ଆର୍‌ଟିଓ ପକ୍ଷରୁ ଚଢ଼ଉ, ବିକଟାଳ ହର୍ଣ୍ଣ ଜବତ

ଭୁବନେଶ୍ବର: ଆଜି ଭୁବନେଶ୍ବର ପରିବହନ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ଛକରେ ଚଢ଼ଉ କରାଯାଇ ବସ୍‌ଗୁଡ଼ିକରେ ଲାଗିଥିବା ବିକଟାଳ ହର୍ଣ୍ଣ ଜବତ କରାଯାଇଛି। ପାଖାପାଖି ୨୦ଟି ବସ୍‌ରୁ ଏଭଳି ହର୍ଣ୍ଣ ଜବତ କରାଯାଇଥିବା ଆରଟିଓ ପିକେ ମହାନ୍ତି ସୂଚନା ଦେଇଛନ୍ତି। ଏ ନେଇ ବସ୍‌ ମାଲିକଙ୍କୁ ନୋଟିସ୍‌ ଦିଆଯାଇଛି। ତେବେ ଆଗାମୀ ଦିନରେ ବିକଟାଳ ହର୍ଣ୍ଣ ଲାଗିଥିବା ଅବସ୍ଥାରେ ବସ୍‌ ଧରା ପଡ଼ିଲେ, ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି। ଆରଟିଓ ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ, ବସ୍‌ରେ ଲାଗିଥିବା ଏହି ହର୍ଣ୍ଣର ଶବ୍ଦ ଅତ୍ୟନ୍ତ ତୀବ୍ର ଓ ବିକଟାଳ। ୬୫ ଡେସିବଲ ମଧ୍ୟରେ ଶବ୍ଦ ରହିବା ନିୟମ ଥିଲେ ମଧ୍ୟ ବସ୍‌ ମାଲିକମାନେ ଏହାର ଖିଲାପ କରି ଉଚ୍ଚ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଉଛନ୍ତି। ଏହାର ପ୍ରଭାବରେ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି। ତେଣୁ ଏଭଳି ଚଢ଼ଉ କରାଯାଇଛି। ଆଜି ଆରଟିଓ ପକ୍ଷରୁ ଆଚାର୍ଯ୍ୟ ବିହାର ଛକରେ ଏହି ଯାଞ୍ଚ କରାଯାଇଥିଲା। ଆଗାମୀ ଦିନରେ ଚଢ଼ଉକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି। ଆଜିର ଏହି ଚଢ଼ଉ ପରେ ଏକାଧିକ ବସ୍‌ ମାଲିକମାନେ ସେମାନଙ୍କ ବସ୍‌ରେ ଲାଗିଥିବା ବିକଟା‌ଳ ହର୍ଣ୍ଣକୁ କାଢ଼ି ପକାଇଛନ୍ତି। ଅନ୍ୟପକ୍ଷରେ ଆରଟିଓ ପକ୍ଷରୁ କେବଳ ଜାତୀୟ ରାଜପଥରେ ଚେକିଂ କରାଯାଉଛି। କିନ୍ତୁ ସହର ଭିତରକୁ ଆସୁଥିବା ବସ୍‌ ମଧ୍ୟ ଖୁବ ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଉଛନ୍ତି। ବିଶେଷକରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ବସ୍‌ଷ୍ଟାଣ୍ଡ ଓ କଳ୍ପନା ଛକରେ  ଲାଗୁଥିବା ବସ୍‌ଗୁଡ଼ିକ ଏଭଳି ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଉଛନ୍ତି। ଏସବୁ ବସ୍‌ଗୁଡ଼ିକ ଉପରେ ଆରଟିଓ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର