ଏମିତି ଓଡ଼ିଆ ଜ୍ଞାନ ସାଇନ୍‌ବୋର୍ଡରେ ‘ମାତ୍ରା’ ସଙ୍କଟ

ଭୁବନେଶ୍ୱର: ପିଲାଟିଏ ବାପାଙ୍କ ସହ ରାସ୍ତାରେ ସ୍କୁଲ୍‌ ଗଲା ବେଳେ ବାପାମାନେ ପିଲାମାନଙ୍କୁ ଚିହ୍ନାଇ ଦେବା ଉଦ୍ଦେଶ୍ୟରେ କୁହନ୍ତି ଏଇ ଦେଖ୍‌, ଏଇଟା ସଚିବାଳୟ। ସେଇଟା ବିଧାନସଭା। ଏଇଟା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ବାପାଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ପିଲାର ଆଖି ବି ଆପେଆପେ ସାଇନ୍‌ବୋର୍ଡ ଉପରକୁ ଚାଲିଯାଏ। ମାତ୍ର ଯଦି ସାଇନ୍‌ ବୋର୍ଡରେ ମୁଖ୍ୟମନ୍ତ୍ରୀ ଶବ୍ଦଟି ‘ମୂଖ୍ୟମନ୍ତ୍ରୀ’ ବୋଲି ଲେଖାଥାଏ। ମୁଖ୍ୟଯନ୍ତ୍ରୀ ଜାଗାରେ ଯଦି ‘ମୁଖ୍ୟଯନ୍ତୀ’ ବୋଲି ଲେଖାଯାଇଥାଏ। ଏହା କେବଳ ପିଲାଙ୍କ କୋମଳ ମସ୍ତିଷ୍କକୁ ବିଭ୍ରାନ୍ତ କରେନି, ବୟସ୍କ ବ୍ୟକ୍ତିବିଶେଷଙ୍କ ମନରେ ବି ଦ୍ୱନ୍ଦ୍ୱ ଉପୁଜାଇଥାଏ। ବାସ୍ତବରେ ସେମାନେ ପଢ଼ିଥିବା ପାଠ ଠିକ୍‌ ନା ରାଜଧାନୀରେ ଛିଡ଼ା ହୋଇଥିବା ନୀଳ ସାଇନ୍‌ବୋର୍ଡର ଓଡ଼ିଆ ଭାଷା ଠିକ୍‌, ତାହା କିଛି ଲୋକଙ୍କୁ ଯେ ଦ୍ୱିବିଧାରେ ପକାଏ ଏଥିରେ ଅନ୍ୟଥା ନାହିଁ। ଖୋଦ୍‌ ରାଜଧାନୀରେ ଏମିତି ଅନେକ ସାଇନ୍‌ବୋର୍ଡ ରହିଛି, ଯେଉଁଥିରେ ‘ମାତ୍ରା’ ସଂକ୍ରାନ୍ତୀୟ ଅନେକ ତ୍ରୁଟି ରହିଛି। କେଉଁଠି ନିର୍ଦ୍ଦେଶାଳୟକୁ ‘ନିଦେଶାଳୟ’ ତ ପୁଣି କେଉଁଠି ‘ନିର୍ଦ୍ଧେଶାଳୟ’ ବୋଲି ଉଲ୍ଲେଖ କରାଯାଇଛି। କେଉଁଠି ସର୍ବେକ୍ଷଣକୁ ‘ସର୍ଭେକ୍ଷଣ’ ଲେଖାଯାଇଛି ତ ଆଉ କେଉଁଠି ‘ଭୁବନେଶ୍ୱେରଙ୍କ’କୁ ଭୁବନେଶ୍ୱରକଂ ଲେଖାଯାଇଛି। ଏହି ଭୁଲ୍‌ ଯେ ଏବେଏବେ ହୋଇଛି ସେକଥା ନୁହେଁ।

