ଆଶା ଅନେକ

ଶିକ୍ଷା ହବ୍‌ ପାଲଟିଛି ଭୁବନେଶ୍ୱର। ସହରରେ ଗଢ଼ିଉଠିଛି ଏକାଧିକ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ। ଘରୋଇ ଶିକ୍ଷାନୁଷ୍ଠାନ ସଂଖ୍ୟା ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ପ୍ରାଥମିକ ଶିକ୍ଷା ଏବେ ଅଣ୍ଟା ସଳଖୁଥିବା ବେଳେ ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷାଦାନ ଲାଗି ଆଗେଇ ଆସୁଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା। ରାଜ୍ୟ ସରକାରଙ୍କ ସହ ରାଜିନାମା କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସମ୍ଭାବନାର ସହର ପାଲଟିଥିବା ଭୁବନେଶ୍ୱରକୁ ୨୦୩୦ ସୁଦ୍ଧା ଆଇଟି ହବ୍‌ରେ ପରିଣତ କରିବାର ଆଶା ଅନେକ।
ଉପସ୍ଥାପନା: କେଶବ ପାଣି

ଉପକଣ୍ଠ ମୁହାଁ ଶିକ୍ଷାନୁଷ୍ଠାନ
ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ରାଜଧାନୀରେ ଗଢ଼ିଉଠୁଛି। ନୂଆ ସଂସ୍ଥା ମଧ୍ୟ ସ୍କୁଲ, କଲେଜ ଖୋଲିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥାଗୁଡ଼ିକ ମଧ୍ୟରେ ରାଜିନାମା ହେଉଛି। ସହର ଭିିତରେ ଏବେ ଜାଗା ସମସ୍ୟା ଓ ଶିକ୍ଷାଦାନର ପରିବେଶ ନୂଆ ଶିକ୍ଷାନୁଷ୍ଠାନ ଲାଗି ବାଧକ ସାଜିଛି। ଯେଉଁଥିପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଲାଗି ଆଗ୍ରହୀ ସଂସ୍ଥାମାନେ ଏବେ ରାଜଧାନୀ ଉପକଣ୍ଠ ମୁହାଁ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ସ୍ଥାନ ସମେତ ଜଟଣୀ, ବାଲିଅନ୍ତା, ପିପିଲି, ଖୋର୍ଧା, ନଖରା ପରି ଅଞ୍ଚଳରେ ଶିକ୍ଷାନୁଷ୍ଠାନ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ଏବେ ଶିକ୍ଷାର ବିଶାଳ ହବ୍‌ ହେବାକୁ ଯାଉଛି।

ବଢ଼ୁଛି ଇଂରାଜୀ ମାଧ୍ୟମ ସ୍କୁଲ
ଦିନ ଥିଲା କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୧ ବାଳକ ହାଇସ୍କୁଲ, ୟୁନିଟ୍‌-୨ ହାଇସ୍କୁଲ, ବିଏମ୍‌ ହାଇସ୍କୁଲ, ବଡ଼ଗଡ଼ ହାଇସ୍କୁଲ ପରି ସରକାରୀ ବିଦ୍ୟାଳୟ ପାଲଟିଥିଲା ମଣିଷ ତିଆରି କରଖାନା। ଯେଉଁଠାରୁ ସୃଷ୍ଟି ହୋଇଥିଲେ ମାଳ ମାଳ ଆଇଏଏସ୍‌, ଓଏଏସ୍‌, ଆଇପିଏସ୍‌। ରାଜ୍ୟ ଶାସନର ମଙ୍ଗ ମଧ୍ୟ ଧରିଥିଲେ। ଏବେ କିନ୍ତୁ ସ୍ଥିତି ବଦଳିଛି। ୭୦ ବର୍ଷର ସରକାରୀ ସ୍କୁଲ ଏବେ ବି ଦଣ୍ଡାୟମାନ ହୋଇ ରହିଥିଲେ ମଧ୍ୟ ଆଗଭଳି ମଣିଷ ତିଆରି କରିପାରୁନାହିଁ। ତାହାର ସୁଯୋଗ ନେଇ ସହରରେ ଗଢ଼ିଉଠିଛି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଇଂରାଜୀ ମାଧ୍ୟମ ସ୍କୁଲ। ଡିଜିଟାଲ ବୋର୍ଡ ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ କୋଠରୀରେ ପିଲାଙ୍କୁ ଦିଆଯାଉଛି ଶିକ୍ଷା। ଅଭିଭାବକଙ୍କ ଆଗ୍ରହ ମଧ୍ୟ ଏହି ସ୍କୁଲ ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତି ହୋଇଛି ଯେ କେତେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମନଇଚ୍ଛା ଫି’ ଦାବି କରୁଛନ୍ତି।

