖୁସି ମତେ ହୁଏତ କୋଉଠୁ ମିଳିନଥାଆନ୍ତା।

ଜୟମୁନିଙ୍କ କହିବା ମୁତାବକ, ସେ ୫୬ ହଜାର ଟଙ୍କା ଦେଇ ଏକ ଗାଈ କିଣିଛନ୍ତି। ପ୍ରତିଦିନ ସେ ନିଜ କେନ୍ଦ୍ରାପଡ଼ାସ୍ଥିତ ଗାଁ’ରୁ ହିଁ କ୍ଷୀର ମଗାଇ ନିଜେ ଦହି ପ୍ରସ୍ତୁତ କରନ୍ତି। ସବୁଠୁ ବଡ଼ କଥା ହେଉଛି, ଦହିରେ ଯେବେ ଅନ୍ୟ କିଛି ମିଶାଇ ମୁଁ ମିଶ୍ରଣ ପ୍ରସ୍ତୁତ କରୁଥିଲି ସେତେବେଳେ ଫୁଡ୍‌ କଣ୍ଟ୍ରୋଲ୍‌ ବିଭାଗରେ ଥିବା ଜଣେ ସାଙ୍ଗ ସହ ଯୋଗାଯୋଗରେ ରହି ଏହାର ଏକ୍ସପେରିମେଣ୍ଟ୍ କରିଥିଲି। ଧଳା ପୋଷାକରେ ନିଜକୁ ସଜେଇ ସେ ଯେବେ ଦହି ପରସନ୍ତି ତାଙ୍କ ହାତ ଜମା ବିଶ୍ରାମ ନିଏନି। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲେ ବ୍ୟବସାୟ। ତାଙ୍କ ମତରେ ଏଇଠି ଗ୍ରାମୀଣ ସ୍ତରରେ ମଧ୍ୟ ଅନେକ କିଛି କରିବାର ସୁଯୋଗ ରହିଛି। କେବଳ ନିଷ୍ଠା ଓ ବୁଦ୍ଧି ଖଟାଇଲେ ଆଉ ରାଜ୍ୟରୁ ଅନ୍ତର ହୋଇ କାମ କରିବାକୁ କୁଆଡ଼େ ଯିବାକୁ ପଡ଼ିବନି। ଦହି ସହିତ ସେ ପନିର, ଛେନା ମୁଡ୍‌କିକୁ ବି ଯୋଡ଼ିଛନ୍ତି। ଏହି ବ୍ୟବସାୟକୁ ବିସ୍ତାର କରିବା ପାଇଁ ସେ ଉଦ୍ୟମ ଚଳାଇଛନ୍ତି। ଜୟମୁନିଙ୍କ କ୍ରମୋନ୍ନତିର ସଂକ୍ଷିପ୍ତ ଇତିହାସକୁ ଦେଖିଲେ ସେ ଯେ ପାହଚ ପରେ ପାହଚ ଚଢ଼ିବେ ‌ଏଥିରେ ଦ୍ବିଉକ୍ତି ନାହିଁ। ଆଇଟି ଚାକିରି ଛାଡ଼ି ଗଛ ମୂଳରେ ଦହି ବିକି ଯେ ଜଣେ ଏତେବାଟ ଆସିପାରେ ତାହା ଜୟମୁନିଙ୍କ କାହାଣୀର ସ୍ପଷ୍ଟ ଅନୁମେୟ। ଏମିତିରେ ପାଠ ପଢ଼ି ଯେଉଁମାନେ ଚାକିରି ନାହିଁ ବୋଲି କହି ବୁଲୁଛନ୍ତି ତାଙ୍କ ପାଇଁ ଜୟମୁନିଙ୍କ ଜୀବନ ବଞ୍ଚିବାର ସୂତ୍ର ଅନୁକରଣୀୟ।

ସମ୍ବନ୍ଧିତ ଖବର

Comments are closed.