ବରଂ ଅନେକ ଦିନ ଧରି ଏହି ଭୁଲ୍‌ ଅକ୍ଷର ସାଇନ୍‌ବୋର୍ଡରେ ଦୃଶ୍ୟମାନ ହେଉଛି। ଅଥଚ କୌଣସି ଓଡ଼ିଆ ଏନେଇ କେବେ ସ୍ୱର ଉଠାଇନାହାନ୍ତି କି କୌଣସି ସରକାରୀ ବାବୁମାନେ କେବେ ଏସବୁ ଭୁଲ୍‌ ଦେଖିବା ପରେ ତ୍ରୁଟି ସୁଧାରିବାକୁ ଉଚିତ୍‌ ଭାବି ନାହାନ୍ତି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏହି ସାଇନ୍‌ ବୋର୍ଡ ତଥା ସୂଚନା ବୋର୍ଡ ପୂର୍ତ ବିଭାଗ ପ୍ରସ୍ତୁତ କରୁଛିି। ବିଭାଗ ପକ୍ଷରୁ ଓଡ଼ିଆରେ ସିନା ସାଇନ୍‌ବୋର୍ଡ ପ୍ରସ୍ତୁତ ହୋଇଛି କିନ୍ତୁ ମାତ୍ରା ସଂକ୍ରାନ୍ତୀୟ ଏତେ ଭୁଲ୍‌ ଥିଲେ ବି ଏଥିପ୍ରତି ଗୁରୁତ୍ୱ ନଦେବା ଭଳି ହୃଦବୋଧ ହେଉନି। ସାଇନ୍‌ବୋର୍ଡ ପ୍ରସ୍ତୁତ କଲାବେଳେ ସେତିକି ଯତ୍ନବାନ ହୋଇନାହିଁ ପୂର୍ତ ବିଭାଗ। କିଛି ପର୍ଯ୍ୟଟନସ୍ଥଳୀର ନାମ, ନିର୍ଦେଶିତ ରାସ୍ତାର ସୂଚନାଗୁଡ଼ିକ ମଧ୍ୟ ନିର୍ଭୁଲ ହୋଇପାରିନାହିଁ। ବାହାରୁ ଆସୁଥିବା ଲୋକଙ୍କ ପାଇଁ କୌଣସି କାର୍ଯ୍ୟାଳୟକୁ ସୂଚାଇଦେବା ପାଇଁ ଏହି ସାଇନ୍‌ବୋର୍ଡଗୁଡ଼ିକର ବଡ଼ ଭୂମିକା ରହିଛି। ଅନେକ ସମୟରେ ବଡ଼ବଡ଼ ଅକ୍ଷରରେ ଲେଖା ହୋଇଥିବା ଶବ୍ଦଗୁଡ଼ିକ ବାରମ୍ବାର ଆଖିରେ ପଡ଼ିଲେ ଅଜାଣତରେ ଭୁଲ୍‌ଟା ବି ଠିକ୍‌ ବୋଲି ମନରେ ଧାରଣା ଜନ୍ମିଥାଏ ବୋଲି କିଛି ବୁଦ୍ଧିଜୀବୀ କୁହନ୍ତି। ତେଣୁ ପୂର୍ତ ବିଭାଗ ଏହାକୁ ହାଲୁକା ଭାବେ ନନେଇ ଏହି ସାଇନ୍‌ବୋର୍ଡଗୁଡ଼ିକ ଯଥାଶୀଘ୍ର ସୁଧାରିବା ଉଚିତ୍‌ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଓମ୍‌ ପ୍ରକାଶ ପଟେଲଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହିଭଳି ଯଦି କିଛି ତ୍ରୁଟି ଥିବ ତାହାକୁ ଆମେ ସୁଧାରିବୁ।
ରିପୋର୍ଟ: ସତ୍ୟ, ଫଟୋ: ବିଭୂତି

ସମ୍ବନ୍ଧିତ ଖବର