ଆଇଟି ୨୦୩୦
ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ପୂର୍ବାଞ୍ଚଳର ହବ୍‌ ପାଲଟିଥିବା ବେଳେ ଆଇଟି କ୍ଷେତ୍ରରେ ସୃଷ୍ଟି ହୋଇଛି ସମ୍ଭାବନା। ଏକାଧିକ ଦେଶୀ, ବିଦେଶୀ ଆଇଟି କମ୍ପାନି ଏହି ସହରରେ ସେମାନଙ୍କ ପ୍ରତିଷ୍ଠାନ ଖୋଲିବା ପାଇଁ ଆଗେଇ ଆସୁଛନ୍ତି। ଇନ୍‌ଫୋସିଟ୍‌-୧, ଇନ୍‌ଫୋସିଟ୍‌-୨ ଅଞ୍ଚଳ ଆଇଟି କ୍ଷେତ୍ରକୁ ଆଗକୁ ନେଉଛି। ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ଆଇଟି ଶିକ୍ଷା ଓ ଗବେଷଣା ପାଇଁ ସୃଷ୍ଟି ହେଉଛି ସମ୍ଭାବନା। ୨୦୩୦ ସୁଦ୍ଧା ଭୁବନେଶ୍ୱରକୁ ଆଇଟିରେ ଦେଶର ଅନ୍ୟାନ୍ୟ ସହର ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ପୂର୍ଣ୍ଣାଙ୍ଗ ଆଇଆଇଟି ଓ ଏମ୍‌ସ
୨୦୧୯ ମାର୍ଚ୍ଚ ସୁଦ୍ଧା ଆଇଆଇଟି ଭୁବନେଶ୍ୱର ପୂର୍ଣ୍ଣାଙ୍ଗ ରୂପ ନେବାର ସମ୍ଭାବନା ରହିଛି। ଇତି ମଧ୍ୟରେ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଆଉ ୧୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତୃପକ୍ଷ। ଆସନ୍ତା ମେ’ ମାସରେ ପ୍ରଧାନମନ୍ତ୍ରୀ ଏହି କ୍ୟାମ୍ପସ୍‌କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବା ଲାଗି ଆସିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମନ୍ଥର ଗତିରେ ଆଗକୁ ବଢ଼ୁଥିବା ଏମ୍‌ସ ମଧ୍ୟ ଖୁବ୍‌ଶୀଘ୍ର ପୂର୍ଣ୍ଣାଙ୍ଗ ରୂପ ନେଇପାରେ ବୋଲି ଆଶା କରାଯାଉଛି।

ଓଡ଼ିଆ ଶିଖାଇବ ଓଡ଼ିଆ ବିଶ୍ୱବିଦ୍ୟାଳୟ
ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ସତ୍ୟନଗରସ୍ଥିତ ତୋଷାଳି ପ୍ଲାଜାରେ ଥିବା ଆଇଆଇଟିର ଅସ୍ଥାୟୀ କ୍ୟାମ୍ପସରେ ବର୍ତମାନ ଏହା କାର୍ଯ୍ୟକ୍ଷମ ହେବ। ପରବର୍ତୀ ସମୟରେ ଏହାର ସ୍ଥାୟୀ କ୍ୟାମ୍ପସ ରାଜଧାନୀ ଉପକଣ୍ଠ ତଥା ଖୋର୍ଧା ଜିଲ୍ଲାରେ ନିର୍ମାଣ କରାଯିବ। ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନ ପୂର୍ଣ୍ଣାଙ୍ଗ ରୂପ ନେବା ପରେ ରାଜଧାନୀର ଶିକ୍ଷା ଇତିହାସରେ ଯୋଡ଼ି ହେବ ମାଇଲଖୁଣ୍ଟ।

ବଢ଼ିବ ରମାଦେବୀର କଳେବର
ମାତ୍ର ୨୫ ଏକର ପରିମିତ ଜମିରେ ୫ ହଜାର ଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ରମାଦେବୀ ମହିଳା ବିଶ୍ୱବିିଦ୍ୟାଳୟର କଳେବର ବଢ଼ିବ। ବର୍ତମାନ କ୍ୟାମ୍ପସ ନିକଟରେ ୧୦ରୁ ୨୦ ଏକର ଜମିରେ ଏହାର ସମ୍ପ୍ରସାରିତ କ୍ୟାମ୍ପସ ଓ ପ୍ରାୟ ୮୦ ଏକର ଜମିରେ ସ୍ଥାୟୀ କ୍ୟାମ୍ପସ କରିବାକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି। ଏବେ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ଆସନ୍ତା ଏକ ବର୍ଷ ମଧ୍ୟରେ ନୂତନ କ୍ୟାମ୍ପସ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି।

ବିଜେବି କ୍ୟାମ୍ପସରେ ହେବ ପାଇକ ବିଦ୍ରୋହ ଚିତ୍ର
ବିଜେବି ସ୍ୱୟଂଶାସିତ କଲେଜ କ୍ୟାମ୍ପସରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ଚାରିପାଖରେ ଥିବା ପାଚେରିର ଉଚ୍ଚତା ଦୁଇ ଫୁଟ ବୃଦ୍ଧି କରାଯିବ। ପାଚେରିକୁ ରଙ୍ଗ କରାଯିବା ସହ ସେଥିରେ ପାଇକ ବିଦ୍ରୋହ ସମୟର ବିଭିନ୍ନ ଚିତ୍ର ଅଙ୍କନ ହେବ। ରାଜ୍ୟ ସଂସ୍କୃତି ବିଭାଗ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବ। ବି.କେ. ଆର୍ଟ କଲେଜର ଛାତ୍ରଛାତ୍ରୀ ପାଇକ ବିଦ୍ରୋହ ସମୟର ବିଭିନ୍ନ ଦୃଶ୍ୟକୁ ଆଙ୍କିବେ। ଦୁଇ ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶ କରାଯିବା ପରେ ୧୨ଟି ସ୍ନାତକୋର ବିଭାଗ ଖୋଲି ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ପ୍ରସ୍ତାବ ପଠାଇବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର